କନକ ବ୍ୟୁରୋ: ଚିନ୍ନାସ୍ବାମୀ ଦଳାଚକଟା ଘଟଣା । ଆରସିବିର ଚାମ୍ପିୟନ ଖୁସିକୁ ଦୁଃଖରେ ପରିଣତ କରିଥିଲା ଦଳର ବିଜୟ ଉତ୍ସବରେ ଘଟିଥିବା ଭୟଙ୍କର ଦଳାଚକଟା। ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିଲା । ୩ମାସ ପରେ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ବିରାଟ କୋହଲି ।
ଜୁନ୍ ୪ ତାରିଖରେ ଘଟିଥିବା ହୃଦୟବିଦାରକ ଘଟଣା ପାଇଁ କେହି କେବେ ପ୍ରସ୍ତୁତ ନଥିଲେ । ଆମ ଫ୍ରାଞ୍ଚାଇଜ୍ର ଇତିହାସରେ ଯେଉଁ ଖୁସିର ମୁହୂର୍ତ୍ତ ଆସିଥିଲା, ତାହା ପରେ ଦୁଃଖରେ ପରିଣତ ହେଲା। ଯେଉଁମାନେ ଏହି ଦଳାଚକଟାରେ ପ୍ରାଣ ହରାଇଲେ, ସେମାନଙ୍କ ପାଇଁ ଦୁଃଖିତ। ପ୍ରାଣ ହରାଇଥିବା ପରିବାର ଲୋକଙ୍କ କ୍ଷତି ଆମ କାହାଣୀର ଏକ ଅଂଶବିଶେଷ। ଆମେ ଏକାଠି ହୋଇ ପରସ୍ପରର ହାଲଚାଲ ବୁଝିବା ସହ ଦାୟିତ୍ବବାନ ହୋଇ ଆଗକୁ ବଢ଼ିବା ଦରକାର ।
ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଜୁନ ୪ରେ ଘଟିଥିବା ସେହି ଭୟଙ୍କର ଦଳଚକଟା ଘଟଣା ଉପରେ ଭାବବିହ୍ବଳ ପୂର୍ଣ୍ଣ ଲେଖା ସହ ନିଜ ମନ କଥା କହିଛନ୍ତି ବିରାଟ କୋହଲି । ସମର୍ଥକ, ପ୍ରଶଂସକ, ମୃତକ ଓ ଆହତଙ୍କ ପରିବାର ପାଇଁ ଏହି ଲେଖା ଉଦ୍ଦିଷ୍ଟ । ମାତ୍ର ୩ମାସ ପରେ ହଠାତ ବିରାଟ ଏଭଳି କାହିଁକି କଲେ ସେ ପ୍ରଶ୍ନ ଉଠୁଛି କିନ୍ତୁ ଏକଥା ସତ ଯେ ସମାଲୋଚନା ପରେ ନିଜ ମନର କୋହକୁ ଚାପି ନପାରି ବିରାଟ ମନ କଥା ସର୍ବସମ୍ମୁଖରେ ପ୍ରକାଶ କରିଛନ୍ତି । ୧୮ ବର୍ଷ ଅପେକ୍ଷା କରି ଚଳିତବର୍ଷ ଆଇପିଏଲ୍ ଟ୍ରଫି ଜିତିବାର ଖୁସି ମନାଇବାରେ ମସଗୁଲ ଥିଲା ଆର୍ସିବି। କର୍ଣ୍ଣାଟକର ଏନ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭବ୍ୟ ଉତ୍ସବ ପାଇଁ ଏକାଠି ହୋଇଥିଲେ ହଜାର ହଜାର ସମର୍ଥକ। କିନ୍ତୁ ହଠାତ୍ ଦଳାଚକଟା ସବୁକିଛି ବଦଳାଇଦେଇଥିଲା। ଘଟଣାକୁ ନେଇ ବେଶ୍ ତମ୍ବିତୋଫାନ ହେଲା। ଏପରିକି ଏତେବଡ଼ ଅଘଟଣ ପାଇଁ ଆରସିବି ସମେତ ବିରାଟ କୋହଲିଙ୍କୁ ଦାୟୀ କରାଗଲା। ଏବେ ଘଟଣା ଘଟିବାର ୩ ମାସ ପରେ ମୁହଁ ଖୋଲିଛନ୍ତି ବିରାଟ କୋହଲି। ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଆରସିବି ବିରାଟ କୋହଲିଙ୍କ ବୟାନ ସାମ୍ନାକୁ ଆଣିଛି। ଅଘଟଣ ପାଇଁ ଦୁଃଖ ପ୍ରକାଶ କରିବା ସହ ଏମିତି ଘଟିବା ନେଇ କେବେ କଳ୍ପନା କରିନଥିଲେ ବୋଲି କହିଛନ୍ତି ବିରାଟ। ତେବେ ଏହି ଘଟଣା କେବଳ କ୍ରୀଡ଼ା ଜଗତକୁ ବିଚଳିତ କରିନଥିଲା ଆରୋପ ପ୍ରତ୍ୟାରୋପ ଭିତରେ ଉଠିଥିଲା ପଡ଼ିଥିଲା କର୍ଣ୍ଣାଟକ ରାଜନୀତି । କର୍ଣ୍ଣାଟକ ପୁଲିସ, କ୍ରିକେଟ ଆସୋସିଏସନ୍, ଆଇପିଏଲ୍ ଓ ସରକାରଙ୍କ ମଧ୍ୟରେ ବୟାନବାଜି ଘଟଣାକୁ ଅଧିକ ଜଟିଳ କରିବା ସହ ବେଶ୍ ଚର୍ଚ୍ଚା ସାଉଁଟିଥିଲା ।