‘‘ମୋ ଭାଇ ତୁ କୁଆଡ଼େ ଗଲୁରେ .. ରାଖୀ ପୂର୍ଣ୍ଣିମାରେ ସମସ୍ତେ ହସି ହସି ଭାଇଙ୍କୁ ରାଖୀ ବାନ୍ଧୁଛନ୍ତି ମୁଁ ଅଭାଗିନୀ ତତେ କାନ୍ଦି କାନ୍ଦି ରାଖୀ ବାନ୍ଧୁଛି । ଆରବର୍ଷ ମୁଁ ଆଉ କାହାକୁ ରାଖୀ ବାନ୍ଧିବି ? ମତେ ଦିଦି , ଦିଦି ବୋଲି ଆଉ କିଏ ଡାକିବ ? କି ଦୋଷ କରିଥିଲୁ ଯେ ବାଘ ତତେ ନେଇଗଲା , ତୋ ବଦଳରେ ଯଦି ମତେ ନେଇଥା’ନ୍ତା ବହୁତ ଭଲ ହୋଇଥା’ନ୍ତା । ହେ ଭଗବାନ ମୁଁ ତୋ ବିନା କେମିତି ବଞ୍ଚିବି , କାହା ସହ ଖେଳିବି …’’
ଭାଇର ଦୀର୍ଘାୟୁ କାମନା କରି ଭଉଣୀ ଯେତେବେଳେ ଭାଇ ହାତରେ ରାଖୀ ବାନ୍ଧେ ଏହି ରକ୍ଷାସୂତ୍ର ତା’ର ସୁରକ୍ଷା କବଚ ସାଜିବ ବୋଲି ସେ ଭାବେ । ନିକଟରେ ଯାଇଛି ପବିତ୍ର ରକ୍ଷା ବନ୍ଧନ । ସାରା ଭାରତ ଯେତେବେଳେ ଭାଇଭଉଣୀର ଏହି ପବିତ୍ର ତିଥିକୁ ରାଖି ବାନ୍ଧି ପାଳନ କରୁଥିଲା ଠିକ୍ ସେତେବେଳେ ନାସିକର ବଡ଼ନେର ଦୁମାଲା ଗାଁ କଇଁ କଇଁ କାନ୍ଦୁଥିଲା । ପର୍ବର ଏ ପବିତ୍ର ଦିନରେ ସକାଳୁ ସକାଳୁ ଜଣେ ୯ ବର୍ଷର ଭଉଣୀ ତା’ର ୩ ବର୍ଷର କୁନି ଭାଇ ହାତରେ ରାଖି ବାନ୍ଧୁଥିଲା କିନ୍ତୁ କାନ୍ଦି କାନ୍ଦି ।
ଘଟଣାଟି ହେଉଛି ରାଖୀ ପୂର୍ଣ୍ଣିମାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଶୁକ୍ରବାରର । ଦୁମାଲା ଗାଁ ଭଗତ ପରିବାରର ୩ ବର୍ଷର କୁନିପୁଅ ଆୟୁଷ ଭଗତ ନିଜ ଘର ବାରଣ୍ଡାରେ ଖେଳୁଥିବା ସମୟରେ ହଠାତ ଗୋଟିଏ କଲରାପତରିଆ ବାଘ ଛୁଆଟି ଉପରକୁ ଲମ୍ଫ ମାରି ପାଟିରେ ଧରି ଦୌଡ଼ିଲା । ସଙ୍ଗେ ସଙ୍ଗେ ଆଖପାଖର ଲୋକ ଏବଂ ପରିବାର ମିଶି କୁନିପୁଅଟିକୁ ଖୋଜିବାରେ ଲାଗିଲେ କିନ୍ତୁ କିଛି ସମୟ ପରେ ଛୁଆଟି ଘର ବାରିପଟେ ମୃତ ଅବସ୍ଥାରେ ମିଳିଥିଲା । ଆୟୁଷଙ୍କ ଭଉଣୀ ଯିଏ ଗତ ଦୁଇ ଦିନ ହେଲା ଭାଇ ହାତରେ ରାଖୀ ବାନ୍ଧିବାକୁ ନେଇ ଉତ୍ସାହିତ ଥିଲା ସେ କାନ୍ଦି କାନ୍ଦି ନୟାନ୍ତ ହେଉଥିଲା । ଛୁଆଟିର ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ ହେଲା , ସମସ୍ତେ ଅଶ୍ରୁଳ ଆଖିରେ ଆୟୁଷକୁ ଅନ୍ତିମ ବିଦାୟ ଦେଉଥିଲେ । ଆଉ ଠିକ୍ ସେତେବେଳେ ମୃତ ଭାଇର ହାତରେ ରାଖୀ ବାନ୍ଧି ଭଉଣୀ ତାକୁ ଶେଷ ବିଦାୟ ଦେଇଥିଲେ । ଏ ଦୃଶ୍ୟ ଯେ କେହି ବି ଦେଖିଲେ କୋହ ନ ସମ୍ଭାଳି ପାରି କାନ୍ଦି ଉଠିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/08/11/rakhi-2025-08-11-16-13-39.jpg)