କନକ ବ୍ୟୁରୋ: ଟ୍ରମ୍ପ୍ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଏଲନ ମସ୍କ ଖୁସି ମଧ୍ୟ ବ୍ୟକ୍ତ କରିଥିଲେ । କିନ୍ତୁ ଏବେ ମସ୍କଙ୍କ ଟ୍ରାନ୍ସ ଝିଅ ଭିଭିୟାନ ଜେନା ୱିଲସନ ଟ୍ରମ୍ପଙ୍କ ବିଜୟକୁ ନେଇ ଖୁସି ନାହାନ୍ତି । ସେ ଘୋଷଣା କରି କହିଛନ୍ତି ଯେ ବର୍ତ୍ତମାନ ସେ ଆମେରିକାରେ ରହିବାକୁ ଚାହୁଁନାହାନ୍ତି । ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପରେ ସୋସିଆଲ ମିଡିଆ ସାଇଟ୍ ‘ଥ୍ରେଡସ’ରେ ଜେନା ୱିଲସନ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ‘ମୁଁ କିଛି ସମୟ ପୂର୍ବରୁ ଏହା ଭାବିଥିଲି, କିନ୍ତୁ ବର୍ତ୍ତମାନ ଏହା ନିଶ୍ଚିତ ମଧ୍ୟ ହୋଇଛି । ମୁଁ ଯୁକ୍ତରାଷ୍ଟ୍ର ଆମେରିକାରେ ନିଜର ଭବିଷ୍ୟତ ଦେଖୁନାହିଁ’ ।
ଏଲନଙ୍କ ଝିଅଙ୍କ ଏପରି ବୟାନକୁ ନେଇ ବିଶ୍ୱରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏଲନ ମସ୍କଙ୍କ ଟ୍ରାନ୍ସ ଝିଅ ନିଜ ବାପାଙ୍କଠାରୁ ଦୂରେଇ ରୁହନ୍ତି । ଜେଣ୍ଡର ଚେଞ୍ଜ ଅପରେସନ ପରଠାରୁ ଉଭୟଙ୍କ ସମ୍ପର୍କରେ ଫାଟ ଆସିଥିଲା । ଉଭୟ ପରସ୍ପର ସହ କଥା ସୁଦ୍ଧା ହେବାକୁ ଚାହୁଁ ନାହାନ୍ତି । ୱିଲସନ ନିଜେ ହିଁ ଅନେକ ଇଣ୍ଟରଭ୍ୟୁରେ ବାପାଙ୍କ ଉପରେ ଭିନ୍ନ ଭିନ୍ନ ପ୍ରକାରର ଅଭିଯୋଗ ମଧ୍ୟ ଲଗାଇଛନ୍ତି । ୨୦୦୪ରେ ଏଲନ ମସ୍କ ଓ ଜଷ୍ଟିନଙ୍କଠାରୁ ଜେନା ୱିଲସନ ଜନ୍ମ ନେଇଥିଲେ । ଜେନାଙ୍କର ନାମ ସେହି ସମୟରେ ଜେଭିୟର ଅଲେକ୍ସଜାଣ୍ଡାର ମସ୍କ ରଖାଯାଇଥିଲା । ୨୦୦୦ରେ ମସ୍କ ତାଙ୍କ ମା’ଙ୍କୁ ବିବାହ କରିଥିଲେ । ହେଲେ ୨୦୦୮ରେ ଏହି ସମ୍ପର୍କ ସବୁଦିନ ପାଇଁ ଭାଙ୍ଗି ଯାଇଥିଲା ।