କନକ ବ୍ୟୁରୋ: ଆଦିବାସୀ ଗାଁକୁ ପକ୍କା ରାସ୍ତା ନାହିଁ। ପାହାଡ଼ ଜଙ୍ଗଲ ମଧ୍ୟରେ ମାଟି ରାସ୍ତାରେ ଚାଲିଚାଲି ଯିବା ଆସିବା କରିବାକୁ ପଡ଼େ। ତେଣୁ ଘର ପାଖକୁ ଆସିପାରିଲାନି ଜନନୀ ଏକ୍ସପ୍ରେସ। ଚାଲିଚାଲି ଆମ୍ବୁଲାନ୍ସ ପାଖକୁ ଯାଉଥିଲେ ଗର୍ଭବତୀ। ହେଲେ ପହଂଚି ପାରିଲେ ନାହିଁ। ଅଧିକ ଯନ୍ତ୍ରଣା ହେବା ସହ ଅଧରାସ୍ତାରେ ଜଙ୍ଗଲ ମଝିରେ ଶିଶୁପୁତ୍ର ଜନ୍ମ ଦେଇଛନ୍ତି ଜଣେ ମାଆ। ସୋସିଆଲ ମିଡିଆରେ ଘୁରି ବୁଲୁଛି ସରକାରୀ ବ୍ୟବସ୍ଥାକୁ ପ୍ରଶ୍ନ କରିବା ଭଳି ଭିଡ଼ିଓ।
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ଝରାପାଳ ଗାଁର ଏହି ଘଟଣା । ଗାଁର ପଦ୍ମିନୀ ମୁଣ୍ଡା ପ୍ରସବ ବେଦନାରେ ଛଟପଟ ହେଉଥିଲେ। ଗାଁର କାଦୁଅ ପଚପଚ ରାସ୍ତା ଡେଇଁ ପହଞ୍ଚି ପାରିଲାନି ଜନନୀ ଏକ୍ସପ୍ରେସ। ବାଧ୍ୟ ହୋଇ ପରିବାର ଲୋକ ପଦ୍ମିନୀଙ୍କୁ ଚଲାଇ ଚଲାଇ ଓ କାନ୍ଧରେ ବୋହି ଆମ୍ବୁଲାନ୍ସ ପାଖକୁ ନେଉଥିଲେ। ୨ କିଲୋମିଟର ଯିବା ପରେ ଜଙ୍ଗଲ ମଝିରେ ପ୍ରସବ କରିଛନ୍ତି ପଦ୍ମିନୀ।
ଆଉ କେତେ ବର୍ଷ ଲାଗି ରହିବ ଏଭଳି ଅବ୍ୟବସ୍ଥା। କେବେ ସବୁ ଗାଁକୁ ଯୋଡ଼ିବ ପକ୍କାରାସ୍ତା? କେବେ ଜନନୀ ଏକ୍ସପ୍ରେସରେ ଡାକ୍ତରଖାନାରେ ପହଂଚିପାରିବେ ଜନନୀ? ରାଜ୍ୟର କେଉଁଠି ଅଟକିଛି ବିକାଶ? ଭାଇରାଲ ହେଉଥିବା ଏହି ଦୃଶ୍ୟକୁ ଦେଖିବା ପରେ ଏମିତି ଅନେକ ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଛି।
Follow Us