କନକ ବ୍ୟୁରୋ : କିଛି ବର୍ଷ ହେଲା ବିଦେଶୀ ଭାରତ ପ୍ରତି ଆକୃଷ୍ଟ ହେଉଛନ୍ତି । ଭାରତକୁ ଏକ୍ସପ୍ଲୋର୍ କରିବା ହେଉ କି ଭାରତୀୟ ସଂସ୍କୃତିକୁ ଅତି ପାଖରୁ ଅନୁଭବ କରିବା ହେଉ ବିଦେଶରୁ ଆସୁଥିବା ଲୋକ ଭାରତରେ ହିଁ ରହିଯିବାକୁ ଇଚ୍ଛା କରନ୍ତି । ଅନେକ ବିଦେଶୀ କୃଷ୍ଣ ଭକ୍ତିର ରସ ପାନ କରି ବୃନ୍ଦାବନ,ମଥୁରା,ଦ୍ବାରିକା,ପୁରୀ,ରାମେଶ୍ବରମ୍ ଭଳି ତୀର୍ଥସ୍ଥଳୀରେ ରହିଯା’ନ୍ତି । ସାତ୍ତ୍ବିକ ଭୋଜନ ଖାଇବା ସହ ଭକ୍ତିମାର୍ଗକୁ ଜିଇଁବା ପାଇଁ ଆଗ୍ରହ ପ୍ରକାଶ କରନ୍ତି ବିଦେଶୀ । 

Advertisment
krishnaghati
krishnaghati Photograph: (Google)

ତେବେ ଆପଣ କ’ଣ ଜାଣିଛନ୍ତି କି ଭାରତୀୟ ସଂସ୍କୃତି ପ୍ରେମରେ ପଡ଼ିଥିବା ବିଦେଶୀ ବିଦେଶରେ ମଧ୍ୟ ସତ୍ୟଯୁଗର ଜୀବନଶୈଳୀ ଆପଣାଉଛନ୍ତି । ଖାଲି ଜୀବନଶୈଳୀ ନୁହେଁ ବିଦେଶରେ ଏମିତି ଏକ ଗାଁ ଅଛି ଯାହା ବୃନ୍ଦାବନର ଅନୁଭବ ଦିଏ । ଏହି ଗାଁର ନାଁ ହେଉଛି କୃଷ୍ଣଘାଟି । ହଙ୍ଗେରିର ରାଜଧାନୀ ବୁଡାପେଷ୍ଟରୁ ପାଖାପାଖି ୧୭୪ କି.ମି ଦୂରରେ ଅବସ୍ଥିତ ଏହି ଗାଁ । ଗାଁଟି ୟୁରୋପରେ ଥିବା ସତ୍ତ୍ବେ ଭାରତୀୟ ସଂସ୍କୃତି ଏବଂ ସନାତନ ପରମ୍ପରାର ଏକ ଜୀବନ୍ତ ଉଦାହରଣ ଦେଉଛି । ଏହାକୁ ‘ନବମ ବଜ୍ର ଧାମ’ ବୋଲି ମଧ୍ୟ କୁହାଯାଏ । 

europe
europe Photograph: (google)

ୟୁରୋପର ଏହି ଗାଁ ଧାର୍ମିକ ଏବଂ ସାଂସ୍କୃତିକ ଆନ୍ଦୋଳନର ଏକ ଗଡ଼ ଭଳି ପ୍ରତିତ ହୁଏ । ଏଠାରେ ବସବାସ କରୁଥିବା ଲୋକ ଭଗବତ୍ ଗୀତା , ବେଦ ଏବଂ ଉପନିଷଦକୁ ନିଜ ଦୈନନ୍ଦିନର ଜୀବନଶୈଳୀରେ ପ୍ରୟୋଗ କରନ୍ତି । ଦିନର ଆରମ୍ଭ ଧ୍ୟାନ, ଜପ ଏବଂ ଭଗବତ୍ ଭକ୍ତିରୁ ଆରମ୍ଭ ହୁଏ । ଏଠାକୁ ଆସିଲେ ଭାରତର କେଉଁ ତୀର୍ଥସ୍ଥଳକୁ ଗଲା ପରି ମନେ ହୁଏ । କୃଷ୍ଣଘାଟିରେ ଜୀବନ ଯେତିକି ସରଳ,ଏଠାକାର ବାତାବରଣ ସେତେ ଗଭୀର । ଆଧୁନିକ ଧାଁଦୌଡ଼ରୁ ଦୂରରେ ରହି ଏଠାକାର ଲୋକ ପ୍ରକୃତି ଏବଂ ଆଧ୍ୟାତ୍ମର ମାର୍ଗରେ ଚାଲିଥା’ନ୍ତି । ମୋବାଇଲ୍ , ଇଣ୍ଟରନେଟ୍ ଏବଂ ଅନ୍ୟ ଟେକ୍ନୋଲୋଜିର ଫାଶରେ ନ ବାନ୍ଧି ହୋଇ ଏଠାକାର ଲୋକ ପ୍ରକୃତି ଏବଂ ପରିବାରକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି । 

ବେଶ ପରିପାଟିର ଯଦି କଥା କହିବା କୃଷ୍ଣଘାଟିର ସ୍ତ୍ରୀ ଲୋକ ଶାଢ଼ି ଏବଂ ପୁରୁଷ ଧୋତି , କୁର୍ତ୍ତା ପିନ୍ଧିଥା’ନ୍ତି । ଏଠାକାର ଲୋକ ଚାଷକାମ କରି ଗୁଜୁରାଣ ମେଣ୍ଟାନ୍ତି । କିନ୍ତୁ କ୍ଷେତରେ ଟ୍ରାକ୍ଟର ଏବଂ ମେସିନ୍ ବଦଳରେ ଏମାନେ ବଳଦର ବ୍ୟବହାର କରିବା ସହ ରାସାୟନିକ ସାର ବଦଳରେ ଜୈବିକ ସାରର ବ୍ୟବହାର କରିଥା’ନ୍ତି । ଏଠାକାର ବିଦ୍ୟାର୍ଥୀଙ୍କୁ ସଂସ୍କୃତ, ବେଦ,ଗୀତା, ଉପନିଷଦ ଭଳି ପାରମ୍ପରିକ ଜ୍ଞାନ ସହିତ ଗଣିତ, ବିଜ୍ଞାନ, ଭାଷା ଏବଂ ଟେକ୍ନୋଲୋଜି ଶିକ୍ଷା ମଧ୍ୟ ଦିଆଯାଇଥାଏ । ଏହି ସନ୍ତୁଳନ ଦ୍ବାରା ବିଦ୍ୟାର୍ଥୀ ଆଧ୍ୟାତ୍ମିକ ରୂପରେ ସମୃଦ୍ଧ ଏବଂ ବ୍ୟାବହାରିକ ରୂପରେ ସକ୍ଷମ ହୋଇଥା’ନ୍ତି । ଗାଁରେ ବିଜୁଳି ଉତ୍ପାଦନ ପାଇଁ ସୌରଶକ୍ତିର ବ୍ୟବହାର କରାଯାଏ । ରୋଷେଇ କରିବାଠାରୁ ନେଇ ଚାଷ କାମ,ଜଳ ସଂରକ୍ଷଣ ସବୁରେ ସୌରଶକ୍ତିର ବ୍ୟବହାର କରାଯାଏ । ଏହି ଗାଁ ଆୟୁର୍ବେଦକୁ ମଧ୍ୟ ମହତ୍ତ୍ବ ଦେଇଥାଏ । ଯେଉଁଠାରେ ଚେରମୂଳି,ଯୋଗ ଏବଂ ଧ୍ୟାନ ଜରିଆରେ ରୋଗୀଙ୍କ ରୋଗ ଠିକ୍ କରାଯାଏ । ତେବେ ବିଦେଶର ଏମିତି ଏକ ଗାଁ ଏବେ ସାରା ବିଶ୍ବରେ ଚର୍ଚ୍ଚାର ପରିସରକୁ ଆସିଛି । 

Europoe
Europoe Photograph: (Google)
krishna-valley
krishna-valley Photograph: (Google)