କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିଲେ ବି ରାଜ୍ୟର ଦୁଇ ପ୍ରମୁଖ ମେଣ୍ଟ ଏନ୍ଡିଏ ଓ ମହାଗଠବନ୍ଧନ ଅନ୍ତରୀଣ ଆସନ ଭାଗବଣ୍ଟାରେ ଅଚଳାବସ୍ଥା ଜାରି ରହିଛି । ଏନ୍ଡିଏ ମେଣ୍ଟ ମଧ୍ୟରେ ଆସନ ଭାଗବଣ୍ଟାକୁ ଅସନ୍ତୋଷ ପ୍ରକାଶ କରି ହାମ୍ ନିର୍ବାଚନ ଲଢ଼ିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଜିତନ ରାମ ଧମକ ଦେଇଛନ୍ତି ।
ବିହାର ବିଧାନସଭା ନିର୍ବାଚନ ପାଇଁ ମହାଗଠବନ୍ଧନ ମଧ୍ୟରେ ଆସନ ବଣ୍ଟନ ସମସ୍ୟା ବଢ଼ାଇଛି। କଂଗ୍ରେସ, ଭିଆଇପି, ଜେଏମଏମ ଏବଂ ବାମଦଳ ଭଳି ଅଂଶୀଦାର ଦଳଗୁଡ଼ିକ ତେଜସ୍ୱୀ ଯାଦବଙ୍କୁ ସେମାନଙ୍କର ସର୍ତ୍ତାବଳୀ ଜଣାଇଛନ୍ତି । ଯଦିଓ ବର୍ତ୍ତମାନ ପାଟନାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସରକାରୀ ବାସଭବନ ବିହାର ରାଜନୀତିର କେନ୍ଦ୍ର ପାଲଟିଛି । ସୂଚନା ଅନୁସାରେ, ତେଜସ୍ୱୀ ଯାଦବ ମହାଗଠବନ୍ଧନ ମଧ୍ୟରେ ଆସନ ବଣ୍ଟନ ପାଇଁ ନିଜର ଫର୍ମୁଲା ପ୍ରସ୍ତୁତ କରିଛନ୍ତି । ଜାତୀୟ ଗଣମାଧ୍ୟମ ଅନୁସାରେ, ତେଜସ୍ୱୀ ଯାଦବ ଆରଜେଡି ପାଇଁ ୧୩୦ ରୁ ୧୩୫ ଆସନ ରଖିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ କଂଗ୍ରେସକୁ ୫୫ ରୁ ୫୮ ଆସନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ସୂଚନାରୁ ଜଣାପଡ଼ିଛି ଯେ କଂଗ୍ରେସ ଏବେ ବି ୬୦ ଆସନ ଦାବିରେ ଅଟଳ ରହିଛି । ଭିଆଇପି ମୁଖ୍ୟ ମୁକେଶ ସାହାନୀ ୬୦ଟି ଆସନ ଦାବି କରିପାରନ୍ତି, କିନ୍ତୁ ତେଜସ୍ୱୀ ଯାଦବ ତାଙ୍କୁ ୧୪ ରୁ ୧୮ଟି ଆସନ ଦେବାକୁ ରାଜି ହୋଇଛନ୍ତି । ତେଜସ୍ୱୀ ଯାଦବ ବାମଦଳ ଗୁଡ଼ିକୁ ୩୦ ରୁ ୩୨ ଆସନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତଥାପି, ବାମଦଳ ୬୫ ଆସନ ଦାବି କରିବାରେ ଅଟଳ ଅଛନ୍ତି । ସମସ୍ତ ଦଳର ନେତାମାନେ ଲାଲୁ ଯାଦବଙ୍କ ବାସଭବନରେ ଯିବା ଆସିବା ଜାରି ରଖିଛନ୍ତି । ତେଜସ୍ୱୀ ଯାଦବ ମହାଗଠବନ୍ଧନର ସମସ୍ତ ସହଯୋଗୀ ଦଳଗୁଡ଼ିକୁ ତାଙ୍କ ଆସନ ବଣ୍ଟନ ଫର୍ମୁଲାରେ ସହମତ କରାଇବାକୁ ରାଜି କରାଇପାରିବେ କି ନାହିଁ ତାହା ଦେଖିବା ଆକର୍ଷଣୀୟ ହେବ। ଦରକାର ପଡ଼ିଲେ ତାଙ୍କ ଦଳ ନିର୍ବାଚନ ଲଢିବ ନାହିଁ ବୋଲି ‘ହାମ୍’ର ମୁଖିଆ ତଥା କେନ୍ଦ୍ର ମନ୍ତ୍ରୀ ଜିତନ ରାମଙ୍କ ଧମକ ସୂଚାଉଛି ଏନ୍ଡିଏର ସ୍ଥିତି। ରାଜ୍ୟର ବିଧାନସଭାର ୨୪୩ ଆସନ ମଧ୍ୟରୁ ଶାସକ ମେଣ୍ଟର ବଡ଼ ସାଥୀ ବିଜେପି ଓ ଜେଡିୟୁ ଉଭୟ ୧୦୦ରୁ ୧୦୩ ଲେଖାଏଁ ଆସନ ଲଢ଼ିବେ ।
ଆସନ ବଣ୍ଟନ ସମ୍ପର୍କରେ, କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ ଗଣମାଧ୍ୟମକୁ କହିଛନ୍ତି, ମୁଁ ସ୍ପଷ୍ଟ କରିବାକୁ ଚାହୁଛି ଯେ ଆଲୋଚନା ଭଲ ଚାଲିଛି । ମୁଁ ବିଶ୍ୱାସ କରେ ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନିଆଯିବ । ଏବଂ ସୂତ୍ର ଆଧାରରେ ଚ୍ୟାନେଲଗୁଡ଼ିକରେ ଯେଉଁ ଖବର ଚାଲୁଛି ତାହା ସବୁ ଭୁଲ । ଏଲଜେପିକୁ ୨୦ରୁ ୨୫ ଆସନ, ହାମ୍କୁ ୮ ଏବଂ ଉପେନ୍ଦ୍ର କୁଶୱାଙ୍କ ଆରଏଲଏସପିକୁ ୫ରୁ ୬ ଆସନ ମିଳିବାକୁ ଆପାତତଃ ସ୍ଥିର ହୋଇଛି । ବିହାରରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଅକ୍ଟୋବର ୧୭ ହେଉଛି ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ, ହାତରେ ମାତ୍ର ୯ଦିନ ଥିବାରୁ ବହୁ ଆସନରେ ମେଣ୍ଟର ସାଥୀ ଦଳ ମଧ୍ୟରେ ଫ୍ରେଣ୍ଡଲି କନଟେଷ୍ଟ ହେବାର ସମ୍ଭାବନା ଦେଖାଦେଇଛି ।