କନକ ବ୍ୟୁରୋ:  କ୍ଷୀର, ଏକ ଲାଭଜନକ ବ୍ୟବସାୟ । ରୋଜଗାର କରିବାର ସହଜ ମାଧ୍ୟମ । ତେଣୁ ଗାଁଠୁ ଆରମ୍ଭ କରି ସହର ସବୁଠି ଲୋକମାନେ ଏହି ବ୍ୟବସାୟକୁ ଆପଣାଇଥାଆନ୍ତି । ତେବେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଈ ବ୍ଲକ କୁଆଁରପାଳ ଗାଁର ପିତାମ୍ବର ଦାସ କ୍ଷୀର ବ୍ୟବସାୟ କରି ସଫଳ ହୋଇଛନ୍ତି । ତାଙ୍କ ବୟସ ୭୦ ଛୁଇଁଲାଣି । ବୟସର ଅପରାହ୍ନରେ ବି ପିତାମ୍ବର ବେଶ ଚଳଚଂଚଳ  । ୪୦ ବର୍ଷ ହେଲା ସେ ଏହି ବ୍ୟବସାୟ କରୁଛନ୍ତି । ଦିନେ ସାଇକେଲରେ ଗାଁ ଗାଁ ବୁଲି ଦୁଗ୍ଧ ସଂଗ୍ରହ କରୁଥିଲେ । ଏବେ ନିଜ ପ୍ରଚେଷ୍ଠାରେ ଏକ ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ର ପ୍ରତିଷ୍ଠା କରି ଏଥିରେ ସ୍ଥାନୀୟ ଅଂଚଳର ପ୍ରାୟ ୧୫ ଜଣ ଯୁବକଙ୍କୁ କାମ ଯୋଗାଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଯୁବକ ବାହାର ରାଜ୍ୟରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ଏବେ ପିତାମ୍ବରଙ୍କ ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ରରେ ପାଇଛନ୍ତି ନିଯୁକ୍ତି । 

Advertisment

ପିତାମ୍ବରଙ୍କ ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ରରେ କ୍ଷୀର, ଛେନା, ଦହି ଛେନା, ଖୁଆ, ପନୀର୍, ଘିଅ ଇତ୍ୟାଦି ସାମଗ୍ରୀ ପ୍ରସ୍ତୁତ ହେଉଛି । ଦିନକୁ ପ୍ରାୟ ୨ହଜାର ଲିଟର କ୍ଷୀର ଏହି  ପ୍ରକ୍ରିୟାକରଣ କେନ୍ଦ୍ରରେ ଆବଶ୍ୟକ ପଡିଥାଏ । ଆଖପାଖ ଅଞ୍ଚଳର ୨୫ ଖଣ୍ଡ ଗାଁରୁ କ୍ଷୀର ସଂଗ୍ରହ କରିନ୍ତି ପିତାମ୍ବର। ଉତ୍ପାଦିତ ସାମଗ୍ରୀ କେନ୍ଦ୍ରାପଡା ସହିତ କଟକ, ଭୁବନେଶ୍ବର, ଜଗତସିଂହପୁର ଜିଲ୍ଲାକୁ ପଠାଇଥାନ୍ତି । ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ୟାରେ ପିତାମ୍ବର ଗାଡି ପଠାଇ ଦୁଗ୍ଧ ସଂଗ୍ରହ କରିଥାନ୍ତି । ଏହି କାର୍ଯ୍ୟରେ ପିତାମ୍ବରଙ୍କୁ ସହାୟତା କରୁ ଛନ୍ତି ତାଙ୍କର ଦୁଇ ପୁଅ । ପିତାମ୍ବରଙ୍କ ଦୁଇପୁଅ ବାହାର ରାଜ୍ୟରେ ରହି କାମ କରୁଥିଲେ । କିଛି ଟଙ୍କା ସଂଚୟ କରି ବାପା ପିତାମ୍ବରଙ୍କ ସହାୟତାରେ ଏହି ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି । ଯାହା ତାଙ୍କ ପରିବାର ପ୍ରତିପୋଷଣରେ ସହାୟକ ହେଉଛି ।  ଏହି ବ୍ୟବସାୟରୁ ପିତାମ୍ବର ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ।