କନକ ବ୍ୟୁରୋ: ପ୍ରକଳ୍ପ କାର୍ଯ୍ୟ ସରିଛି । ପାଇପ ଲାଇନ ମଧ୍ୟ ବିଛା ଯାଇଛି, କିନ୍ତୁ ଜଳ ଯୋଗାଣ ହେଉନାହିଁ । ସେପଟେ ଗାଁରେ ଥିବା ଏକମାତ୍ର ନଳକୂପରୁ ଗୋଳିଆ ପାଣି ବାହାରୁଛି । ଯାହା ପାନୀୟ ଅନୁପଯୋଗୀ । କିନ୍ତୁ ବିକଳ୍ପ ନଥିବାରୁ ବାଧ୍ୟ ହୋଇ ସେହି ପାଣିକୁ ବ୍ୟବହାର କରୁଛନ୍ତି ଜୟପାଟଣା ବ୍ଲକ ଗୋଡଭଞ୍ଜା ଗାଁର ୩୫ରୁ ଅଧିକ ପରିବାର । ଗାଧେଇବା ପାଇଁ ଯେଉଁ କେନାଲ ଭରସା ଥିଲା, ରବି ଚାଷ ପାଇଁ ସେଥିରେ ଜଳ ଯୋଗାଣ ବନ୍ଦ ରହିଛି । ଯାହା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ।

Advertisment


ଖାଲି ଗୋଡ଼ଭଞ୍ଜା ନୁହେଁ, ଜୟପାଟଣା ବ୍ଲକର ଅନେକ ଗାଁ ପାଣି ସମସ୍ୟାରେ ଘାଣ୍ଟି ହେଉଛି । ସୂଚନା ଅଧିକାର ଆଇନ ଦ୍ୱାରା ମିଳିଥିବା ତଥ୍ୟ ଅନୁସାରେ, ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇବା ପାଇଁ ଜୟପାଟଣା ବ୍ଲକରେ କୋଟିକୋଟି ଖର୍ଚ୍ଚ କରୁଛନ୍ତି ସରକାର । ହେଲେ ଗୋଟିଏ ବି ପ୍ରକଳ୍ପ ଠିକ ଭାବେ କାର୍ଯ୍ୟକ୍ଷମ ହୋଇନାହିଁ । ମେଗା ପାନୀୟ ଜଳ ପ୍ରକଳ୍ପ କାମ ଚାଲିଛି କହି ଖସି ଯିବାକୁ ଚେଷ୍ଟା କରୁଛନ୍ତି ଅଧିକାରୀ ।