କନକ ବ୍ୟୁରୋ: ଦୀପାବଳି ପୂର୍ବରୁ ଅଫିସ୍‌ କର୍ମଚାରୀଙ୍କୁ ଖୁସି ଖବର ଦେଇପାରନ୍ତି ସରକାର । କାରଣ ଆସନ୍ତା ମାସରେ କର୍ମଚାରୀ ବଭିଷ୍ୟନିଧି ସଂଗଠନ ବା EPFOର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକ ବସିବ । EPF ଆକାଉଣ୍ଟଧାରୀଙ୍କୁ ଏଥର ୧୫୦୦ ଟଙ୍କା ଅଧିକ ଦେଇପାରନ୍ତି ସରକାର । ଏହାକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଖୁବଶୀଘ୍ର ନିଆଯିବ ବୋଲି କୁହାଯାଉଛି । ଖୋଦ କେନ୍ଦ୍ର ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହି  ସୂଚନା ଦେଇଛନ୍ତି । ଏହାଦ୍ୱାରା ଦେଶର କର୍ପୋରେଟେ ସେକ୍ଟରରେ କାମ କରୁଥିବା ୮ କୋଟି କର୍ମଚାରୀ ଲାଭ ପାଇବେ । ଖାଲି ସେତିକି ନୁହେଁ ଆଗାମୀ ଦିନରେ EPF ଆକାଉଣ୍ଟଧାରୀ ଅନ୍ୟାନ୍ୟ ସୁବିଧା ବି ପାଇବେ ବୋଲି ରିପୋର୍ଟ ଆସୁଛି । କିନ୍ତୁ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଆନୁଷ୍ଠାନିକ ଘୋଷଣା କରିବା ବାକି ରହିଛି । 

Advertisment

ଆକ୍ଟିଭ୍‌ ରହିଥିବା EPFO ଆକାଉଣ୍ଟଧାରୀମାନେ ଏକ ନିର୍ଦ୍ଦିଷ୍ଟ ସମୟରେ ଚାକିରି ଛାଡ଼ିବା ପରେ୧୦୦୦ ଟଙ୍କା ପେନ୍‌ସନ୍‌ ପାଉଥିଲେ । ବର୍ତ୍ତମାନ ଏହି ରାଶିକୁ ୫୦୦ରୁ ୧୫୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର । ଯାହାଫଳରେ କର୍ପୋରେଟ କର୍ମଚାରୀ ବା ଚୁକ୍ତି ଭିତ୍ତିକ କର୍ମଚାରୀମାନେ ଅଧିକରୁ ଅଧିକ ମାସିକ ପେନ୍‌ସନ୍‌ ଭାବରେ ୨୫୦୦ ଟଙ୍କା ଲେଖାଏଁ ପାଇପାରିବେ । ଏହାକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବାକୁ ଅଛି । ନିଜେ କେନ୍ଦ୍ରମନ୍ତ୍ରୀ ଏହାକୁ ନେଇ ଆଲୋଚନା କରିବା ପରେ କର୍ପୋରେଟ୍‌ କର୍ମଚାରୀଙ୍କ ମଧ୍ୟରେ ଆଶାର ସଞ୍ଚାର ହୋଇଛି । 


ଏହାଛଡ଼ା EPFO ଖୁବଶୀଘ୍ର ଏହାର ଡିଜିଟାଲ ସେବାର ତୃତୀୟ ସଂସ୍କରଣ ଆରମ୍ଭ କରିବ । ଯାହାଦ୍ୱାରା ଅନେକ ସୁବିଧା ପାଇବେ କର୍ମଚାରୀ । ଫଳରେ EPFO ଟଙ୍କା ସିଧା ଏଟିଏମ୍ କାର୍ଡ ମାଧ୍ୟମରେ ଉଠାଇ ପାରିବେ ଲୋକେ । ଡିଜିଟାଲ ମାଧ୍ୟମରେ EPFO ପାସ୍‌ବୁକ୍‌ ଅପଡେଟ୍‌ ବି କରିହେବ । ଟଙ୍କା ପାଇଁ ଆବେଦନ କରିବା ପରେ ଶୀଘ୍ର ପ୍ରକ୍ରିୟାକରଣ ବା ପ୍ରୋସେସ୍‌ କରିବା ଆଦି ସୁବିଧା ମିଳିବ । EPFO ସଦସ୍ୟମାନେ UANକୁ ଆକ୍ଟିଭ କରିବା ସହ ଆଧାର କାର୍ଡ ଲିଙ୍କ୍‌ କରିବାକୁ ହେବ । ଏହାଫଳରେ ସଦସ୍ୟମାନଙ୍କୁ EPFOର ସ୍ୱତନ୍ତ୍ର ଏଟିଏମ୍‌ କାର୍ଡ ମିଳିପାରିବ । ଖାଲି ସେତିକି ନୁହେଁ ୟୁପିଆଇ ସଂଯୋଗ କରିବା ପରେ ୟୁପିଆଇରୁ ଟଙ୍କା ଉଠାଇପାରିବେ ।  


ଦେଶରେ ଦରଦାମ ବୃଦ୍ଧା ପାଇବାରେ ଲାଗିଛି । ତେଣୁ ଜୀବନ ବିତାଇବା ଲାଗି ୧୦୦୦ ଟଙ୍କା ପେନ୍‌ସନ୍‌ରେ ଅତ୍ୟନ୍ତ କମ୍‌ ବୋଲି ବିଚାର କରୁଛନ୍ତି ସରକାର । କେତେକ ସରକାରୀ ଯୋଜନାରେ ଏହାଠାରୁ ଅଧିକ ଭତ୍ତା ପାଉଛନ୍ତି ହିତାଧିକାରୀ । ତେଣୁ EPFO ପେନ୍‌ସନ୍‌ ବୃଦ୍ଧି କରାଗଲେ ଅନେକ ସଦସ୍ୟ ବୃଦ୍ଧାବସ୍ଥାରେ ନିଜର ଔଷଧ ଭଳି ଜରୁରୀ ଖର୍ଚ୍ଚ ପୂରଣ କରିପାରିବେ ।