କନକ ବ୍ୟୁରୋ : ସରକାରୀ ଜାଗାରୁ ଚାଲିଛି ଜବରଦଖଲ ଉଚ୍ଛେଦ । ଘରକୁ ଭାଙ୍ଗି ପକାଉଛି ଜେସିବି । ମାଟିରେ ମିଶିଯାଉଛି କୋଠା । ବାଲେଶ୍ୱର ସିଂଲା ବଜାରର ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାକୁ ଦେଖି ଛାନିଆ ଶହେ ବର୍ଷର ହାଟରେ ବସୁଥିବା ବ୍ୟବସାୟୀ । ଥାନା ନିକଟରେ ଥିବା ସିଂଲା ହାଟକୁ ଉଚ୍ଛେଦ ତାଲିକାରୁ ବାଦ ଦେବାକୁ ନିବେଦନ କରିଛି ସିଂଲା ବଜାର କ୍ରାର୍ଯ୍ୟାନୁଷ୍ଠାନ କମିଟି ।
ଏଠି ଥିବା ହାଟ ଉପରେ ପ୍ରାୟ ୫ଟି ପଞ୍ଚାୟତର ୨୦ ହଜାରରୁ ଅଧିକ ଲୋକ ନିର୍ଭର କରନ୍ତି । ଶହଶହ ପରିବାର ପେଟକୁ ଦାନା ଦେଉଛି ସିଂଲା ହାଟ । ପ୍ରାୟ ଏକ ହଜାରରୁ ଅଧିକ ଛୋଟ ବଡ଼ ବ୍ୟବସାୟୀ ଏଠାରେ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଇଥାନ୍ତି । ହାଟ ଉଚ୍ଛେଦ ହେଲେ ଗ୍ରାହକ ଅସୁବୁଧାର ସମ୍ମୁଖିନ ହେବା ସହିତ ବ୍ୟବସାୟୀ ଜୀବିକା ହରାଇବେ ।
ହାଟ ଉଚ୍ଛେଦକୁ ବନ୍ଦ କରିବା ପାଇଁ ବଜାର କମିଟି ଏବଂ ସ୍ଥାନୀୟ ଜନସାଧାରଣଙ୍କ ମିଳିତ ବୈଠକ ବସିଥିଲା । ଉଚ୍ଛେଦରେ ଭଙ୍ଗାଯାଉଥିବା ଦୋକାନୀଙ୍କୁ ଥଇଥାନ କରିବା ପାଇଁ ପ୍ରଶାସନ ପାଖରେ ଦାବି ହୋଇଛି ।