କନକ ବ୍ୟୁରୋ: ଆଇସିସି ମେନ୍ସ ଟି-୨୦ ବିଶ୍ୱକପ୍ ୨୦୨୬ର ଦ୍ୱିତୀୟ ସେମିଫାଇନାଲ ଆଜି ମୁମ୍ବାଇର ପ୍ରସିଦ୍ଧ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି । ଏହି ହାଇ-ଭୋଲଟେଜ୍ ମ୍ୟାଚରେ ଭାରତ ଓ ଇଂଲଣ୍ଡ ପରସ୍ପରକୁ ସାମ୍ନା କରୁଛନ୍ତି । ଟସ୍ ଜିତି ଇଂଲଣ୍ଡ ଦଳର ଅଧିନାୟକ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାର ଅର୍ଥ ହେଉଛି ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ ।

Advertisment

ବିଶ୍ୱକପ୍ ଇତିହାସରେ ଏହା କ୍ରମାଗତ ତୃତୀୟ ଥର ପାଇଁ ଭାରତ ଏବଂ ଇଂଲଣ୍ଡ ସେମିଫାଇନାଲରେ ମୁହାଁମୁହିଁ ହେଉଛନ୍ତି । ୨୦୨୨ରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିବା ବେଳେ ୨୦୨୪ ସେମିଫାଇନାଲରେ ଭାରତ ଇଂଲଣ୍ଡକୁ ହରାଇ ପ୍ରତିଶୋଧ ନେଇଥିଲା । ଆଜିର ମ୍ୟାଚରେ ଯିଏ ବିଜୟୀ ହେବ, ସେ ମାର୍ଚ୍ଚ ୮ ତାରିଖରେ ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ। ନ୍ୟୁଜିଲାଣ୍ଡ ପୂର୍ବରୁ ହିଁ ଫାଇନାଲରେ ନିଜ ସ୍ଥାନ ପକ୍କା କରିସାରିଛି।

ଆହୁରି ପଢ଼ନ୍ତୁ... ନ୍ୟୁଜିଲାଣ୍ଡର 'ଫିନ୍' ଝଡ଼: ଭାଙ୍ଗିଲା ଗେଲ୍‌ଙ୍କ ରେକର୍ଡ, ପଛରେ ପଡ଼ିଲେ ରୋହିତ...

ଟି-୨୦ ବିଶ୍ୱକପରେ ଏପର୍ଯ୍ୟନ୍ତ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ଭାରତ ୩-୨ରେ ଆଗୁଆ ରହିଛି। ସେହିପରି ସମୁଦାୟ ଟି-୨୦ ଅନ୍ତର୍ଜାତୀୟ ରେକର୍ଡ ଦେଖିଲେ, ୨୯ଟି ମ୍ୟାଚରୁ ଭାରତ ୧୭ଟି ଜିତିଥିବା ବେଳେ ଇଂଲଣ୍ଡ ୧୨ଟିରେ ବିଜୟୀ ହୋଇଛି।

ଭାରତୀୟ ଦଳ ଆଜି କୌଣସି ପରିବର୍ତ୍ତନ ନକରି ପୁରୁଣା ବିଜୟୀ ଦଳ ସହ ପଡ଼ିଆକୁ ଓହ୍ଲାଇଛି । ଅନ୍ୟପଟେ ଇଂଲଣ୍ଡ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ସ୍ପିନର ରେହାନ ଅହମ୍ମଦଙ୍କ ସ୍ଥାନରେ ଜେମି ଓଭରଟନଙ୍କୁ ସୁଯୋଗ ମିଳିଛି।

ଭାରତ:ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟ କିପର), ଇଶାନ କିଷାନ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜସପ୍ରୀତ ବୁମରା, ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ।

ଇଂଲଣ୍ଡ:ଫିଲ୍ ସଲ୍ଟ, ଜୋସ୍ ବଟଲର (ୱିକେଟ କିପର), ହ୍ୟାରି ବ୍ରୁକ୍ (ଅଧିନାୟକ), ଜାକବ ବେଥେଲ, ଟମ୍ ବାଣ୍ଟନ, ସାମ କରନ, ୱିଲ ଜ୍ୟାକ୍ସ, ଜେମି ଓଭରଟନ, ଲିଆମ ଡସନ, ଜୋଫ୍ରା ଆର୍ଚ୍ଚର, ଆଦିଲ ରସିଦ।