କନକ ବ୍ୟୁରୋ : ଟ୍ରମ୍ପଙ୍କ ପାଇଁ ଟେନସନରେ ଏଲନ୍ ମସ୍କ । କୁହାଯାଉଥିଲା ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ହେବା ପରେ ବିଶ୍ୱର ଧନୀ ବ୍ୟକ୍ତି ତାଥା ଟ୍ରମ୍ପଙ୍କ ଭଲ ବନ୍ଧୁ ଏଲନ୍ ମସ୍କଙ୍କୁ ଫାଇଦା ହିଁ ଫାଇଦା ମିଳିବ । କିନ୍ତୁ ତାର ସମ୍ପୂର୍ଣ୍ଣ ଓଲଟା ସ୍ଥିତି ଦେଖିବାକୁ ମିଳିଛି । ଟ୍ରମ୍ପଙ୍କ ପାଇଁ ଚିନ୍ତାରେ ପଡିଯାଇଛନ୍ତି ଏଲନ୍ ମସ୍କ । ତାଙ୍କୁ ଫାଇଦା ବଦଳରେ ଲକ୍ଷ ଲକ୍ଷ କୋଟି ଟଙ୍କାର ଘାଟା ସହିବାକୁ ପଡୁଛି । ଟ୍ରମ୍ପଙ୍କ ସହ ବନ୍ଧୁତା ଏଲନ୍ ମସ୍କଙ୍କୁ ମାତ୍ର ୨ମାସ ମଧ୍ୟରେ ପାଖାପାଖି ୯ଲକ୍ଷ କୋଟି ଟଙ୍କାର କ୍ଷତି କରାଇଦେଇଛି । କ'ଣ ରହିଛି କାରଣ, ଆସନ୍ତୁ ଜାଣିବା...

Advertisment

ମସ୍କଙ୍କ ଉପରେ ଲୋକଙ୍କ ଅଭିମାନ 
ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବା ପରଠାରୁ, ସେ ତାଙ୍କର ଟାରିଫ୍ ଧମକ ଦ୍ୱାରା ସମଗ୍ର ବିଶ୍ୱକୁ ବିଚଳିତ କରିଦେଇଛନ୍ତି । ବିଶେଷକରି ୟୁରୋପୀୟ ଦେଶଗୁଡ଼ିକ, ଯେଉଁମାନେ ଦିନେ ଆମେରିକାର ସବୁଠାରୁ ନିକଟତର ଥିଲେ, କିନ୍ତୁ ଏବେ ସେମାନେ ଆମେରିକାଠୁ ଦୂରେଇ ଯାଉଛନ୍ତି । ଟ୍ରମ୍ପଙ୍କ ଏହି ଟାରିଫ୍ ନୀତି ଅନ୍ୟ ଦେଶରେ ଆମେରିକା ଏବଂ ଟ୍ରମ୍ପଙ୍କ ବିରୁଦ୍ଧରେ ଅସନ୍ତୋଷ ସୃଷ୍ଟି କରୁଥିବା ବେଳେ, ଟ୍ରମ୍ପଙ୍କ ଘନିଷ୍ଠ ବନ୍ଧୁ ଏଲନ ମସ୍କ ବି ଏହାର ଶିକାର ହୋଇଛନ୍ତି । ଲୋକମାନେ ଏଲୋନ ମସ୍କଙ୍କ କମ୍ପାନୀ ଟେସଲାରୁ ଗାଡ଼ି କିଣୁନାହାନ୍ତି । ଏହି କାରଣରୁ, ମସ୍କ ପ୍ରତି ମାସରେ ଲକ୍ଷାଧିକ କୋଟି ଟଙ୍କାର କ୍ଷତି ସହୁଛନ୍ତି ।

ବିକ୍ରି ହେଉନାହିଁ ଟେସଲା କାର 
ଏଲୋନ ମସ୍କଙ୍କ କମ୍ପାନୀ ଟେସଲା ଦ୍ୱାରା ନିର୍ମିତ କାରର ବିକ୍ରୟ ଏବେ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ବିଶେଷକରି ୟୁରୋପୀୟ ଦେଶଗୁଡ଼ିକରେ, ଟେସଲାର ବିକ୍ରୟରେ ଏକ ବଡ଼ ହ୍ରାସ ପରିଲକ୍ଷିତ ହେଉଛି । ଖାସ କରି ଜର୍ମାନୀରେ ଟେସଲାର ବିକ୍ରି ୭୬ ପ୍ରତିଶତ ହ୍ରାସ ପାଇଛି । ସେହିପରି ଫ୍ରାନ୍ସରେ ଟେସଲା କାର୍ ବିକ୍ରୟ ୪୫ ପ୍ରତିଶତ, ଇଟାଲୀରେ ୫୫ ପ୍ରତିଶତ, ନେଦରଲ୍ୟାଣ୍ଡରେ ୨୪ ପ୍ରତିଶତ, ସ୍ୱିଡେନରେ ୪୨ ପ୍ରତିଶତ ଏବଂ ସ୍ପେନରେ ୧୦ ପ୍ରତିଶତ ହ୍ରାସ ପାଇଛି । ଅଷ୍ଟ୍ରେଲିଆ ଏବଂ ଚୀନରେ ମଧ୍ୟ ଟେସଲା କାର ବିକ୍ରି ହେଉନାହିଁ । ଅଷ୍ଟ୍ରେଲିଆରେ ୬୬ ପ୍ରତିଶତ ହ୍ରାସ ଦେଖାଦେଇଥିବା ବେଳେ, ଚୀନରେ ୪୯ ପ୍ରତିଶତ ହ୍ରାସ ଘଟିଛି ।

ଟେସଲାର ସେୟାର ମଧ୍ୟ ହ୍ରାସ ପାଉଛି
ଏହି ବର୍ଷ ଫେବୃଆରୀ ସୁଦ୍ଧା, ଟେସଲାର ସେୟାର ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇଛି । ଯଦି ଆମେ କେବଳ ଫେବ୍ରୁଆରୀ ମାସ କଥା କହିବା, ତେବେ ଟେସଲାର ସେୟାର ପ୍ରାୟ ୨୫ ପ୍ରତିଶତ ହ୍ରାସ ପାଇଛି । 

୯ ଲକ୍ଷ କୋଟିର କ୍ଷତି
ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସ ରିପୋର୍ଟ ଅନୁଯାୟୀ, ଏହି ବର୍ଷ ଏଲନ ମସ୍କଙ୍କ ସମ୍ପତ୍ତିରେ ୧୦୩ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୯ ଲକ୍ଷ କୋଟି ଟଙ୍କା ହ୍ରାସ ଦେଖିବାକୁ ମିଳିଛି । ଯାହା ମସ୍କଙ୍କ ଚିନ୍ତା ବଢାଇ ଦେଇଛି ।