କନକ ବ୍ୟୁରୋ: ସ୍ତ୍ରୀ ନାଁରେ ଆଉ ଥରେ କଳଙ୍କ ବୋଳିଲା ଭଳି ଖବର । ଏଭଳି ଏକ ଦୁଃଖ ଘଟଣା ଘଟିଛି ଉତ୍ତରପ୍ରଦେଶ ଇଟାୱା ଜିଲ୍ଲାରେ । ସ୍ତ୍ରୀ ଓ ଶ୍ବଶୁର ଘର ଲୋକଙ୍କ ନିର୍ଯାତନା ସହିନପାରି ଆତ୍ମହତ୍ୟା କରିଛନ୍ତି ଜଣେ ଇଞ୍ଜିନିୟର ।
ସୂଚନା ଅନୁସାରେ, ଉତ୍ତରପ୍ରଦେଶ ଇଟାୱା ଜିଲ୍ଲା ଔରେୟା ଜନପଦ ଦିବିୟାପୁର ବାସିନ୍ଦା ମୋହନ ଯାଦବ । ଏକ ସିମେଣ୍ଟ କାରଖାନାରେ ଫିଲ୍ଡ ଇଞ୍ଜିନୟର ଭାବେ କାମ କରୁଥିଲେ । ଛୋଟ ପରିବାର । ୭ ବର୍ଷ ଧରି ଭଲପାଉଥିବା ଝିଅ ପ୍ରିୟା ଯାଦବଙ୍କୁ ବିବାହ କଲେ। କିଛି ଦିନ ଖୁବ ଖୁସିରେ ଚାଲିଲା ବୈବାହିକ ଜୀବନ । ପତ୍ନୀ ପ୍ରିୟାଙ୍କ ପଢିବା, କମ୍ପିଟିଟିଭ୍ ପରୀକ୍ଷା ପାଇଁ ସବୁ ଖର୍ଚ୍ଚ ମଧ୍ୟ କଲେ । ବିବାହର ବର୍ଷକ ପରେ ବିହାର ସମସ୍ତିପୁରରେ ସରକାରୀ ଶିକ୍ଷକ ଭାବେ ନିଯୁକ୍ତି ପାଇଲେ ପ୍ରିୟା । ଆଉ ତା ପରେ ପରେ ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖାଗଲା । ନିଜ ସ୍ବାମୀଙ୍କୁ ଅଣଦେଖା କରିବାକୁ ଲାଗିଲେ । ନିଜ ମା’ ଓ ବାପଘର ଲୋକଙ୍କ କଥାରେ ପଡି ନିଜ ଗର୍ଭପାତ କରାଇବା ସହ ସ୍ବାମୀଙ୍କୁ ଖରାପ ବ୍ୟବହାର କରିବାକୁ ଲଗିଲେ ।
ଘର ଲୋକାଙ୍କ କଥାରେ ପଡି ସ୍ବାମୀଙ୍କୁ, ନିଜ ନାଁରେ ଜମି ଓ ଅନ୍ୟ ସମ୍ପତ୍ତି କରିଦେବାକୁ ଜିଦି ଧରିଲେ । ଏଭଳି ନକଲେ ତାଙ୍କ ବିରୋଧରେ ଓ ତାଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା କେସ୍ କରିବାକୁ ଭୟ ଦେଖାଇଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହେବାକୁ ଲାଗିଲା । ଆଉ ଏହାର କିଛି ଦିନ ପରେ ଏକ ହୋଟେଲ ରୁମରୁ ମୋହନଙ୍କ ମୃତ ଶରୀର ମିଳିଲା । ତାଙ୍କ ପାଖରୁ ମିଳିଲା ମୋବାଇଲ । ଏହାକୁ ଯାଞ୍ଚ କରୁକରୁ ପୋଲିସ ପାଇଲା ସତ । ମୋହନ ଆତ୍ମହତ୍ୟା କରିଥିବା ଜଣାପଡିଲା । ଆତ୍ମହତ୍ୟା କରିବା ପୂର୍ବରୁ ମୋହନ ଏକ ଭିଡିଓ କରିଥିଲେ । ଯେଉଁଥିରେ ସେ ନିଜ ଆତ୍ମହତ୍ୟାର କାରଣ ପତ୍ନୀ ପ୍ରିୟା ଓ ଶ୍ବଶୁର ଘରଲୋକଙ୍କୁ ଦାୟି କରିଥିଲେ । ଭିଡିଓରେ କହିଥିଲେ, ’ ପତ୍ନୀଙ୍କ ନିର୍ଯାତନା , କଟୁ କଥା ଆଉ ସହିହେଉନି । ହେଲେ ପୁରୁଷଙ୍କ ପାଇଁ ତ ନ୍ୟାୟ ନାହିଁ । ଯଦି ତାଙ୍କୁ ମୃତ୍ୟୁ ପରେ ବି ନ୍ୟାୟ ନମିଳେ ତାହେଲେ ତାଙ୍କ ଅସ୍ଥିକୁ ନାଳରେ ଭସାଇଦେବ’ । ଭିଡିଓରେ ଏଭଳି ଅନୁରୋଧ କରିଥିଲେ ମୋହନ । ଆତ୍ମହତ୍ୟା କରିବା ପୂର୍ବରୁ ନିଜ ମା’ ଓ ଭାଇଙ୍କୁ କ୍ଷମା କରିଦେବାକୁ ଅନୁନୟ ହୋଇଛନ୍ତି ମୋହନ। ପୋଲିସ ମୋହନଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।