କନକ ବ୍ୟୁରୋ: ଏଲନ ମସ୍କଙ୍କ ଷ୍ଟାରଲିଙ୍କ୍ ସାଟେଲାଇଟର ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ଭାରତରେ ଅତିଶୀଘ୍ର ସେବା ଆରମ୍ଭ କରିବ ଷ୍ଟାରଲିଙ୍କ୍ । ଏହି ସାଟେଲାଇଟ୍ ଇଣ୍ଟରନେଟ୍ ସେବା ପୂର୍ବରୁ ୧୦୦ ରୁ ଅଧିକ ଦେଶରେ ଉପଲବ୍ଧ ହୋଇସାରିଲାଣି । ପାରମ୍ପରିକ ଇଣ୍ଟରନେଟ୍ ସଂଯୋଗ ନଥିବା ଅଞ୍ଚଳରେ ହାଇ-ସ୍ପିଡ୍ ଇଣ୍ଟରନେଟ୍ ପ୍ରଦାନ କରିବାକୁ ଯାଉଛି ଷ୍ଟାରଲିଙ୍କ୍ । ଭାରତର ଉଭୟ ସହର ଏବଂ ଉପାନ୍ତ ଅଞ୍ଚଳକୁ ମଧ୍ୟ କରିବ ସଂଯୋଗ । କିନ୍ତୁ ଭାରତରେ ଏହାର ମୂଲ୍ୟ କ’ଣ ହେବ? ରିପୋର୍ଟ ଅନୁଯାୟୀ, ଭାରତର ଉପଭକ୍ତା ମାନେ ୧,୦୦୦ ଟଙ୍କାରୁ କମ୍ ମୂଲ୍ୟରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ୍ ବ୍ୟବହାର କରିପାରିବେ।
ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସ୍ପେସଏକ୍ସର ଏହି ସାଟେଲାଇଟ୍ ଭାରତରେ ଅସୀମିତ ଡାଟା ପ୍ଲାନ୍ ସେବା ପାଇଁ ପ୍ରତି ମାସରେ ପ୍ରାୟ ୮୪୦ଟଙ୍କା (ଦଶ ଡଲାର) ଚାର୍ଜ କରିପାରେ । କମ୍ ପ୍ରାରମ୍ଭିକ ମୂଲ୍ୟ ଲୋକପ୍ରିୟ ହୋଇପାରେ । ବର୍ତ୍ତମାନ ଭାରତୀ ଗ୍ରୁପ୍,ବେକ୍ଡ ୟୁଟେଲସେଟ. ୱାନୱେବ , ରିଲାଏନ୍ସ ଜିଓ - ଏସଇଏସର ସହିତ ମିଳିତ ସହଯୋଗ ଏବଂ ଗ୍ଲୋବାଲଷ୍ଟାର ଭଳି କମ୍ପାନୀ ମାନେ ପ୍ରତିଯୋଗୀତା କରିପାରନ୍ତି । କାରଣ ଏମାନେ ମଧ୍ୟ ଭାରତରେ ହାଇ-ସ୍ପିଡ୍ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଆରମ୍ଭ କରିପାରନ୍ତି । ଷ୍ଟାରଲିଙ୍କ୍ ତାର ସରୁକୁଲେସନ୍ ପାଇଁ ଜିଓ ଏବଂ ଏୟାରଟେଲ୍ ସହଯୋଗ ନେଇପାରେ ।
ଏହି ମାସରେ , ଷ୍ଟାରଲିଙ୍କକୁ ଟେଲିକମ୍ୟୁନିକେସନ୍ ବିଭାଗ (ଡିଓଟି) ଏକ ଇଣ୍ଟେଣ୍ଟ ଲେଟର୍ (ଏଲ୍ଓଏଲ୍) ଜାରି କରିଥିଲା । ତାର ଅର୍ଥ ଭାରତ ସରକାରଙ୍କଠାରୁ ସହମତି ପାଇସାରିଲାଣି । ସୁଚନା ଅନୁଯାୟୀ, ଷ୍ଟାରଲିଙ୍କ୍ ଦେଶରେ ଆନୁଷ୍ଠାନିକ ଭାବରେ ସେବା ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ର (ଅଇଏନ-ଏସପିଏସିଇ) ଠାରୁ ଶେଷ ଅନୁମୋଦନ ପରେ ଅରମ୍ଭ କରିବ ।
ଷ୍ଟାରଲିଙ୍କ ବର୍ତ୍ତମାନ ଭୁଟାନ ଏବଂ ବାଂଲାଦେଶ ସମେତ ୧୦୦ ରୁ ଅଧିକ ଦେଶରେ ସେବା ଦେଉଛି । ମୁଖ୍ୟତ ଯେଉଁ ଅଞ୍ଚଳରେ ବ୍ରଡବ୍ୟାଣ୍ଡ ସୁବିଧା ଅଭାବ ଅଛି , ସେଠାରେ ହାଇ-ସ୍ପିଡ୍ , କମ୍-ଲାଟେନ୍ସୀ ଇଣ୍ଟରନେଟ୍ ପ୍ରଦାନ କରୁଛି । ବର୍ତ୍ତମାନ ଆମେରିକାରେ ଷ୍ଟାରଲିଙ୍କ୍ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ପାଇଁ ଉପଭୋକ୍ତାମାନଙ୍କଠାରୁ ପ୍ରତିମାସରେ ୧୨୦ ଡଲାର ବା ପାଖାପାଖି ୧୦ ହଜାର ଟଙ୍କା ଆଦାୟ କରୁଛି । ତାହା ତୁଳନାରେ ଭାରତରେ ପ୍ରାରମ୍ଭିକ ମୂଲ୍ୟ ବହୁତ କମ୍ ହୋଇପାରେ । ପ୍ରମୋସନାଲ୍ ଅଫର୍ ସମାପ୍ତ ହେବା ପରେ , ସ୍ଥାନ ଅନୁଯାଇ ପ୍ରକୃତ ମାସିକ ମୂଲ୍ୟ ୩୦୦୦ରୁ ୭୦୦୦ ହଜାର ଟଙ୍କା ହୋଇପାରେ ।
ମାସିକ ସବସ୍କ୍ରିପସନ୍ ସହିତ, ଉପଭୋକ୍ତାମାନଙ୍କୁ ଷ୍ଟାରଲିଙ୍କ ହାର୍ଡୱେର୍ କିଟ୍ କିଣିବାକୁ ପଡିବ । ଯେଉଁଥିରେ ଏକ ସାଟେଲାଇଟ୍ ଡିସ୍ ଏବଂ ୱାଇ-ଫାଇ ରାଉଟର୍ ରହିପାରେ , ତାର ମୂଲ୍ୟ ପ୍ରାୟ ୨୧,୩୦୦ରୁ ୩୨,୪୦୦ ଟଙ୍କା (୨୫୦ ଡଲାରରୁ ୩୮୦ ଡଲାର) ଅଟେ । କିନ୍ତୁ ଏହି ଏକକାଳୀନ ମୂଲ୍ୟ ଅନେକ ଭାରତୀୟ ଉପଭୋକ୍ତାଙ୍କ ପାଇଁ ଏକ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ । କାରଣ ଏବେ ଦେଶରେ ଫାଇବର ବ୍ରଡବ୍ୟାଣ୍ଡ ସେବା କମ ଶୁଳ୍କରେ ବହୁ ମନୋରଞ୍ଜନର ସୁବିଧା ଦେଉଛି । କିନ୍ତୁ ଉପାନ୍ତ ଅଞ୍ଚଳରେ ଏହାର ସୁବିଧା ନାହିଁ । ଦେଖିବାର କଥା ଭାରତ ବଜାରରେ ଏହା କେତେ ଫଳପ୍ରଦ ହେଉଛି ।