କନକ ବ୍ୟୁରୋ : ଏବର୍ଷ ଭଲ ଧାନ ସଂଗ୍ରହ ହୋଇଥିବା ସରକାର କହୁଛନ୍ତି । ଅନିୟମିତତା ଦୂର କରି ରେକର୍ଡ ପରିମାଣର ଧାନ କିଣାଯାଇଥିବା ଦାବି କରାଯାଉଛି । ବାସ୍ତବତା କିନ୍ତୁ ପୂରା ଭିନ୍ନ । ଅମଳଠାରୁ ଅଧିକ ବିକ୍ରି ହୋଇଥିବାରୁ ଏତେ ଧାନ କେଉଁଠୁ ଆସିଲା ବୋଲି ଚାଷୀ ପ୍ରଶ୍ନ କରିଛନ୍ତି । ସେପଟେ ମଣ୍ଡି ସରିଥିବାରୁ ଅସଲି ଚାଷୀଙ୍କ ଧାନ ପଡ଼ିରହି ବର୍ଷାରେ ଗଜା ହେଉଛି ।
ସବୁଚାଷୀଙ୍କ ଧାନ ଉଠିଥିବା କହି ପ୍ରଶାସନ ବାହାଦୁରି ମାରୁଛି । ଚଳିତବର୍ଷ ୧୪ ଲକ୍ଷ ୪୫ ହଜାର ୩୭୧ କ୍ବିଣ୍ଟାଲ ଧାନ କିଣି ରେକର୍ଡ ସୃଷ୍ଟି କରାଯାଇଥିବା ସରକାର କହୁଛନ୍ତି । କଟନି ଛଟନି ବନ୍ଦ ସହ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ ଦଲାଲଙ୍କୁ ରୋକା ଯାଇଛି। ଚାଷୀ ଉପଯୁକ୍ତ ମୂଲ୍ୟ ପାଇଛନ୍ତି । ଯାହାକି ପୂର୍ବରୁ କେବେ ହୋଇନଥିଲା ବୋଲି ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି ।
ଅଧିକାରୀଙ୍କ କଥାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଚାଷୀ, ଚାଷୀ ସଂଗଠନ ଓ ନେତା । ବାସ୍ତବତା ଦେଖନ୍ତୁ, କୋରାପୁଟ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଧାନ ଗଦା ହୋଇଛି । ଟ୍ରକ୍ ଓ ଟ୍ରାକ୍ଟରରେ ଚାଷୀ ଆହୁରି ଧାନ ଆଣୁଛନ୍ତି । କିନ୍ତୁ ତାରିଖ ସରିଥିବାରୁ କିଣାଯାଉ ନାହିଁ । ବର୍ଷାରେ ଗଦା ହେଉଛି । ଅମଳଠାରୁ ଅଧିକା ବିକ୍ରି ହୋଇଛି । ଅସଲି ଚାଷୀଙ୍କ ଧାନ କିଣା ଯାଇନାହିଁ । ଭୂତଚାଷୀ ଓ ମିଲରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ହୋଇଥିବା ଅଭିଯୋଗ ହୋଇଛି ।
କିଏ କହୁଛନ୍ତି ସତ? ଚାଷୀ କିନ୍ତୁ ସମସ୍ୟାରେ ଘାଣ୍ଟି ହେଉଛନ୍ତି, ମଣ୍ଡି ଦେଖିଲେ ସତ ଜଳଜଳ ଦିଶୁଛି।