କନକ ବ୍ୟୁରୋ : ଉନ୍ନତ ଜ୍ଞାନ କୌଶଳରେ ପରିବେଶ ନିୟନ୍ତ୍ରିତ କୁକୁଡ଼ା ଫାର୍ମ କରିଛନ୍ତି ନବରଙ୍ଗପୁର ତେନ୍ତୁଳିଖୁଂଟି ବ୍ଲକ ସଲପା ଗାଁର ଝରଣା ଦାସ୍ ମହାପାତ୍ର । ପାରମ୍ପରିକ ଫାର୍ମ ଅପେକ୍ଷା ପରିବେଶ ନିୟନ୍ତ୍ରିତ କୁକୁଡ଼ା ଫାର୍ମରୁ ତାଙ୍କୁ ଆଧିକ ଲାଭ ମିଳୁଛି । ପରିବେଶ ପ୍ରଦୂଷଣ ମଧ୍ୟ କମୁଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୧ କୋଟି ୪୭ ଲକ୍ଷ ଟଙ୍କାର ବ୍ୟୟରେ ଏହି ଫାର୍ମ ନିର୍ମାଣ କରିଛନ୍ତି ଝରଣା । ଏଥିରେ ତାଙ୍କୁ ୫୦ ପ୍ରତିଶତ ସବସିଡ଼ି ମିଳିଛି । ସେ ତାଙ୍କ ଫାର୍ମରେ ୨୨ ହଜାର କୁକୁଡ଼ା ଅଛନ୍ତି । ନିଜେ ରୋଜଗାର କରିବା ସହ କିଛି ଯୁବକଙ୍କୁ ସେ କର୍ମ ସଂସ୍ଥାନ ଯୋଗାଇ ଦେଇଛନ୍ତି ।
ବଜାରରେ କୁକୁଡ଼ା ମାଂସର ଚାହିଦା ଥିବାରୁ ସେ ଏହାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିଛନ୍ତି । ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟ ଆନ୍ଧ୍ର, ଛତିଶଗଡ଼ର ଚାହିଦା ମେଣ୍ଟାଉଛନ୍ତି । ଫାର୍ମଟି ଶୀତ ତାପ ନିୟନ୍ତ୍ରିତ କୋଠରିରେ ହୋଇଛି । ତାପମାତ୍ରା ସହ ଆଦ୍ରତା ନିୟନ୍ତ୍ରଣ ପାଇଁ ସମସ୍ତ ବୈଷୟିକ ବ୍ୟବସ୍ଥା କରାଯାଇଛି । କୁକୁଡ଼ା ଚିଆଁ ଗୁଡିକ ୩୫ ରୁ ୪୫ଦିନ ମଧ୍ୟରେ ୨ ରୁ ୩ କେଜି ମାଂସଳ ହେବା ପରେ ବିକ୍ରି ଯୋଗ୍ୟ ହୋଇଥାଏ । ବର୍ଷକ ଭିତରେ ୭ଟି ପର୍ଯ୍ୟାୟରେ କୁକୁଡ଼ା ବିକ୍ରି କରାଯାଏ। ଏହି କାମରେ ତାଙ୍କୁ ତାଙ୍କ ଉଚ୍ଚ ଶିକ୍ଷିତ ପୁଅ ସହଯୋଗର ହାତ ବଢ଼ାଇଛନ୍ତି । ମା'ଙ୍କ ସହିତ ମିଶି ଫାର୍ମର ପରିଚାଳନା ଦାୟିତ୍ୱ ନେଇଛନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ ଗାଁର ୧୮ ଜଣଙ୍କୁ ରୋଜଗାର ଦେଇଛନ୍ତି।
କୁକୁଡ଼ା ଚିଆଁ, ବଢ଼ିବା, ତଦାରଖ ଓ ବିକ୍ରି ପାଇଁ ଇଣ୍ଡିଆନ ବ୍ରଏଲର କମ୍ପାନୀ ସହ ଚୁକ୍ତି ହୋଇଛି । ଆଗାମୀ ୯ ବର୍ଷ ପର୍ୟ୍ୟନ୍ତ କୁକୁଡ଼ା ବିକ୍ରି କରିବାରେ ତାଙ୍କର ଚିନ୍ତା ନଥିବା ସେ କହିଛନ୍ତି ।