କନକ ବ୍ୟୁରୋ : ଦର୍ଶକ ବନ୍ଧୁ ଏହି କିଛିିଦିନ ହେବ ଦେଶରେ ଇ-୨୦ ଇନ୍ଧନକୁ ନେଇ ଦେଶରେ ବେଶ୍ ଚର୍ଚ୍ଚା ହେଉଛି । କିଛି ବାଇକ୍ ଓ କାର ମାଲିକ ଅଭିଯୋଗ ଆଣୁଛନ୍ତି କି, ଇ-୨୦ ଇନ୍ଧନ କାରଣରୁ ସେମାନଙ୍କ ବାଇକ ବା କାରର ମାଇଲେଜ୍ କମୁଛି । ଏନେଇ ମାମଲା ସୁପ୍ରିମକୋର୍ଟରେ ପହଂଚିଛି । ଆଉ ଏହି ମାମଲାର ଶୁଣାଣି ସେପ୍ଟେମ୍ବର ପହିଲାରେ ହେବ ।
୨୦୨୩ ମସିହାରେ ଭାରତରେ ଇ-୨୦ ଇନ୍ଧନ ଲଂଚ୍ ହୋଇଥିଲା । କାରଣ ଦର୍ଶାଯାଇଥିଲା କି, ଏହି ଇନ୍ଧନ ଦ୍ୱାରା ପରିବେଶ ପ୍ରଦୂଷଣ କମ୍ ହେବ ଓ ପେଟ୍ରୋଲର ଦାମ ବି କମିଯିବ । ଏନେଇ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ପ୍ରତି ଲିଟର ପେଟ୍ରୋଲରେ ୨୦ ପ୍ରତିଶତ ଇଥନଲ ମିଶାଇବାର ଲକ୍ଷ୍ୟ ୨୦୩୦ ସୁଦ୍ଧା ପୂରଣ ହେବ ବୋଲି କହିଥିଲେ । ହେଲେ ତାହା ୨୦୨୫ ସୁଦ୍ଧା ପୂରଣ ହୋଇସାରିଛି । ହେଲେ ପୁରୁଣା ନନ୍ ଇ-୨୦ କମ୍ପେଟିବଲ ବାହନରେ ଏହି ତେଲକୁ ପକାଇବା ନେଇ ଗାଡି ମାଲିକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ସେପଟେ କିଛି ଗାଡି ନିର୍ମାତା କମ୍ପାନିମାନେ ଏନେଇ ତୈଳ ମନ୍ତ୍ରଣାଳୟକୁ ଚିଠି ଲେଖି ଜଣାଇଛନ୍ତି କି, ସେମାନେ ତିଆରି କରୁଥିବା ଗାଡିର ଇଂଜିନ ଇଥନଲ ମିଶା ତେଲ ପାଇଁ ଉପଯୁକ୍ତ ନୁହେଁ ।
ଗାଡି ନିର୍ମାତାଙ୍କ ଅଭିଯୋଗ, ଗାଡ଼ି ମାଲିକଙ୍କ ଅସନ୍ତୋଷକୁ ଦେଖି ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଂଚିଛି । ଏନେଇ ଆଡଭୋକେଟ ଅକ୍ଷୟ ମାଲହୋତ୍ରା ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଏହି ମାମଲାର ଶୁଣାଣି ସେପ୍ଟେମ୍ବର ପହିଲାରେ ହେବ । ମୁଖ୍ୟ ବିଚାରପତି ବିଆର ଗୱାଇଙ୍କ ବେଞ୍ଚ୍, ଯେଉଁଥିରେ ଜଷ୍ଟିସ ବିନୋଦ ଚନ୍ଦନ ଓ ଏନବି ଅଅଞ୍ଜାରିଆ ବି ସାମିଲ ଅଛନ୍ତି । ଏହି ମାମଲାର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ପ୍ରତି ପେଟ୍ରୋଲ ପମ୍ପରେ ବିନା ଇଥନଲ ମିଶା ଇନ୍ଧନ ଯୋଗାଇ ଦିଆଯାଉ, ଓ ଇନ୍ଧନରେ କେତେ ପ୍ରତିଶତ ଇଥନଲ ମିଶୁଛି ତାହା ସ୍ପଷ୍ଟ ଭାବେ ପେଟ୍ରୋଲ ପମ୍ପରେ ଲେଖାଯାଉ ।
ଏହି ବିବାଦ ବଢିବା ପରେ ଭାରତ ସରକାର ଲଗାତର ଭାବେ ଏହା ଉପରେ ସ୍ପଷ୍ଟିକରଣ ଦେଉଛନ୍ତି । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଜାରି କରି କହିଛି କି, ଇଥନଲର ଏନର୍ଜି ଡେନସିଟି ପେଟ୍ରୋଲ ଠାରୁ କମ୍ । ଏହି କାରଣରୁ ଏହା ମାଇଲେଜ ଉପରେ ହାଲକା ପ୍ରଭାବ ପକାଇବ । ଇ-୧୦ ଓ ଇ-୨୦ କୋଲାବରେଟ କରାଯାଇଥିବା କାର ଉପରେ ଏହାର ପ୍ରଭାବ ୧ ରୁ ୨ ପ୍ରତିଶତ ପଡିବ । ବାକି ଗାଡିଗୁଡିକ ଉପରେ ଏହାର ପ୍ରଭାବ ୩ ରୁ ୬ ପ୍ରତିଶତ ପର୍ଯ୍ୟନ୍ତ ପଡିବ ।
ହେଲେ ଏବେ ଆସିବା ମୁଖ୍ୟ ପ୍ରସଙ୍ଗକୁ । ସରକାର ଯେତେବେଳେ ପେଟ୍ରୋଲରେ ଇଥନଲ ମିଶାଇ ବିକ୍ରି କରିବାକୁ ଯୋଜନା କରିଥିଲେ ଏହା ଦ୍ୱାରା ଅନେକ ଲାଭ ହେବ ବୋଲି କୁହାଯାଇଥିଲା । ପ୍ରଥମ ତ ପ୍ରଦୂଷଣ କମିବ, ଦ୍ୱିତୀୟରେ ସାଧାରଣ ପେଟ୍ରୋଲ ଠାରୁ ଇଥନଲ ମିଶା ପେଟ୍ରୋଲର ଦାମ ଶସ୍ତା ହେବ । ଏହାସହ ପ୍ରଚୁର ବୈଦେଶିକ ମୁଦ୍ରା ଦେଇ ବିଦେଶରୁ କିଣାଯାଉଥିବା ତୈଳର ପରିମାଣ କମିବା ଫଳରେ ରାଜକୋଷକୁ ଲାଭ ହେବ । ସେପଟେ ଭାରତରେ ଇଥନଲ ପ୍ରସ୍ତୁତ ହେବା ଦ୍ୱାରା ଆଖୁ ଓ ମକା ଚାଷୀ ଲାଭବାନ ହେବେ ବୋଲି କୁହାଯାଇଥିଲା । କାରଣ ଇଥନଲ ପ୍ରସ୍ତୁତରେ ଆଖୁ ଓ ମକା ବ୍ୟବହାର କରାଯାଇଥାଏ । ହେଲେ ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଆମ ଗାଡ଼ି ଇଂଜିନ କ'ଣ ୨୦ ପ୍ରତିଶତ ଇଥନଲ ମିଶା ପେଟ୍ରୋଲ ପାଇଁ ପ୍ରସ୍ତୁତ କି ? ଯଦି ନୁହେଁ ସରକାର ପେଟ୍ରୋଲରେ ୨୦ ପ୍ରତିଶତ ଇଥନଲ ମିଶାଇବା ପୂର୍ବରୁ ଗାଡି ନିର୍ମାତା କମ୍ପାନି ସହ ଆଲୋଚନା କରିଥିଲେ କି ? ଯଦି ନୁହେଁ ତେବେ କାହା ସ୍ୱାର୍ଥରେ ସରକାର ଗାଡ଼ି ମାଲିକଙ୍କୁ ଲୁଟୁଛନ୍ତି ?