SCB Medical College Photograph: (Kanak News)
କନକ ବ୍ୟୁରୋ : କଟକ ବଡ଼ ମେଡିକାଲରେ କଲବଲ କରୁଛି ଧାଡି ଯନ୍ତ୍ରଣା । ଆଉଟ୍ଡୋରରେ ଟିକେଟ୍, ଡକ୍ଟର ଦେଖେଇବା, ଅଲ୍ଟ୍ରାସାଉଣ୍ଡ, ସିଟି ସ୍କାନ୍, ଆହାର କେନ୍ଦ୍ର, ରକ୍ତ ପରୀକ୍ଷା ପରେ ରିପୋର୍ଟ ଆଣିବା, ସବୁଠି ଲମ୍ବୁଛି ଧାଡ଼ି । ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ମିଳୁଛି ଚିକିତ୍ସା ସେବା । ସ୍ଥିତି ଏମିତି ହୋଇଛି ଯେ, ରୋଗୀଙ୍କ ସାଥିରେ ଡାକ୍ତରଖାନା ଆସୁଥିବା ସଂପର୍କୀୟ ଏଠି ରୋଗୀଣା ପାଲଟିଯିବାର ଭୟ ରହିଛି ।
କଟକ ବଡ଼ ମେଡିକାଲ । ଗ୍ରାମାଞ୍ଚଳ ରୋଗୀଙ୍କ ଭରସାର କେନ୍ଦ୍ର । ରାଜ୍ୟର ସବୁଠାରୁ ବଡ଼ ଡାକ୍ତରଖାନା । ଯେଉଁଠିକୁ ଗଲେ କମ୍ ଖର୍ଚ୍ଚରେ ଉତ୍ତମ ଚିକିତ୍ସା ମିଳିବ ବୋଲି ଆଶା । ହେଲେ ଏବେ ଏଠି ରୋଗୀ ଏବଂ ରୋଗୀଙ୍କ ସଂପର୍କୀୟଙ୍କୁ ଭୋଗିବାକୁ ପଡ଼ୁଛି ଧାଡ଼ି ଯନ୍ତ୍ରଣା । ଯୁଆଡ଼େ ଚାହିଁବେ, ସିଆଡ଼େ ଲମ୍ବିଛି ଧାଡ଼ି । ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରହୁଛନ୍ତି ରୋଗୀଙ୍କ ସମ୍ପର୍କୀୟ ଓ ରୋଗୀ । ପାଳି ପଡ଼ିଲେ ଡାକ୍ତର ଦେଖାଇବେ, ସେଇ ଆଶାରେ ପଡ଼ି ରହୁଛନ୍ତି ।
ପ୍ରତିଦିନ ଶହଶହ ରୋଗୀ ଏସ୍ସିବି ବଡ଼ ଡାକ୍ତରଖାନାକୁ ଛୁଟି ଆସନ୍ତି । ଆଉ ଏଠି ପହଞ୍ଚିବା ପରେ ରୋଗ ଯନ୍ତ୍ରଣାକୁ ବଳିଯାଏ ଧାଡ଼ି ଯନ୍ତ୍ରଣା । ଆଉଟ୍ଡୋର ଟିକେଟ କାଉଣ୍ଟରଠାରୁ ଆରମ୍ଭ କରି ଡାକ୍ତର ଦେଖାଇବା, ରକ୍ତପରୀକ୍ଷା, ଅଲ୍ଟ୍ରାସାଉଣ୍ଡ ହେଉ କି ସିଟିସ୍କାନ୍, ସବୁଠି ୩ରୁ ୪ ଘଣ୍ଟା ଲେଖାଏଁ ଅପେକ୍ଷା କରିବାକୁ ପଡ଼ୁଛି । ସମୟ ଗଡ଼ୁଥିବାରୁ ରୋଗୀ ରୋଗକଷ୍ଟ ଭୋଗୁଥିବା ବେଳେ ଧାଡ଼ି କଷ୍ଟ ଭୋଗୁଛନ୍ତି ସମ୍ପର୍କୀୟ ।
ରାଜ୍ୟର କୋଣ ଅନୁକୋଣରୁ ଆସୁଥିବା ରୋଗୀଙ୍କ କହିବା କଥା, ଚିକିତ୍ସାକୁ ନେଇ କୌଣସି ଅସୁବିଧା ନାହିଁ, କିନ୍ତୁ ଧାଡ଼ି ଯନ୍ତ୍ରଣା କଲବଲ କରୁଛି । ଅଲଟ୍ରାସାଉଣ୍ଡ ପାଖରେ ତ ରାତି ଅନିଦ୍ରା ହେବାକୁ ପଡ଼ୁଛି । ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଗୋଟିଏ ଦିନରେ ଡାକ୍ତର ଦେଖାଇ ପରୀକ୍ଷାନୀରିକ୍ଷା ସାରି ଔଷଧ ନେଇ ଘରକୁ ଫେରିବା ସମ୍ଭବ ହେଉନାହିଁ । ଡାକ୍ତରଖାନାରେ ରାତି କାଟିବାକୁ ବାଧ୍ୟ ହେଉଛନ୍ତି ।
ଏଇ ସମସ୍ୟା କେବଳ ଗୋଟିଏ ଦିନର ନୁହେଁ । ବର୍ଷବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଛି । କିନ୍ତୁ ସମସ୍ୟାର ସମାଧାନ ହେଉନାହିଁ । କେଉଁଦିନ ଧାଡ଼ି ଯନ୍ତ୍ରଣା ଦୂର ହେବ ? କିଭଳି ରୋଗୀ ସହଜରେ ସେବା ପାଇବେ ସେ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।
Follow Us