କନକ ବ୍ୟୁରୋ: ଏମିରେଟ୍ସ ଓଡ଼ିଆ ପରିବାର, UAE ଦ୍ବାରା ଆୟୋଜିତ ଜୁନ ୨୯ ତାରିଖ ରବିବାର ଦିନ ଦୁବାଇର ସ୍ପ୍ରିଙ୍ଗ ଡେଲ ସ୍କୁଲଠାରେ ପବିତ୍ର ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ପର୍ବ ପାଳନ କରାଯାଇଥିଲା । ୨୭ ତାରିଖ ଶୁକ୍ରବାର ଶ୍ରୀଗୁଣ୍ଡିଚା ଦିନ ଦୁବାଇ ସ୍ଥିତ ନିତାଇ ଗୌର ଆଶ୍ରମରେ ମହାପ୍ରଭୁଙ୍କର ନୀତିକାନ୍ତି ଆରମ୍ଭ ହୋଇଥିଲା । ୨୯ରେ ସମଗ୍ର ଦୁବାଇ ଓ ୟୁନାଇଟେଡ ଆରବ ଏମିରେଟସ ରୁ ୧୭ଶହରୁ ଅଧକ ଭକ୍ତ ଯୋଗ ଦାନ କରିଥିଲେ ।
ସକାଳ ୭ଟାରୁ ସୂର୍ଯ୍ୟନାରାୟଣଙ୍କ ପୁଜା ଆରମ୍ଭ ହୋଇ ଦିନ ୯ଟାରେ ଚାରି ଠାକୁରଙ୍କ ସମସ୍ତ ନୀତିକାନ୍ତି ଆରମ୍ଭ ହୋଇଥିଲା । ଶ୍ରୀ ଜଗନ୍ନାଥ ଅଷ୍ଟକମ ପାଠ ହେଵା ପରେ ମହାମନ୍ତ୍ର ନାମ ସଂକୀର୍ତ୍ତନ ଆରମ୍ଭ ହୋଇଥିଲା । ତାପରେ ଚୁଡା ଘସା ଓ ଖଜା ଠାକୁରଙ୍କ ନିକଟରେ ଲାଗି କରାଯିବାପରେ ସମସ୍ତଙ୍କୁ ବିତରଣ କରାଯାଇଥିଲା । ଶହଶହ ଭକ୍ତଙ୍କ ଗହଣରେ ଦିନ ୧୦.୪୫ ରେ ଚାରି ଠାକୁରଙ୍କର ଭକ୍ତିମୟ ପରିବେଶରେ ପହଣ୍ଡି ବିଜେ ଆରମ୍ଭ ହୋଇ ଦିନ ୧୨ ଟା ବେଳେ ରଥାରୂଢ ହୋଇଥିଲେ । ଦିନ ୧୨ ଟା ୧୦ ବେଳେ ମଧ୍ୟାହ୍ନ ଧୂପ ରେ ଛପନ ଭୋଗ ଲାଗି ହେବା ପରେ ଓଡିଶୀ, ଦେବଦାସୀ ନୃତ୍ୟ ମହାପ୍ରଭୁଙ୍କ ନିକଟରେ ସମର୍ପିତ ହୋଇ ପରିବେଷଣ କରିଥିଲା ।
ତାପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଟଣାରେ ହରିବୋଲ ହୁଳହୁଳି ଶଙ୍ଖ ଧ୍ବନି ଘଣ୍ଟ ଘଣ୍ଟା ସଂକୀର୍ତ୍ତନ ସହିତ ଖୁବ ଜାକଜମକରେ ଆରମ୍ଭ ହୋଇଥିଲା । ଦିନ ୨ଟା ବେଳେ ଆନନ୍ଦ ବଜାରରେ ଅବଢ଼ା ପ୍ରସାଦ ଆରମ୍ଭ ହୋଇଥିଲା ପ୍ରସାଦରେ ସୁସ୍ୱାଦୁ ଓଡ଼ିଆ ଅନ୍ନ , ମିଠା ଡାଲି, ପୋଟଳ ରସା ,ଶାଗ ମୁଗ , ବେଶର, ଆମ୍ବ ଖଟା, ଖିରି, ପରିବେଷଣ କରାଯାଇଥିଲା ।
ଅବଢ଼ା ପ୍ରସାଦ ତିଆରି କରିବା ପାଇଁ ସୁଦୂର ପୁରୁଣା ଭୁବନେଶ୍ୱର ଟାଉନର ବରୁଣେଶ୍ବର ମନ୍ଦିରରୁ ଦୁଇ ଜଣ ପୂଜାରୀ ଭାଇନା ଆସିଥିଲେ । ଅପରାହ୍ନ ୩ଟା ବେଳେ ପାରମ୍ପରିକ ଭଜନ ଜଣାଣ ଓଡ଼ିଆ ଭଜନ ଗାୟକମାନେ ପରିବେଷଣ କରିଥିଲେ । ସନ୍ଧ୍ୟା ଧୂପରେ ରସଗୋଲା ଭୋଗ ଲାଗିବା ପରେ ସମସ୍ତ କାର୍ଯ୍ୟକ୍ରମ ଶେଷ ହୋଇ ମହାପ୍ରଭୁ ମାଉସୀ ମା ଘରକୁ ଯାଇଥିଲେ । ଏମିରେଟସ ଓଡ଼ିଆ ପରିବାରର ସମସ୍ତ କର୍ମକର୍ତ୍ତାମାନେ ସମସ୍ତ ଓଡ଼ିଆ ଭାଇ ଭଉଣୀ ଓ ଭକ୍ତମାନଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ।