କନକ ବ୍ୟୁରୋ: ରାଜ୍ୟରେ ବେଆଇନ ବାଲି, ପଥର ବେଧଡକ ଲୁଟ୍ ଚାଲିଛି। ମୁଖ୍ୟ ଶାସନ ସଚିବ ଖଣି ଚୋରି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆବଶ୍ୟକୀୟ ଲୋକବଳ ଖଣି ବିଭାଗ ପାଖରେ ନାହିଁ ।
- ଖଣି କାର୍ଯ୍ୟାଳୟରେ କର୍ମଚାରୀ ମରୁଡ଼ି
- ଆଉଟସୋର୍ସିଂ କର୍ମଚାରୀଙ୍କ ଭରସାରେ ଚାଲିଛି କାମ
କାର୍ଯ୍ୟାଳୟରୁ ୨ଟି ରୁମକୁ ଛାଡିଦେଲେ ବାକି ୪ଟି ରୁମ ଖାଲି ପଡିଛି । ସଫେଇ କର୍ମଚାରୀ ନାହାନ୍ତି, ଧୂଳିର ଆସ୍ତରଣ ଜମିଗଲାଣି। ବୁଢିଆଣୀ ଜାଲ ଭର୍ତ୍ତି ହେଲାଣି। ଧରପଗଡ ଓ ଜୋରିମାନା ଆଦାୟରେ ରାଜ୍ୟର ସବୁଠୁ ଆଗରେ ଥିବା ବାଲେଶ୍ୱର ଖଣି କାର୍ଯ୍ୟାଳୟର ସ୍ଥିତି ପରଖିଛି କନକ ନ୍ୟୁଜ । ବାଲେଶ୍ୱର କୁରୁଡାରେ ଥିବା ଖଣି କାର୍ଯ୍ୟାଳୟର ନିଜସ୍ୱ ଘର ନାହିଁ । ଭଡ଼ା ଘରେ ଚାଲିଛି କାର୍ଯ୍ୟାଳୟ, ଅନ୍ୟପଟେ କର୍ମଚାରୀଙ୍କ ମରୁଡି ପଡିଛି ।
ବାଲେଶ୍ୱର ଖଣି କାର୍ଯ୍ୟାଳୟରେ ୧୬ ଜଣ କର୍ମଚାରୀଙ୍କ ପଦବୀ ଖାଲିପଡିଛି । ମାଇନିଂ ଅଫିସର-୨, ଆସିଷ୍ଟାଣ୍ଟ ମାଇନିଂ ଅଫିସର- ୪, ଜୁନିୟର ମାଇନିଂ ଅଫିସର -୮, କ୍ଲରିକାଲ ଷ୍ଟାଫ- ୨ ପଦବୀ ଫାଙ୍କା ପଡ଼ିଛି । ଜଣେ ଖଣି ଅଧିକାରିଣୀ ଓ ୪ ଜଣ ଆଉଟସୋର୍ସିଂ କର୍ମଚାରୀରେ ଚାଲିଛି କାର୍ଯ୍ୟାଳୟ ।
- ପଦବୀ ୧୫, ଅଛନ୍ତି ୩ କର୍ମଚାରୀ
- କର୍ମଚାରୀ ଅଭାବ ମାଫିଆଙ୍କୁ ସୁହାଉଛି
ବଲାଙ୍ଗୀର ଜିଲ୍ଲା ମାଇନିଂ କାର୍ଯ୍ୟାଳୟ ଅଧିନରେ ୧୪ଟି ବ୍ଲକରେ ପଥର ଖାଦାନ ଓ ବାଲି ଘାଟ ୧୮୦ଟି ରହିଛି । ବିଭିନ୍ନ ସ୍ଥାନରେ ବାଲିଘାଟ ଓ ପଥର କୁଆଁରି ଥିବାରୁ କର୍ମଚାରୀ ଅଭାବ, ଖଣି କାର୍ଯ୍ୟାଳୟର କାମକୁ ପ୍ରଭାବିତ କରୁଛି । ଏହାର ସୁଯୋଗ ନେଇ ଖଣି ମାଫିଆଙ୍କୁ ଚୋରା ଚାଲାଣ କରିବା ସହଜ ହେଉଛି ।
- ବଲାଙ୍ଗୀର ଖଣି କାର୍ଯ୍ୟାଳୟର ପଦବୀ ସଂଖ୍ୟା ୧୫
- ମାତ୍ର ୩ ଜଣ କର୍ମଚାରୀଙ୍କୁ ନେଇ ଚାଲିଛି କାର୍ଯ୍ୟାଳୟ
- ସେମାନଙ୍କ ମଧ୍ୟରୁ ୨ ଜଣ କର୍ମଚାରୀ କଣ୍ଟ୍ରାକ୍ଟଚୁଆଲରେ ଅଛନ୍ତି
ଅଫିସ ବହୁ ପୁରୁଣା ହୋଇ ଥିବାରୁ ମରାମତି କରୁଥିବା ସଂସ୍ଥା ଅଧାରୁ କାମ ଛାଡି ଦେଇଛି, ଫଳରେ ଗୋଟିଏ କୋଠରୀରେ ଚାଲିଛି ସାରା ଜିଲ୍ଲାର କାମ । ଦାୟିତ୍ୱରେ ଥିବା ଖଣି ଅଧିକାରୀ କହିଛନ୍ତି କର୍ମଚାରୀ ଅଭାବ ଯୋଗୁଁ ବହୁ ଗୁରୁତ୍ୱପୂର୍ଣ୍ଣ କାମ ପଡି ରହୁଛି ।
ଖଣି କାର୍ଯ୍ୟାଳୟରେ କର୍ମଚାରୀଙ୍କ ଅଭାବ ଯୋଗୁଁ ବ୍ୟାପକ ଧରପଗଡ ହୋଇପାରୁ ନାହିଁ । ଖଣି ବିଭାଗ ପଦବୀ ପୂରଣ ନହେବା ଚୋରାଚାଲାଣ ପାଇଁ ବାଟ ଫିଟାଇଛି । ମାଫିଆ ମାଲମାଲ ହେଉଥିବା ବେଳେ ସରକାର ରାଜସ୍ୱ ହରାଉଛନ୍ତି ।