କନକ ବ୍ୟୁରୋ : ସ୍ୱାସ୍ଥ୍ୟ ହିଁ ସମ୍ପଦ । ସବୁଠାରେ ସବୁ ଲୋକଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ସରକାରଙ୍କ କର୍ତ୍ତବ୍ୟ । ହେଲେ ରଙ୍ଗ ବଦଳା ରାଜନୀତିରେ ଫସି ଯାଇଛି ଦେବଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ପାଇଁ ୧୪୩ କୋଟି ଟଙ୍କାରେ ନିର୍ମିତ ୭ ମହଲା ବିଶିଷ୍ଟ କୋଠା । ନୂଆବାଲିରୋଇ ଠାରେ ୪୦ ଏକର ଜମିରେ ୩ ଶହ ଶଯ୍ୟା ବିଶିଷ୍ଟ କୋଠା ନିର୍ମାଣ କରି ସ୍ୱାସ୍ଥ୍ୟ ବିଭାଗକୁ ୨୦୨୪ ଏପ୍ରିଲ ମାସରୁ ହସ୍ତାନ୍ତର କରି ସାରିଛି ଠିକାସଂସ୍ଥା । ପ୍ରାୟ ବର୍ଷେ ତଳୁ କୋଠା ହସ୍ତାନ୍ତର ହୋଇଥିଲେ ମଧ୍ୟ ଲୋକାର୍ପଣ ହୋଇନାହିଁ । ସେପଟେ ଶଯ୍ୟା ଅଭାବରୁ ପୁରୁଣା ଡାକ୍ତରଖାନାରେ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି ରୋଗୀ ।
ସବୁଜ ରଙ୍ଗର ନୂଆ କୋଠାରେ ସବୁ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ରହିଛି । ଅମ୍ଲଜାନ ପ୍ଲାଣ୍ଟ, ଇଣ୍ଟିଗ୍ରେଟେଡ୍ ଲ୍ୟାବ୍, ମଲଟି ଜିମ୍, ଲାଇବ୍ରେରୀ, ବ୍ୟାଟେରୀ ଚାଳିତ ଯାନ, ଥଣ୍ଡା-ଗରମ ପାନୀୟ ଜଳ ବ୍ୟବସ୍ଥା ଭଳି ଅନ୍ୟାନ୍ୟ ସୁବିଧା। ଆମ ହସପିଟାଲ ଯୋଜନାରେ ପ୍ରାୟ ୬କୋଟି ବ୍ୟୟରେ ମେନ୍ଗେଟ୍, ରାସ୍ତା, ଶିଶୁ ଏବଂ ହର୍ବାଲ ଉଦ୍ୟାନ କରାଯାଇଛି । ୧୦ ମାସରେ ପ୍ରାୟ ୪ କୋଟିର ବିଦ୍ୟୁତ୍ ବିଲ୍ ମଧ୍ୟ ଦିଆସରିଛି । ତଥାପି ଉଦଘାଟନ ହେଉନି କି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷପ ନିଆଯାଉନଥିବା ଅଭିଯୋଗ ହୋଇଛି । ରଙ୍ଗ ବିବାଦ ଯୋଗୁଁ ଲୋକାର୍ପଣ ଅଟକିଥିବା ଚର୍ଚ୍ଚା ହେଉଛି ।
ଲୋକାର୍ପଣ ଶ୍ରେୟ ପାଇଁ ପ୍ରାଶାସନିକ ବାବୁ ଓ ରାଜନେତାଙ୍କ ଉଦ୍ୟମ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ରୋଗୀ । ରାଜନୀତିର ତାୱାରେ ସେକି ହେଉଛି ଡାକ୍ତରଖାନାର ନୂଆ କୋଠା।