କନକ ବ୍ୟୁରୋ: ଚଉଡା ହେବ ରାସ୍ତା, ହଟିବ ଜବରଦଖଲ । ଶନିବାର ଏଭଳି ପ୍ରତିକ୍ରିୟା ଦେଇଥିଲେ ବ୍ରହ୍ମପୁର ଉପଜିଲ୍ଲାପାଳ । ଆଉ ଆଜି ତାହା କାମରେ କରି ଦେଖାଇଛି ପ୍ରଶାସନ । ରାତି ପାହିଲା ବେଳକୁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା ଜବରଦଖଲ ଉଚ୍ଛେଦ । ଯାହାକୁ ନେଇ ବେଶ ଖୁସି ସହରବାସୀ ।
ସଂକୀର୍ଣ୍ଣ ରାସ୍ତା, ଗୋଟିଏ ଗାଡ଼ି ଗଲେ ଆଉ ଗୋଟିଏ ଯିବା କଷ୍ଟକର। ବ୍ରହ୍ମପୁର ସହରର କମାପଲିରୁ ଟାଟା ବେଞ୍ଜ ଛକ ଯାଏ ନିତି ଦେଖିବାକୁ ମିଳେ ଏମିତି ଭିଡ଼। ସକାଳ ହେଉ କି ସଞ୍ଜ ଭିଡ଼ କିନ୍ତୁ କମେନି। ବାରମ୍ବାର ଅଭିଯୋଗ ପରେ ଶନିବାର ଜବରଦଖଲ ନେଇ ମାପଚୁପ କରିଥିଲା ଉପଖଣ୍ଡ ପ୍ରଶାସନ। ଯେଉଁଥିରେ ଡ୍ରେନ ଜବର ଦଖଲ ହୋଇଥିବା ଜଣା ପଡିଥିଲା । ଆଜି ସକାଳୁ ସକାଳୁ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ଜବରଦଖଲ ଉଛେଦ। ପୁଲିସ ଓ ବ୍ରହ୍ମପୁର ମହାନଗର ନିଗମର ଏନଫୋର୍ସମେଣ୍ଟ ଟିମ ଉପସ୍ଥିତିରେ ଡ୍ରେନ ଉପରେ ଥିବା ଦୋକାନ, ପାହାଚ ସିଡ଼ି ଓ ହୋର୍ଡିଙ୍ଗ ଆଦି ହଟାଯାଇଛି ।
ରାସ୍ତାକୁ ମାଡ଼ି ଆସିଥିବା ଦୋକାନର ହୋର୍ଡିଙ୍ଗ ସବୁ ଭାଙ୍ଗୁଛି ଜେସିବି। ଦୁଇଦିନ ଧରି ଏନେଇ ମାଇକ୍ରେ ଘୋଷଣା ହୋଇଥିଲା ତେବେ ରାସ୍ତାର ଗୋଟିଏ ପଟେ ଉଛେଦ ଆରମ୍ଭ ହେବା ପରେ ଅନ୍ୟ ପାର୍ଶ୍ଵରେ ଥିବା ଦୋକାନର ହୋର୍ଡିଙ୍ଗ ଆଦି ନିଜେ ନିଜେ କାଢି ପକାଉଛନ୍ତି ବ୍ୟବସାୟୀ ।
- ରାସ୍ତାର ଦୁଇ ପାର୍ଶ୍ଵ ହେବ ସମ୍ପ୍ରସାରଣ
- ଡିପିଆର ପ୍ରସ୍ତୁତ କରିବ ପୂର୍ତ୍ତ ବିଭାଗ
- ଅନୁଦାନ ଅନୁମୋଦନ ଲାଗି ସରକାରଙ୍କୁ ପଠାଯିବ
- ଆବଶ୍ୟକ ହେଲେ ଜମି କିଣିବେ ସରକାର
ତେବେ ସାଧାରଣ ଲୋକେ ଏହାକୁ ସ୍ୱାଗତ କରିଥିଲା ବେଳେ ସମୟ ମାଗିଛନ୍ତି ବ୍ୟବସାୟୀ । ବ୍ରହ୍ମପୁରକୁ ସୁନ୍ଦର ସହର କରିବା ପାଇଁ ଉପଖଣ୍ଡ ପ୍ରଶାସନ ଓ ମହାନଗର ନିଗମ ମିଳିତ ପ୍ରୟାସ ଚଳାଇଛନ୍ତି । ଆଗକୁ ସହର ସାରା ଜବରଦଖଲ ହଟିବା ସହ ପ୍ରଶସ୍ତ ରାସ୍ତା ନିର୍ମାଣ ଲାଗି ଯୋଜନା ପ୍ରସ୍ତୁତ ହୋଇଛି ।