କନକ ବ୍ୟୁରୋ: ଭିଜିଲାନ୍ସ ପରେ ଘାଣ୍ଟିବ ଇଡି । ଭିଜିଲାନ୍ସ ଜାଲରେ ପଡ଼ିଥିବା ଯନ୍ତ୍ରୀଙ୍କୁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୋତା ଧନର ରହସ୍ୟ ଖୋଳି ବାହାର କରାଯିବ । କୋଟି କୋଟି ଟଙ୍କା ସମ୍ପତି ଠୁଳର ରହସ୍ୟ ଖୋଜି ବାହାର କରିବ । ୪ ମାସ ମଧ୍ୟରେ ଭିଜିଲାନ୍ସ ଜାଲରେ ପଡ଼ିଥିବା ସମସ୍ତ ଯନ୍ତ୍ରୀଙ୍କ ତଥ୍ୟ ଇଡିକୁ ଦେଲା ରାଜ୍ୟ ଭିଜିଲାନ୍ସ । ଖୁବ ଶୀଘ୍ର କୋଟିପତି ଯନ୍ତ୍ରୀଙ୍କୁ ସମନ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ଦୁର୍ନୀତିଖୋର ସରକାରୀ ବାବୁଙ୍କ ଘରେ ପଶି ଚଢ଼ାଉ କରିଥିଲା ଭିଜିଲାନ୍ସ । ଏବେ ସେହି ଯନ୍ତ୍ରୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଶି ଅଧିକ ଖୋଳତାଡ଼ କରିବ । ଜୁନ୍ ୧୨ରୁ ଅକ୍ଟୋବର ୨୬ ମଧ୍ୟରେ ୧୨୩ଜଣଙ୍କ ବିରୋଧରେ ୮୮ଟି ଅପରାଧିକ ମାମଲା ରୁଜୁ ହୋଇଛି । ଏମାନଙ୍କ ଭିତରେ ଅଛନ୍ତି ୨୪ଜଣ କ୍ଲାସ ୱାନ ଅଫିସର, ୧୨ଜଣ କ୍ଲାସ ଟୁ ଅଫିସର, ୫୪ଜଣ ତୃତୀୟ ଶ୍ରେଣୀ କର୍ମଚାରୀ ରହିଛନ୍ତି । ଏହାସହ ୭ଜଣ ଅନ୍ୟାନ୍ୟ ସରକାରୀ କର୍ମଚାରୀ ରହିଥିବା ବେଳେ ଅନ୍ୟ ୨୬ଜଣଙ୍କ ବିରୋଧରେ ବି ମାମଲା ହୋଇଛି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୨୯ଜଣ ସରକାରୀ କର୍ମଚାରୀ ଓ ଅନ୍ୟ ୧୭ଜଣବ୍ୟକ୍ତିଙ୍କ ବିରୋଧରେ ୨୬ଟି ମାମଲା ରୁଜୁ ହୋଇଛି । ଏମାନଙ୍କ ମଧ୍ୟରେ ୧୫ଜଣ କ୍ଲାସ ୱାନ ଅଫିସର, ୬ଜଣ କ୍ଲାସ ଟୁ ଅଫିସର ଓ ୬ଜଣ ତୃତୀୟ ଶ୍ରେଣୀ କର୍ମଚାରୀ ଓ ଅନ୍ୟ ୨ଜଣ ରହିଛନ୍ତି । ରୁଜୁ ହୋଇଥିବା ୨୬ଟି ମାମଲାରେ ମୋଟ୍ ୭୭ କୋଟି ୨୮ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି ।