କନକବ୍ୟୁରୋ : ପଞ୍ଚଭୂତରେ ଲୀନ ହେଲା ମନମୋହନଙ୍କ ମରଶରୀର । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଦିଲ୍ଲୀ ନିଗମବୋଧ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ମହାମାନବଙ୍କୁ ଦିଆଯାଇଛି ଚିର ବିଦାୟ। ଅନ୍ତିମ ସଂସ୍କାର ସମୟରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ନେତା ଉପସ୍ଥିତ ଥିଲେ ।
ସକାଳୁ ସକାଳୁ ଶେଷ ଦର୍ଶନ କରୁଥିଲେ ସମସ୍ତେ । ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଦିଲ୍ଲୀ ବାସଭବନରେ ଲାଗିଥିଲା ଭିଡ଼। ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ଚିର ବିଦାୟ ଦେବା ପାଇଁ ପ୍ରସ୍ତୁତି ଚାଲିଥିଲା। ଏହାପରେ ଅଖିଳ ଭାରତ କଂଗ୍ରେସ କମିଟି- ଏଆଇସିସି ଅଫିସ ଅଭିମୁଖେ ବାହାରିଥିଲା ଶବାଧାର ।
ରାସ୍ତାର ଉଭୟ ପାର୍ଶ୍ୱରେ ନେତା ଶେଷ ଦର୍ଶନ କରିଥିଲେ। ମନମୋହନଙ୍କ ପାର୍ଥିବ ଶରୀର ଏଆଇସିସି ଅଫିସରେ ପହଞ୍ଚିଥିଲା। ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ଓ ସାଧାରଣ ଜନତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରାୟ ଏକ ଘଣ୍ଟା ଧରି ଶବାଧାର ଏଆଇସିସି ଅଫିସରେ ରହିଥିଲା।
ଏହାପରେ ଶବ ଶୋଭାଯାତ୍ରା ନିଗମବୋଧ ଘାଟ ଅଭିମୁଖେ ବାହାରିଥିଲା। ଆର୍ମି ମେମୋରିଆଲ ଟ୍ରକରେ ନିଆଯାଉଥିବା ମନମୋହନଙ୍କ ପାର୍ଥିବ ଶରୀର ପାଖରେ ରାହୁଲ ଗାନ୍ଧୀ, ମନମୋହନଙ୍କ ପରିବାର ଉପସ୍ଥିତ ଥିଲେ। ଉଭୟ ପାର୍ଶ୍ୱରେ କଡ଼ା ସୁରକ୍ଷା ସହିତ ସୁରକ୍ଷାକର୍ମୀମାନେ ଟ୍ରକ ପାଖେ ଚାଲୁଥିଲେ। ମନମୋହନ ସିଂହଙ୍କ ଅନ୍ତିମ ଯାତ୍ରା କଂଗ୍ରେସ ଅଫିସରୁ ବାହାରି ଆକବର ରୋଡ୍, ଇଣ୍ଡିଆ ଗେଟ୍, ତିଲକ ମାର୍ଗ ଆଦି ଦେଇ ୧୧ କିଲୋମିଟର ଅତିକ୍ରମ କରିବା ପରେ ନିଗମ ବୋଧ ଘାଟରେ ପହଞ୍ଚିଥିଲା। ଆରମ୍ଭ ହୋଇଥିଲା ଅନ୍ତ୍ୱେଷ୍ଠି କ୍ରିୟାର ରୀତିନୀତି ।
ରାହୁଲ ଗାନ୍ଧୀ ଶବାଧାରରେ କାନ୍ଧ ଲଗାଇଥିବା ଦେଖିବାକୁ ମିଳିଥିଲା। ମନମୋହନଙ୍କୁ ତୋପ ସଲାମୀ ଦିଆଯିବା ପରେ ବଡ଼ଝିଅ ମୁଖାଗ୍ନି ଦେଇଥିଲେ। ପଞ୍ଚଭୂତରେ ଲୀନ ହୋଇଯାଇଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମରଶରୀର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଚ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ,
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବହୁ କେନ୍ଦ୍ରମନ୍ତ୍ରୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ବିଭିନ୍ନ ଦଳର ବହୁ ବିଶିଷ୍ଟ ନେତା ଓ ମନମୋହନଙ୍କ ଆତ୍ମୀୟ ସ୍ୱଦନ ଉପସ୍ଥିତ ଥିଲେ। ମନମୋହନଙ୍କୁ ସାରାଦେଶ ଅଶ୍ରୁଳ ଆଖିରେ ଅନ୍ତିମ ବିଦାୟ ଦେଇଛି। ଗତ ୨୬ ତାରିଖରେ ମନମୋହନ ଦିଲ୍ଲୀ ଏମସରେ ୯୨ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ବିୟୋଗରେ ଦେଶରେ ୭ ଦିନିଆ ଶୋକ ପାଳନ କରାଯାଉଛି।