କନକ ବ୍ୟୁରୋ : ଏସସିବି ମେଡିକାଲକୁ ଆସୁଥିବା ରୋଗୀଙ୍କ ଲାଗି ଖୁସି ଖବର। ଏଣିକି ନିର୍ଦ୍ଦିଷ୍ଟ ଦିନ ବଦଳରେ ସବୁଦିନ ଡାକ୍ତରଙ୍କୁ ପରାମର୍ଶ କରିବାର ସୁଯୋଗ ପାଇବେ ରୋଗୀ। ଦୂରଦୂରାନ୍ତରୁ ଆସୁଥିବା ରୋଗୀଙ୍କ ସମସ୍ୟାକୁ ନଜରରେ ରଖି ଏ ନିଷ୍ପତ୍ତି ନେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ।
କଟକ ବଡ଼ ମେଡିକାଲ୍। ପ୍ରତିଦିନ ଏଠାକୁ ଆସିଥାନ୍ତି ହଜାର ହଜାର ରୋଗୀ। ଉତ୍ତମ ଚିକିତ୍ସା ଆଶାରେ ଦୂର ଦୂରାନ୍ତରୁ ରୋଗୀ ଆସିଥାନ୍ତି ସତ, ମାତ୍ର ନାନା ଅବ୍ୟବସ୍ଥା ଲାଗି ଗୋଟିଏ ଦିନରେ ଚିକିତ୍ସା ସୁବିଧା ନପାଇ ଫେରିଯାଇଥାନ୍ତି। ମାତ୍ର ଏବେ ସେ ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି। ରୋଗୀଙ୍କ ସମସ୍ୟାକୁ ନଜରରେ ରଖି ବହିଃର୍ବିଭାଗ ବା ଓପିଡି ଚିକିତ୍ସା ସେବାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ନୂଆ ନିୟମ ଅନୁଯାୟୀ ଏଣିକି ରୋଗୀମାନେ ନିର୍ଦ୍ଧାରିତ ଦିନ ବ୍ୟତୀତ ଅନ୍ୟ କାର୍ଯ୍ୟଦିବସରେ ମଧ୍ୟ ନିର୍ଦ୍ଦିଷ୍ଟ ଡାକ୍ତରଙ୍କୁ ପରାମର୍ଶ କରିବାର ସୁଯୋଗ ପାଇବେ।
ଅଧିକ ପଢ଼ନ୍ତୁ : କେନ୍ଦ୍ର ସରକାରଙ୍କ ଅନୁମତି : କଟକ ଏସସିବିରେ ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର୍
ପୂର୍ବରୁ ଏସସିବି ମେଡିକାଲ ବହିର୍ବିଭାଗରେ ବିଭିନ୍ନ ଡାକ୍ତରମାନଙ୍କ ପରାମର୍ଶ ପାଇଁ ନିର୍ଦ୍ଧାରିତ ଦିନ ଧାର୍ଯ୍ୟ କରାଯାଇଥିଲା। ଏଥିପାଇଁ ରୋଗୀମାନେ ଉଭୟ ଅନଲାଇନ୍ ଓ ଅଫଲାଇନ୍ ମାଧ୍ୟମରେ ଟିକେଟ ବୁକିଂ ଆସୁଥିଲେ। ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଇ ରିପୋର୍ଟ ପାଇବା ବେଳକୁ ସେହି ଦିନ ଆଉ ଡାକ୍ତରଙ୍କୁ ଦେଖାଇବା ସମ୍ଭବ ହେଉନଥିଲା। ଫଳରେ ନିର୍ଦ୍ଦିଷ୍ଟ ଡାକ୍ତରଙ୍କୁ ଦେଖାଇବା ଲାଗି ପୁଣି ସପ୍ତାହେ ଅପେକ୍ଷା କରିବାକୁ ପଡୁଥିଲା। ନୂଆ ନିୟମ ଯୋଗୁଁ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଉପକୃତ ହେବେ ବୋଲି ଆଶା କରାଯାଉଛି।
Follow Us