କନକ ବ୍ୟୁରୋ: ୨୭ ବର୍ଷ ପରେ ଇଂଲଣ୍ଡ ମାଟିରେ ଏକ ଦ୍ୱି ପାକ୍ଷିକ ଦିନିକିଆ ଶୃଙ୍ଖଳା ଜିତି ଇତିହାସ ରଚିଛି ଦକ୍ଷିଣ ଆଫ୍ରିକା । ଗୁରୁବାର ରାତିରେ ଲର୍ଡସରେ ଖେଳାଯାଇଥିବା ରୋମାଞ୍ଚକ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୫ ରନ୍ରେ ବିଜୟ ସହ ତେମ୍ବା ବଭୂମାଙ୍କ ଦଳ ଏହି ପ୍ରତୀକ୍ଷିତ ସଫଳତା ଅର୍ଜନ କରିଛି । ଶେଷ ଥର ପାଇଁ ୧୯୯୮ରେ ଇଂଲଣ୍ଡରେ ଦକ୍ଷିଣ ଆଫ୍ରିକା ଏକ ଦିନିକିଆ ଶୃଙ୍ଖଳା ଜିତିଥିଲା । ଏହା ପରଠାରୁ ୪ ଥର ୨୦୦୮, ୨୦୧୨, ୨୦୧୭ ଓ ୨୦୨୨ରେ ଦିନିକିଆ ଶୃଙ୍ଖଳା ଖେଳି ପରାଜିତ ହୋଇଥିଲା । ଅନ୍ୟପକ୍ଷରେ ୨୦୨୩ ଦିନିକିଆ ବିଶ୍ୱକପ୍ ପରଠାରୁ ସଂଘର୍ଷ କରୁଥିବା ଇଂଲଣ୍ଡ ଘରୋଇ ମାଟିରେ ବି ଏଭଳି ପରାଜୟ ବରଣ କରି ଚାପରେ ରହିଛି ।
ଗୁରୁବାର ରାତିରେ ଲର୍ଡସରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୮ ୱିକେଟ୍ ହରାଇ ୩୩୦ ରନ୍ କରିଥିଲା । ମାଥ୍ୟୁ ବ୍ରିଜ୍କେ (୮୫), ତ୍ରିଷ୍ଟନ୍ ଷ୍ଟବ୍ସ (୫୮), ଏଡେନ ମାରକ୍ରମ (୪୯)ଙ୍କ ପାଳି ଦଳକୁ ଏହି ସ୍କୋର୍ ଦେଇଥିଲା । ଜୋଫ୍ରା ଆର୍ଚର୍ ୪ ଏବଂ ଆଦିଲ୍ ରସିଦ୍ ୨ ୱିକେଟ୍ ଅକ୍ତିଆର କରିଥିଲେ। ଜବାବରେ ଜୋ ରୁଟ୍ (୬୧) ଓ ଜୋସ୍ ବଟଲର୍ (୬୧)ଙ୍କ ଅର୍ଦ୍ଧଶତକ ପାଳି ସତ୍ତ୍ବେ ଇଂଲଣ୍ଡ ୩୨୫/୯ରେ ସୀମିତ ରହିଯାଇଥିଲା । ନାଣ୍ଡ୍ରେ ବର୍ଜର ୩ ଓ କେଶବ ମହାରାଜ ୨ ୱିକେଟ୍ ନେବା ନିର୍ଣ୍ଣାୟକ ହୋଇଥିଲା । ଏଥି ସହ ଭାରତ ନାମରେ ଥିବା ଲର୍ଡସ ପଶ୍ଚାତ୍ଧାବନ ରେକର୍ଡ ଅତୁଟ ରହିଥିଲା । ୨୦୦୨ ମସିହାରେ ୩୨୬/୮ ସ୍କୋର୍ କରି ଇଂଲଣ୍ଡକୁ ଭାରତ ରୋମାଞ୍ଚକ ଭାବେ ପରାସ୍ତ କରିବା ସହ ନ୍ୟାଟ୍ୱେଷ୍ଟ୍ ଟ୍ରଫି ଜିତିଥିଲା । ୨୫ ବର୍ଷ ପରେ ଦକ୍ଷିଣ ଆଫ୍ରିକା ମଧ୍ୟ ସବୁଠାରୁ ସ୍ବଳ୍ପ ରନ୍ ବ୍ୟବଧାନ ବିଜୟ ପାଇଛି । ୨୦୦୦ରେ କେପ୍ ଟାଉନ୍ରେ ଇଂଲଣ୍ଡ୍କୁ ୧ ରନ୍ରେ ହରାଇଥିଲା । ଚଳିତ ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକା ୨-୦ରେ ଅପରାଜେୟ ଲିଡ୍ ନେବା ପରେ ରବିବାର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ ।
ଦିନିକିଆ କ୍ରିକେଟ୍କୁ ଆସିବା ପରଠାରୁ ସ୍ୱପ୍ନର ଯାତ୍ରାରେ ରହିଛନ୍ତି ଦକ୍ଷିଣ ଆଫ୍ରିକା ବ୍ୟାଟର୍ ମାଥ୍ୟୁ ବ୍ରିଜ୍କେ । ନିଜ ପ୍ରଥମ ୫ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ରେ ସେ ୫୦ରୁ ଅଧିକ ସ୍କୋର୍ କରି ନୂଆ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ସେ ନିଜ ପ୍ରଥମ ୫ ପାଳିରେ ଯଥାକ୍ରମେ ୧୫୦, ୮୩, ୫୭, ୮୮, ୮୫ ରନ୍ କରିଛନ୍ତି । ପୂର୍ବରୁ ଏହି ବିଶ୍ୱ ରେକର୍ଡ ଭାରତର ନବଜୋତ ସିଂହ ସିଦ୍ଧୁ (୧୯୮୭ ବିଶ୍ବକପ୍, ୪ ଥର ୫୦+ ସ୍କୋର୍)ଙ୍କ ନାମରେ ଥିଲା । ନିଜର ଏହି ଫର୍ମକୁ ନେଇ ବ୍ରିଜ୍କେ ମଜାରେ କହିଛନ୍ତି ‘ସ୍ୱତନ୍ତ୍ର ଆରମ୍ଭ’ । ମାତ୍ର ୧୫ ରନ୍ ପାଇଁ ଗୁରୁବାର ରାତିରେ ଶତକରୁ ବଞ୍ଚିତ ହେବା ସହିତ ଲର୍ଡସ ସମ୍ମାନରୁ ବଞ୍ଚିତ ହୋଇଥିଲେ ମଧ୍ୟ ଏହି ଚମତ୍କାର ଫର୍ମ ଜାରି ରଖିବେ ବୋଲି ଆଶା ପ୍ରକଟ କରିଛନ୍ତି ।
୨୭ ବର୍ଷର ସଂଘର୍ଷ ପରେ ସଫଳତା, ଇଂଲଣ୍ଡରେ ଦିନିକିଆ ସିରିଜ୍ ଜିତିଲା ଦକ୍ଷିଣ ଆଫ୍ରିକା
ଲର୍ଡସରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୮ ୱିକେଟ୍ ହରାଇ ୩୩୦ ରନ୍ କରିଥିଲା । ଟାର୍ଗେଟ୍ ହାସଲ କରିପାରିଲାନି ଇଂଲଣ୍ଡ ଦଳ । ଶେଷ ଥର ପାଇଁ ୧୯୯୮ରେ ଇଂଲଣ୍ଡରେ ଦକ୍ଷିଣ ଆଫ୍ରିକା ଏକ ଦିନିକିଆ ଶୃଙ୍ଖଳା ଜିତିଥିଲା । ଏହା ପରଠାରୁ ୪ ଥର ୨୦୦୮, ୨୦୧୨, ୨୦୧୭ ଓ ୨୦୨୨ରେ ଦିନିକିଆ ଶୃଙ୍ଖଳା ଖେଳି ପରାଜିତ ହୋଇଥିଲା ।
/kanak/media/media_files/2025/09/06/sa-vs-eng-2025-09-06-10-37-17.jpg)