କନକ ବ୍ୟୁରୋ : ଦିନକୁ ଦିନ ବେରୋଜଗାରୀ ଏକ ବ୍ୟାଧି ପାଲଟିଲାଣି । ପୁରୁଷ ହୁଅନ୍ତୁ ଅବା ମହିଳା ସମସ୍ତଙ୍କର ସେହି ଗୋଟିଏ ସମସ୍ୟା । ଅନେକ ପାଠପଢ଼ି ବେକାର ବୁଲୁଛନ୍ତି । ଆଉ ଅନେକ ରୋଜଗାର ପାଇଁ ବାଟ ଖୋଜୁଛନ୍ତି । ତେବେ ମହିଳା ମାନେ କିଭଳି ଛୋଟ ଛୋଟ କାମ ହାତକୁ ନେଇ ଭଲ ରୋଜଗାର କରିପାରନ୍ତି । ଆଉ ସେମାନେ ପରିବାରର ଆର୍ଥିକ ସ୍ଥିତିରେ ସୁଧାର ଆଣିପାରନ୍ତି ତାର ଉଦାହରଣ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁରରେ ।

ଗୋଟିଏ ଛାତ ତଳେ ରୋଜଗାର ପାଇଁ ଏକାଠି ହୋଇଛନ୍ତି ୪୦ରୁ ଅଧିକ ମହିଳା । ଲମ୍ବା ଧାଡ଼ିରେ ସିଲେଇ ମେସିନ ଗୁଡ଼ିକ ରଖାଯାଇଛି । କିଏ ସିଲେଇ କରୁଛି ତ ଆଉ କିଏ କପଡ଼ା କାଟୁଛି । ଆଉ କିଏ ସିଲେଇ ସାମଗ୍ରୀ ସାଇତି ରଖୁଛି ।  ଅଙ୍ଗନୱାଡ଼ି କେନ୍ଦ୍ର ଠାରୁ ବିଦ୍ୟାଳୟ ପର୍ୟ୍ୟନ୍ତ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ପର୍ୟ୍ୟନ୍ତ । ସମସ୍ତଙ୍କ ୟୁନିଫର୍ମ ତିଆରି ହେଉଛି ଏହି କେନ୍ଦ୍ରରେ। ଦେଖିଲେ ଲାଗୁଛି ଏହା ଏକ କପଡ଼ା କମ୍ପାନୀ ।

କୋରାପୁଟ ଜିଲ୍ଳା ବୋରିଗୁମ୍ମା ବ୍ଳକରେ ଥିବା ସୟଂ ସହାୟକ ମହିଳାଙ୍କ ସିଲେଇ କେନ୍ଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ମିଶନ ଶକ୍ତି ସହାୟତାରେ ଚାଲିଛି ଏହି ସିଲେଇ କେନ୍ଦ୍ର । ୪ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଗୋଟିଏ ସ୍ଥାନରେ ମିଳି ମିଶି ଏହି କାମ କରୁଛନ୍ତି । ସ୍କୁଲ ପିଲାଙ୍କ ପୋଷାକ ସିଲେଇ ପାଇଁ ମିଳୁଥିବା ଅର୍ଡର ଅନୁସାରେ କାମ କରି କିଛି କିଛି ରୋଜଗାର କରୁଛନ୍ତି ।

ଗତ ୩ ବର୍ଷ ହେଲା ଚାଲିଛି ଏହି ସିଲେଇ କେନ୍ଦ୍ର । ଏଠାରେ ପୋଷକ ସିଲେଇ ହେବା ସହ ମହିଳାଙ୍କୁ ସିଲେଇ ଶିକ୍ଷାର ତାଲିମ ଦିଆଯାଉଛି । ତାଲିମ ସରିବା ପରେ ଏହିଠାରେ ହିଁ ସେମାନଙ୍କୁ ରୋଜଗାର ପାଇଁ ବାଟ ମିଳୁଛି । ପ୍ରଥମେ ସଂଘର ଜଣେ, ଦୁଇ ଜଣ ସିଲେଇ ଶିକ୍ଷା ଜାଣିଥିଲେ । ପରେ ସଂଘର ସମସ୍ତ ସଦସ୍ୟ ଏଠାରେ ସେମାନଙ୍କ ନିକଟରୁ ତାଲିମ ନେଇ ଏବେ ଆଗକୁ ବଢ଼ିଲେଣି । ବ୍ଳକ ପ୍ରଶାସନର ସହଯୋଗରେ ଅର୍ଥ ଆଣି ଏହି ବ୍ୟବସାୟକୁ ଆଗକୁ ବଢ଼ାଇଛନ୍ତି । ୧୦୦ଟଙ୍କାରୁ ଆରମ୍ଭ ହୋଇଥିବା ଏହି ସଂଘ ଏବେ ୭ଲକ୍ଷରୁ ଅଧିକ ଟଙ୍କାର ରୋଜଗାର କଲାଣି । ଆଗକୁ ଏହି ବ୍ୟବସାୟ ଆହୁରି ବଢାଇବା ପାଇଁ  ସେମାନେ ଚେଷ୍ଟା ଜାରି ରଖିଛନ୍ତି ।

ଘରର ସମସ୍ତ କାମ ସାରି ମହିଳା ମାନେ ଏହି ସିଲେଇ କେନ୍ଦ୍ରକୁ ଆସି ନିଜ ନିଜ କାମରେ ଲାଗିପଡ଼ନ୍ତି । ପୁର୍ବରୁ ବାହାର ରାଜ୍ୟ ଓ ଜିଲ୍ଳାରୁ ପିଲାଙ୍କ ପାଇଁ ସ୍କୁଲ ପୋଷାକ ଆସୁଥିଲା । ଏବେ ଏଠାରୁ ବ୍ଳକର ସବୁ ସ୍କୁଲକୁ ଯାଉଛି ସ୍କୁଲ ପୋଷାକ । ଜଣେ କି ଦୁଇ ଜଣ ନୁହେଁ ଏହି କେନ୍ଦ୍ରରେ ୪୦ ଜଣ ମହିଳା କାମ କରୁଛନ୍ତି । ଏଠାରେ କାମ କରି ମହିଳା ମାନେ କିଏ ୮ ହଜାର ତ ପୁଣି କିଏ ୧୦ ହଜାର ଟଙ୍କା ପର୍ୟ୍ୟନ୍ତ ରୋଜଗାର କରିପାରୁଛନ୍ତି । ଯାହା ସେମାନେ ମୁହଁରେ ଖୁସି ଦେଇଛି ।

ଏହି ମହିଳା ମାନଙ୍କ ମଧ୍ୟରେ ଅନେକ ଗ୍ରାଜୁଏଟ ମଧ୍ୟ ଅଛନ୍ତି । ହେଲେ ବର୍ତ୍ତମାନ ସମୟରେ ଚାକିରି କରି ରୋଜଗାର କରିବା କଷ୍ଟକର ହୋଇପଡ଼ୁଥିବାରୁ ଏହାକୁ ସେମାନେ ରୋଜଗାରର ମାଧ୍ୟମ କରିଛନ୍ତି । ନିଜସ୍ୱ ଉଦ୍ୟମରେ ରୋଜଗାର କରୁଥିବାରୁ ସେମାନେ ଖୁସି ପ୍ରକାଶ କରିଛନ୍ତି ।