କନକ ବ୍ୟୁରୋ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଛି ୫ ଟିକିଆ ଟେଷ୍ଟ ସିରିଜ୍‌ । ଲର୍ଡସ ଟେଷ୍ଟ୍‌ରେ ଭାରତର ପରାଜୟ ପରେ ସିରିଜ୍‌ରେ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି । ପ୍ରଥମ ଟେଷ୍ଟ୍‌ରେ ଦମ୍‌ଦାର ବ୍ୟାଟିଂ ସତ୍ତ୍ୱେ ହାରିଯାଇଥିଲା ଟିମ୍‌ ଇଣ୍ଡିଆ । ଏହାପରେ ଦ୍ୱିତୀୟ ଟେଷ୍ଟ୍‌ରେ କମ୍‌ବ୍ୟାକ୍‌ କରି ଟିମ୍‌ ଇଣ୍ଡିଆ ବିଜୟ ହାସଲ କରିଥିଲା । କିନ୍ତୁ ତୃତୀୟ ଟେଷ୍ଟ୍‌ରେ ଜିତିବାକୁ ଥିବା ମ୍ୟାଚ୍‌କୁ ହାରି ଯାଇଥିଲା ଭାରତ । ଏହାପରେ କରୁଣ ନାୟର ଓ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଉଠୁଛି ଅନେକ ପ୍ରଶ୍ନ ।

Advertisment

କରୁଣଙ୍କୁ ଆଉ କେତେ ସୁଯୋଗ ?

୫ ଟିକିଆ ଟେଷ୍ଟ ମ୍ୟାଚ୍‌ ସିରିଜରେ ୩ଟି ମ୍ୟାଚ୍‌ ଶେଷ ହେଲାଣି । କରୁଣ ନାୟାରଙ୍କ ବ୍ୟାଟ୍ କେବେ କରିବ କମାଲ? ବାରମ୍ବାର ବିଫଳ ହେବା ପରେ ଆରମ୍ଭ ହେଲାଣି ସମାଲୋଚନା । ଟିମ୍ ଇଣ୍ଡିଆ ପାଇଁ ଖେଳିବା ପ୍ରତିଟି ଖେଳାଳୀଙ୍କ ସ୍ୱପ୍ନ ଥାଏ । କିନ୍ତୁ ସମସ୍ତଙ୍କୁ ଏ ସୁଯୋଗ ମିଳେନି । ଆଉ ଯେଉଁମାନେ ସୁଯୋଗ ପାଇ ବି ବିଫଳ ହେଉଛନ୍ତି, ସମାଲୋଚନାର ଶିକାର ତ ନିଶ୍ଚୟ ହେବେ । ୮ ବର୍ଷ ପରେ ଟିମ୍ ଇଣ୍ଡିଆକୁ କମବ୍ୟାକ୍ କରିଛନ୍ତି କରୁଣ । ଇଂଲଣ୍ଡ ଗସ୍ତ ପାଇଁ ଯେତେବେଳେ କରୁଣଙ୍କ ନାଁ ଚୟନ ହୋଇଥିଲା, ତାଙ୍କଠୁ ବହୁତ କିଛି ଆଶା ରଖିଥିଲେ ସବୁ କ୍ରିକେଟପ୍ରେମୀ । ପ୍ରଥମ ଏବଂ ଦ୍ୱିତୀୟ ଟେଷ୍ଟରେ ନିରାଶ କରିବା ପରେ ଲର୍ଡସରେ ମଧ୍ୟ ଦୁଇଟି ଯାକ ଇନିଂସରେ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି କରୁଣ ।

୨୦୧୬ରେ ଟେଷ୍ଟ କ୍ରିକେଟରେ ତ୍ରିଶତକ ହାସଲ କରିଥିବା କରୁଣ, ଏହି ସିରିଜର ଗୋଟିଏ ଇନିଂସରେ ମଧ୍ୟ ୫୦ ରନ୍ ଛୁଇଁପାରିନାହାନ୍ତି । ନଜର ପକାନ୍ତୁ ଇଂଲଣ୍ଡ ଗସ୍ତରେ କେମିତି ରହିଛି କରୁଣଙ୍କ ପ୍ରଦର୍ଶନ । ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନକୁ ଫେରିଯାଇଥିଲେ କରୁଣ । ଦ୍ୱିତୀୟ ଇନିଂସରେ ମାତ୍ର ୨୦ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ଦ୍ୱିତୀୟ ଟେଷ୍ଟର ଦୁଇଟି ଇନିଂସରେ ଯଥାକ୍ରମେ ୩୧ରନ୍ ଓ ୨୬ରନ୍ କରିଥିଲେ । ଲର୍ଡସ ଟେଷ୍ଟରେ ପ୍ରଥମ ଇନିଂସରେ ୪୦ରନ୍ କରିଥିବାବେଳେ ଦ୍ୱିତୀୟ ଇନିଂସରେ ମାତ୍ର ୧୪ ରନ୍ କରି ଆଉଟ୍ ହୋଇଥିଲେ କରୁଣ ନାଏର । ୩ଟେଷ୍ଟରେ ୬ଟି ଇନିଂସରୁ ମାତ୍ର ୧୩୧ ରନ୍ କରିଛନ୍ତି କରୁଣ ନାଏର ।

ଗମ୍ଭୀରଙ୍କ ପାଇଁ ଟେଷ୍ଟ କଣ୍ଟା ! 

ଗୌତମ ଗମ୍ଭୀର ଟିମ୍‌ ଇଣ୍ଡିଆର ଦାୟିତ୍ୱ ନେବା ପରେ ଦଳରେ ଅନେକ ଅପ୍ରତ୍ୟାଶିତ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗମ୍ଭୀରଙ୍କୁ ଦାୟିତ୍ୱ ନେବା ପରେ ଭାରତୀୟ ଦଳ ଟେଷ୍ଟ କ୍ରିକେଟ୍‌ କୌଣସି ଆଖି ଦୃଶିଆ ପ୍ରଦର୍ଶନ କରିପାରିନାହିଁ । ସେ ବର୍ଡର-ଗାଭାସ୍କର ଟ୍ରଫି ହେଉ କି ତେନ୍ଦୁଲକର-ଆଣ୍ଡରସନ ଟ୍ରଫି । ସବୁ ସିରିଜ୍‌ରେ ଫେଲ୍‌ ମାରିଛି ଟିମ୍‌ ଇଣ୍ଡିଆ । ବର୍ଡର ଗାଭାସ୍କର ଟ୍ରଫି ଟିମ୍‌ ଇଣ୍ଡିଆ ଆଖି ଦୃଶିଆ ପ୍ରଦର୍ଶନ କରିପାରିନଥିଲା । ଫଳରେ ଏହି ସିରିଜ୍‌ ୩-୧ରେ ହାରି ଯାଇଥିଲା ଟିମ୍‌ ଇଣ୍ଡିଆ । ଏହାପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ସିରିଜ ଉପରେ ବି ସମସ୍ତଙ୍କ ନଜର ରହିଥିଲା । ହେଲେ ଏହି ସିରିଜ୍‌ରେ ଘରୋଇ ମୈଦାନ୍‌ରେ ପ୍ରଥମ ଥର ପାଇଁ ହ୍ୱାଇଟ୍‌ ୱାସ୍‌ର ଶିକାର ହେଲା ଭାରତ । କାରଣ ୩ଟି ଯାକ ମ୍ୟାଚ୍‌ ହାରିଯାଇଥିଲା ଟିମ୍‌ ଇଣ୍ଡିଆ । ୪୫ ବର୍ଷରେ ପ୍ରଥମ ଥର ପାଇଁ ଘରୋଇ ପଡ଼ିଆରେ ହ୍ୱାଇଟ୍‌ ୱାସ୍‌ର ଶିକାର ହୋଇଥିଲା । ଏହି ପରାଜୟ ସହ ଭାରତର ଟେଷ୍ଟ ଚାମ୍ପିୟନ୍‌ସିପ୍‌ ଖେଳିବା ସ୍ୱପ୍ନ ମଧ୍ୟ ଧୂଳିସାତ୍‌ ହୋଇଯାଇଥିଲା ।

ଭାରତ ୨୦୨୪ରେ ଜିତିନି ଗୋଟିଏ ବି ଦିନିକିଆ

ଏହାଛଡ଼ା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ ପରେ କୋହଲି ଓ ରୋହିତ ଶର୍ମାଙ୍କ ଉପରେ ସଭିଁଙ୍କ ନଜର ରହିଥିଲା । ହେଲେ ଅପ୍ରତ୍ୟାଶିତ ଭାବେ ଟେଷ୍ଟରୁ ଉଭୟ ଅବସର ନେଇ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଗୌତମ ଗମ୍ଭୀର ଟିମ୍‌ର ମୁଖ୍ୟ କୋଚ୍‌ ଥିବାରୁ ଫ୍ୟାନ୍ସ ଉଭୟଙ୍କ ଅବସର ପାଇଁ ଗମ୍ଭୀଙ୍କୁ ହିଁ ଦାୟୀ କରିଥିଲେ । ଖାଲି ଟେଷ୍ଟ୍‌ ନୁହେଁ, ଗୌତମ ଗମ୍ଭୀର କୋଚ୍‌ ଦାୟିତ୍ୱ ନେବାପରେ ଦିନିକିଆରେ ବି ଭାରତୀୟ ଦଳ ସଂଘର୍ଷ କରିବା ଆରମ୍ଭ କରିଛି ଗତ ୨୦୨୪ରେ ଗୋଟିଏ ବି ଦିନିକିଆ ମ୍ୟାଚ୍‌ ଜିତି ପାରିନଥିଲା ଟିମ୍‌ ଇଣ୍ଡିଆ । ୨୪ ବର୍ଷରେ ପ୍ରଥମ ଥର ପାଇଁ ଶ୍ରୀଲଙ୍କା ଠାରୁ ଦିନିକିଆ ସିରିଜ୍‌ରେ ପରାଜିତ ହୋଇଥିଲା ।

କେମିତି କମ୍‌ବ୍ୟାକ୍‌ କରିବ ଭାରତ ?

ଏବେ ତେନ୍ଦୁଲକର-ଆଣ୍ଡରସନ ସିରିଜରେ ଟିମ୍‌ ଇଣ୍ଡିଆର ପ୍ରଦର୍ଶନ ଏତେଟା ଆଖି ଦୃଶିଆ ନାହିଁ । ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଭଲ ପ୍ରଦର୍ଶନ କରିଥିଲେ । ହେଲେ ଫିଲ୍ଡିଂ ନିରାଶାଜନକ ରହିଥିଲା । ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଭଲ ପ୍ରଦର୍ଶନ କରିପାରିନି । ଫଳରେ ଜିତିବାକୁ ଥିବା ଲର୍ଡସ ଟେଷ୍ଟ ମ୍ୟାଚ୍‌ରେ ଭାରତକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା । ଆଉ ଗୋଟିଏ ମ୍ୟାଚ୍‌ ଇଂଲଣ୍ଡ ଜିତିଲେ ଭାରତ ହାତରୁ ସିରିଜ ଖସିଯିବ । ଏହାପରେ ଗୌତମ ଗମ୍ଭୀରଙ୍କୁ ପ୍ରଶ୍ନ କରିପାରେ ବିସିସିଆଇ । କାରଣ ଗମ୍ଭୀର ଆସିବା ପରେ ନିଜ ମନ ପସନ୍ଦ କୋଚିଂ ଟିମ୍‌ ଗଢ଼ିଛନ୍ତି । ସବୁ ସର୍ତ୍ତକୁ ମାନିଥିଲା ବିସିସିଆଇ । ଏଣୁ ଆଗାମୀ ଦୁଇଟି ମ୍ୟାଚ୍‌ ଟିମ୍‌ ଇଣ୍ଡିଆକୁ ଜିତାଇବାକୁ ପୂରା ଜୋର୍‌ ଲଗାଇବେ ଗୌତମ ଗମ୍ଭୀର ।