କନକ ବ୍ୟୁରୋ: ଘରୋଇ କମ୍ପାନିରେ କିମ୍ବା ଚୁକ୍ତିଭିତ୍ତିକ କାମ କରୁଥିବା ପ୍ରାୟ ଅଧିକାଂଶ କର୍ମଚାରୀଙ୍କ EPFO ଆକାଉଣ୍ଟ ରହିଥିବ ନିଶ୍ଚୟ । ଏହା ଏକ ସରକାରୀ ଭବିଷ୍ୟନିଧି । ଏହାଛଡ଼ା କର୍ମଚାରୀଙ୍କ ଅଚାନକ ଆବଶ୍ୟକତା ହେଲେ ମଧ୍ୟ ଏଥିରୁ ଟଙ୍କା ଉଠାଇ ନିଜ କାମରେ ଲଗାଇ ପାରିବେ । କିନ୍ତୁ ଅନେକ ସମୟରେ ଏଥିରୁ ଟଙ୍କା କାଢ଼ିବା ମୁସ୍କିଲ ହୋଇଯାଇଥାଏ । କାରଣ ଟଙ୍କା ପାଇଁ ଆବେଦନ କରିବା ପରେ ତୁରନ୍ତ ଟଙ୍କା ଆସିନଥାଏ । ଆକାଉଣ୍ଟରେ ଟଙ୍କା କ୍ରେଡିଟ୍ ହେବାକୁ ଅନେକ ଦିନ ଲାଗିଯାଏ । ଯାହାକୁ ନେଇ ଏମରଜେନ୍ସି ବେଳେ ଚିନ୍ତାରେ ପଡ଼ି ଯାଆନ୍ତି ଲୋକେ । ବର୍ତ୍ତମାନ ଏହି ପ୍ରକ୍ରିୟାକୁ ଆହୁରି ସହଜ ଓ ତ୍ୱରିତ କରିବାକୁ ପ୍ରସ୍ତୁତି କରୁଛନ୍ତି EPFO କର୍ତ୍ତୃପକ୍ଷ ।
ଦେଶର କୋଟିକୋଟି କର୍ମଚାରୀଙ୍କ ପାଇଁ PF ଖାତାରୁ ଟଙ୍କା ଉଠାଇବା ଏବେ ସହଜ ହେବ । ଚଳିତ ବର୍ଷ ଏଥିରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି । କର୍ମଚାରୀ ଭବିଷ୍ୟନିଧି ସଂଗଠନ ଖୁବ୍ଶୀଘ୍ର EPFO 3.0 ପ୍ଲାଟଫର୍ମ ଲଞ୍ଚ କରିବାକୁ ଯାଉଛି । କର୍ମଚାରୀମାନେ ନିଜ ଖାତାରୁ ଟଙ୍କା ଉଠାଇବା ପାଇଁ ଅନଲାଇନ୍ ଆବେଦନ କରନ୍ତି । କିନ୍ତୁ ଏଥିରେ ସମୟ ଲାଗିଯାଏ ।
EPFO 3.0 ଆସିଲେ ସହିତ କର୍ମଚାରୀଙ୍କ ପାଇଁ PF ଉଠାଇବା ପ୍ରକ୍ରିୟା ଖୁବ୍ ସରଳ ହେବ । ଏଥିରେ କର୍ମଚାରୀମାନେ ନିଜର UAN ନମ୍ବରକୁ ଆଧାର ସହିତ ଲିଙ୍କ୍ କରିବା ପରେ ATMରୁ ସିଧାସଳଖ ଟଙ୍କା ଉଠାଇ ପାରିବେ । ଏଥିପାଇଁ EPFO ତରଫରୁ ଏକ ଅଲଗା ATM କାର୍ଡ ଜାରି କରାଯିବ । ଯାହାକୁ EPFO WithDrawal Card କୁହାଯିବ ।
ଏହି କାର୍ଡ ବ୍ୟାଙ୍କ ATM କାର୍ଡ ପରି କାମ କରିବ ଏବଂ ସିଧାସଳଖ PF ଆକାଉଣ୍ଟ୍ ସହିତ ଲିଙ୍କ୍ ହେବ । ଅର୍ଥାତ୍, ଯେମିତି ସାଧାରଣତଃ ଆମେ ATMରୁ ଟଙ୍କା ଉଠାନ୍ତି । ସେହିପରି ଏହି କାର୍ଡରୁ ମଧ୍ୟ ସହଜରେ ଟଙ୍କା ଉଠାଇ ପାରିବେ । ଏହା ବ୍ୟତୀତ ଯଦି କେହି UPIରୁ ଟଙ୍କା ଉଠାଇବାକୁ ଚାହାନ୍ତି, ତେବେ ସେ ନିଜର UPI ଆକାଉଣ୍ଟକୁ PF ଖାତା ସହିତ ଲିଙ୍କ୍ କରି ଟଙ୍କା ଉଠାଇ ପାରିବେ । ତେଣୁ ଏଥର ଲୋକଙ୍କ EPFOରୁ ଟଙ୍କା ଉଠାଇବା ଟେନ୍ସନ୍ ଯିବ । ନିଜ ଟଙ୍କା ଅତି ସହଜରେ ଓ ସରଳ ଉପାୟରେ ଉଠାଇବା ସହ କାମରେ ଲଗାଇପାରିବେ ବୋଲି ଆଲୋଚନା ହେଉଛି ।