କନକବ୍ୟୁରୋ : ମା’ ଆସିବେ । ସେଥିପାଇଁ ସଜବାଜ ହେଉଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର । ପୂଜା କମିଟି ତରଫରୁ ବିଭିନ୍ନ ପ୍ରକାରର ତୋରଣ ପ୍ରସ୍ତୁତ କରାଯାଉଛି । ସନ୍ଧ୍ୟାରେ ଓଲିଉଡ୍ କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନୋରଞ୍ଜନକୁ ଦ୍ବିଗୁଣିତ କରିବ ବୋଲି ଆଶା ରଖାଯାଇଛି ।
ଝିପିଝିପି ବର୍ଷା ଚାଲିଛି । ଆଉ ଏହାରି ଭିତରେ ବାରିପଦାରେ ମା’ଙ୍କ ଆଗମନକୁ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି କାରିଗର । ଭିନ୍ନଭିନ୍ନ ଧରଣ ତୋରଣ ପ୍ରସ୍ତୁତି ଚାଲିଛି ।
ତୁଳସୀ ଚଉରା ପୂଜା କମିଟି ଏଥର ୪୧ ତମ ଦୁର୍ଗା ପୂଜା ଆୟୋଜନ କରୁଛନ୍ତି । ଅଯୋଧ୍ୟା ରାମ ମନ୍ଦିର ସଦୃଶ ସୁଉଚ୍ଚ ତୋରଣ ସହ ହାସ୍ୟ ଅଭିନେତା ପପୁ ପମପମଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଯୋଜନା ରଖିଛନ୍ତି । ସେହିପରି କଲିକତା ସ୍ଥିତ ଭିକ୍ଟୋରିଆ ମେମୋରିଆଲ ହଲ୍ ପ୍ରତିକୃତି ତୋରଣ ପ୍ରସ୍ତୁତ କରୁଛି ପାଲବଣି ପୂଜା କମିଟି । ଦର୍ଶକଙ୍କ ମନୋରଞ୍ଜନ ପାଇଁ ଓଲିଉଡର ନାମୀଦାମୀ କଣ୍ଠଶିଳ୍ପୀ ଦ୍ୱାରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
କିଏ କେତେ ସୁନ୍ଦର ତୋରଣ କରିବ ତାକୁ ନେଇ ସହରର ବିଭିନ୍ନ ପୂଜା କମିଟି ଭିତରେ ଚାଲିଛି ପ୍ରତିଯୋଗିତା । ହେଲେ ବର୍ଷା ଯୋଗୁଁ କାମରେ ବିଳମ୍ବ ଘଟୁଥିବା କହିଛନ୍ତି ଆୟୋଜକ ।