ଥାନା ଘର ବଦଳିଲା ହେଲେ ବଦଳିଲାନି ଭାଗ୍ୟ : ବାରମ୍ବାର ବଦଳୁଛନ୍ତି ଥାନା ଅଧିକାରୀ ଫଳରେ ଅଞ୍ଚଳରେ ବଢୁଛି ଅପରାଧ

ଥାନା ଘର ବଦଳିଲା । ଭାଗ୍ୟ ବଦଳିଲାନି । ଯିଏ ଆସିଲେ, ବର୍ଷେ ପରେ ବଦଳି ହୋଇ ଅନ୍ୟତ୍ର ଗଲେ। ଏ ହେଉଛି ଭରତପୁର ଥାନାର ସ୍ଥିତି। ବାରମ୍ବାର ଥାନା ଅଧିକାରୀ ପରିବର୍ତ୍ତନ ଫଳରେ ଅଞ୍ଚଳରେ ଅପରାଧ, ଅଶାନ୍ତି, ଉତ୍ତେଜନା ବଢ଼ୁଛି

bhartpur police station

Photograph: (kanaknews)

କନକବ୍ୟୁରୋ :  ଥାନା ଘର ବଦଳିଲା । ଭାଗ୍ୟ ବଦଳିଲାନି । ଯିଏ ଆସିଲେ, ବର୍ଷେ ପରେ ବଦଳି ହୋଇ ଅନ୍ୟତ୍ର ଗଲେ ।  ଏ ହେଉଛି ଭରତପୁର ଥାନାର ସ୍ଥିତି । ବାରମ୍ବାର ଥାନା ଅଧିକାରୀ ପରିବର୍ତ୍ତନ ଫଳରେ ଅଞ୍ଚଳରେ ଅପରାଧ, ଅଶାନ୍ତି, ଉତ୍ତେଜନା ବଢ଼ୁଛି ।  ମାଳମାଳ ବସ୍ତିରେ ଭରପୂର ଭରତପୁରରେ ଅପରାଧ ଚରମ ସୀମା ଛୁଇଁଛି   ।

ଗତକାଲି ନୂଆ ଥାନାଧିକାରୀ ଭାବେ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ଯୋଗଦେଇଛନ୍ତି ।    ୨୦୨୦ ଡିସେମ୍ବରରେ ଥାନା ପ୍ରତିଷ୍ଠା ହେବା ପରଠାରୁ କୌଣସି ଥାନା ଅଧିକାରୀ ୨ବର୍ଷ ରହିପାରିନାହାନ୍ତି । ପ୍ରତିବର୍ଷ ଥାନା ଅଧିକାରୀ ବଦଳୁଛନ୍ତି  ।   ସବୁଠାରୁ ଅଧିକ ସମୟ ରହିଥିବା ଆଇଆଇସିଙ୍କ କାର୍ଯ୍ୟକାଳ ହେଲା ୧୬ମାସ । 

ଏଭଳି ସ୍ଥିତିରେ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ କିଭଳି ନିୟନ୍ତ୍ରଣ କରାଯିବା ସେ ନେଇ ପ୍ରଶ୍ନ ଉଠିଛି। ଗତବର୍ଷ ସେପ୍ଟେମ୍ବର ମାସରେ ବହୁ ଚର୍ଚ୍ଚିତ ଭରତପୁର ଥାନା ଭିତରେ ମେଜର୍‌, ତାଙ୍କ ବାନ୍ଧବୀ ଓ ପୁଲିସ କଳି ଘଟଣା ପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତତ୍କାଳୀନ ଆଇଆଇସି ଦୀନକୃ‌ଷ୍ଣ ମିଶ୍ରଙ୍କୁ ହଟାଇ ଦୀପକ ଖଣ୍ଡାୟତରାୟଙ୍କୁ ଦାୟିତ୍ବ ଦିଆଯାଇଥିଲା  । 

ଥାନାର ବାତାବରଣ ଭଲ ନଥିବାରୁ ଏହାର ବାସ୍ତୁପୂଜା କରାଗଲା। ତଥାପି ବାସ୍ତୁପୂଜା କାଟୁ କଲାନି। ଯଥାପୂର୍ବଂ ତଥା ପରଂ ନିୟମରେ ଅପରାଧ ବଢ଼ିଚାଲିଲା। ଥାନା ଅଧୀନ ଅଞ୍ଚଳକୁ ଭଲ ଭାବେ ବୁଝିବା ପୂର୍ବରୁ ଶ୍ରୀ ଖଣ୍ଡାୟତରାୟଙ୍କୁ ବଦଳି କରିଦିଆଗଲା। ସେ ଏକ ବର୍ଷ ମଧ୍ୟ ପୂର୍ଣ୍ଣ କରିପାରିଲେ ନାହିଁ ।

କେବଳ ଶ୍ରୀ ଖଣ୍ଡାୟତରାୟ ନୁହନ୍ତି, ତାଙ୍କ ପୂର୍ବରୁ ଥିବା ଥାନା ଅଧିକାରୀମାନଙ୍କ ମଧ୍ୟରେ ଦୀନକୃଷ୍ଣ ମିଶ୍ର ୧୧ ମାସ, ତାଙ୍କ ପୂର୍ବରୁ ବିଭୁଦତ୍ତ ରାଉତରାୟ ସର୍ବାଧିକ ୧୬ ମାସ ,   ତାଙ୍କ ପୂର୍ବରୁ ବିଶ୍ବରଂଜନ ସାହୁ ୬ ମାସ, ଜ୍ୟୋତିରଂଜନ ପତି ୬ମାସ, ଦୁର୍ଗା ପ୍ରସାଦ ଜେନା ୬ ମାସ ରହି ବଦଳି ହୋଇଥିଲେ। ଭରତପୁର ଥାନା ଅଧୀନରେ ୩୬ରୁ ଅଧିକ ବସ୍ତି ରହିଛି  । 

କମିସନରେଟ୍‌ ପୁଲିସର ତଥ୍ୟ ଅନୁଯାୟୀ ଶହେ ଜଣ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୭୦ଜଣ ବସ୍ତି ଅଞ୍ଚଳରେ ରହୁଛନ୍ତି । ଥାନା ଅଧିକାରୀ ନିଜ ଅଞ୍ଚଳ ସହ ବସ୍ତି ସମ୍ପର୍କରେ ଭଲଭାବେ ଜାଣିବା ପୂର୍ବରୁ ତାଙ୍କର ବଦଳି ହୋଇଯାଉଛି ।  ଏହା କଙ୍କଡ଼ାକୁ ଗୋଳିପାଣି ସୁହାଇଲା ପରି ଅପରାଧୀମାନଙ୍କୁ ସୁହାଉଛି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe