କନକ ବ୍ୟୁରୋ : ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟରେ ଧର୍ମପଦର ବଳିଦାନ ଏବେ ବି ଉଜ୍ଜୀବିତ ରହିଛି । ଏଭଳି ସୌନ୍ଦର୍ଯ୍ୟ ଓ କଳା ଭାସ୍କର୍ଯ୍ୟ ବୁଲିବାକୁ ଆସୁଥିବା ଦେଶବିଦେଶର ହଜାର ହଜାର ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ପ୍ରବେଶ ପଥରେ ଯାତାୟାତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ପର୍ଯ୍ୟଟକ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସୂର୍ଯ୍ୟ ମନ୍ଦିର ପ୍ରବେଶ ପଥକୁ ଦୀର୍ଘବର୍ଷ ଧରି ଅବରୋଧ କରିବା ଯୋଗୁ ଏଭଳି ସମସ୍ୟା ଉପୁଜିଥିବା ଦେଖିବାକୁ ମିଳିଛି ।

Advertisment

କୋଣାର୍କ ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ଏଠି ପ୍ରତିଦିନ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ । ହେଲେ ସୂର୍ଯ୍ୟମନ୍ଦିର ପ୍ରବେଶ ପଥ ସଂକୁଚିତ ହେବାକୁ ନେଇ ଅସନ୍ତୁଷ୍ଟ ପର୍ଯ୍ୟଟକ । ରାସ୍ତାକଡ଼ରେ ପସରା ମେଲାଇ ବସୁଛନ୍ତି ବ୍ୟବସାୟୀ । ଫଳରେ ଯାତାୟାତରେ ଅସୁବିଧା ହେଉଛି । ତଥାପି ପର୍ଯ୍ୟଟନ ବିଭାଗ, ଏଏସ୍‌ଆଇ କି ଜିଲ୍ଲା ପ୍ରଶାସନ ନଜର ନଦେବା ସମସ୍ତଙ୍କୁ ବ୍ୟଥିତ କରୁଛି । ବ୍ୟବସାୟୀମାନଙ୍କୁ ଥଇଥାନ ନକରି ବାରମ୍ବାର ଉଚ୍ଛେଦ କରିବା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି ।

ରାସ୍ତା ଉପରେ ଦୋକାନ ଖୋଲିଛନ୍ତି ପ୍ରାୟ ପାଞ୍ଚ ଶହ ବ୍ୟବସାୟୀ । ପୂର୍ବରୁ ଦୋକାନୀଙ୍କୁ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଜିଲ୍ଲା ପ୍ରଶାସନ । କିନ୍ତୁ ଭୁଲିଗଲେ, କିଛି କଲେ ନାହିଁ । ତେଣୁ ପେଟପାଟଣା ପାଇଁ ରାସ୍ତା ଉପରେ ବସୁଥିବା କ୍ଷୋଭର ସହିତ କହିଛନ୍ତି ବ୍ୟବସାୟୀ ।