କନକ ବ୍ୟୁରୋ: ଇଂଲଣ୍ଡ ସମ୍ମୁଖରେ ୬୦୮ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ଅଧିନାୟକ ଶୁବମନ ଗିଲଙ୍କ ଧୂଆଁଧାର ୧୬୧ ରନ୍ ଏବଂ ରାହୁଲ, ଜାଡେଜା ଓ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ଦ୍ବିତୀୟ ଇନିଂସରେ ୪୨୭ ରନ୍ କରିବା ସହ ପାଳି ଘୋଷଣା କରିଥିଲା । ଏହାସହ ପ୍ରଥମ ଇନିଂସରେ ୧୮୦ ରନର ଅଗ୍ରଣୀ ନେଇଥିବା ଭାରତ, ଦ୍ବିତୀୟ ଇନିଂସ ଶେଷ ସୁଦ୍ଧା ୬୦୮ ରନର ବିଜୟଲକ୍ଷ୍ୟ ଦେଇଛି। ଏହି ମ୍ୟାଚରେ ପ୍ରଥମ ଇନିଂସରେ ଦ୍ବିଶତକ ଓ ଦ୍ବିତୀୟ ଇନିଂସରେ ଶତକ ହାସଲ କରିଥିବା ଶୁବମନ ଗିଲ ଅନେକ ନୂଆ ରେକର୍ଡ ନିଜ ନାଁରେ କରିଛନ୍ତି । ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଛନ୍ତି ଶୁବମନ । ଦ୍ବିତୀୟ ଭାରତୀୟ ଭାବେ ଟେଷ୍ଟ ମ୍ୟାଚରେ ଉଭୟ ଇନିଂସରେ ଦ୍ବିଶତକ ଓ ଶତକ ହାସଲ କରିଛନ୍ତି । ଗାଭାସ୍କର ଏପ୍ରିଲ ୧୯୭୧ ମସିହାରେ ୱେଷ୍ଟଇଣ୍ଡିଜ ବିରୋଧରେ ଉଭୟ ଇନିଂସରେ ୩୪୪ ରନ କରିଥିଲେ ।
ଶୁବମନ ଉଭୟ ଇନିଂସରେ ୪୩୦ ରନ୍ ସଂଗ୍ରହ କରିଛନ୍ତି। ଗୋଟିଏ ଟେଷ୍ଟ ମ୍ୟାଚରେ ଅଧିକ ରନ ସ୍କୋର କରିଥିବା ଭାରତୀୟ ଅଧିନାୟକ ସାଜିଛନ୍ତି ଶୁବମନ । ବିରାଟ କୋହଲିଙ୍କୁ ପଛରେ ପକାଇ ଏହି ରେକର୍ଡର ସେ ଅଧିକାରୀ ହୋଇଛନ୍ତି । ଏହାପୁର୍ବରୁ କୋହଲି ଶ୍ରୀଲଙ୍କା ବିପକ୍ଷ ଉଭୟ ଇନିଂସରେ ୨୯୩ ରନ୍ କରିଥିଲେ। ଏସିଆ ବାହାରେ କୌଣସି ଟେଷ୍ଟ ମ୍ୟାଚରେ ୩୫୦ରୁ ଅଧିକ ରନ କରିଥିବା ଦ୍ବିତୀୟ ଖେଳାଳି ହୋଇଛନ୍ତି ଶୁବମନ ଗିଲ୍ । ଏହାପୂର୍ବରୁ ହନିଫ ମହମ୍ମଦ ୧୯୫୮ରେ ୱେଷ୍ଟଇଣ୍ଡିଜ ବିରୋଧରେ ବ୍ରିଜଟାଉନ ଟେଷ୍ଟରେ ୩୫୪ ରନ କରିଥିଲେ । ଏବେ ଶୁବମନ ହନିଫଙ୍କ ରେକର୍ଡ ମଧ୍ୟ ଭାଙ୍ଗି ସାରିଛନ୍ତି । ଦ୍ବିତୀୟ ଇନିଂସ ଆରମ୍ଭରୁ ଇଂଲଣ୍ଡକୁ ଝଟକା ଲାଗିଛି ।