କନକ ବ୍ୟୁରୋ : ଯୁଗ ବଦଳିବା ସହ ଟେକ୍ନଲୋଜି ବି ବଦଳିବାରେ ଲାଗିଛି । ଅନେକ କ୍ଷେତ୍ରରେ ଲୋକଙ୍କୁ ଏହାର ସୁଫଳ ବି ମିଳୁଛି । AI ଆସିବା ଦିନରୁ ଲୋକଙ୍କ ଅନେକ କାମ ଏବେ AI କରିନେଉଛି । ବଡ ବଡ କମ୍ପାନୀମାନେ ମଧ୍ୟ AI ଦ୍ୱାରା କାମ କରିବା ଆରମ୍ଭ କରିଲେଣି । ମଣିଷ ଅପେକ୍ଷା AI ସବୁ କାମକୁ ସଠିକ୍ ଏବଂ ଠିକ୍ ସମୟରେ କରିପାରୁଛି । ଏହାରି ଭିତରେ ଏଲନ୍ ମସ୍କଙ୍କ ଭବିଷ୍ୟବାଣୀ ଚିନ୍ତା ବଢାଇଦେଇଛି ।
ଟେସଲା ସିଇଓ ଏଲନ୍ ମସ୍କ AIକୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି, ଆଗାମୀ ବର୍ଷଗୁଡ଼ିକରେ AI ସମସ୍ତ ଚାକିରିକୁ ସମାପ୍ତ କରିଦେବ । ଚାକିରି ପାଇଁ ଆଉ ଲୋକଙ୍କ ଆବଶ୍ୟକତା ରହିବ ନାହିଁ । ପ୍ୟାରିସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମସ୍କ ତାଙ୍କ ଭାଷଣରେ କହିଛନ୍ତି, ବିଶ୍ୱରେ କୌଣସି ଚାକିରି ରହିବ ନାହିଁ ଏବଂ AI ଏବଂ ରୋବୋଟ୍ ସବୁକିଛି କରିବେ । ମଣିଷ କେବଳ ନିଜ ସୌକ ପାଇଁ କାମ କରିବ । ତେବେ ଏହି ପ୍ରଶ୍ନ ଏବେ ଉଠିନି, AI ଆସିବା ଦିନରୁ ଏହି ପ୍ରଶ୍ନ ଉଠିଆସୁଛି । AI କଣ ସତରେ ମଣିଷଙ୍କ ରୋଜଗାରକୁ ଛଡାଇ ନେବ ? ଏଭଳି ପ୍ରଶ୍ନ ଚିନ୍ତାରେ ପକାଇଥିବା ବେଳେ ଏଲନ୍ ମସ୍କଙ୍କ ଭବିଷ୍ୟବାଣୀ ଚିନ୍ତାରୁ ଦୁଇଗୁଣା କରିଦେଇଛି ।
ଅପ୍ସନାଲ୍ ପାଲଟିଯିବ ଚାକିରି କରିବା
ମସ୍କ କହିଛନ୍ତି "ସମ୍ଭବତଃ ଆମ ମଧ୍ୟରୁ କାହାରି ଚାକିରି ରହିବ ନାହିଁ" । AI ରୋବୋଟ୍ ସମସ୍ତ ଭୂମିକା ଗ୍ରହଣ କରିବ ଏବଂ କାମ କରିବା ଇଚ୍ଛାଧୀନ ହୋଇଯିବ । ଯଦି କାହାର ହବି ଅଛି, ତେବେ ସେ କାମ କରିବ, କିନ୍ତୁ AI ଏବଂ ରୋବୋଟ୍ ସବୁ କାମ କରିପାରିବ । ଟେସଲାର ସିଇଓ ପ୍ରଶ୍ନ କହିଛନ୍ତି, AI ଏବଂ ରୋବୋଟ୍ ଆସିବା ପରେ, ଲୋକଙ୍କ ଜୀବନର କୌଣସି ଅର୍ଥ ରହିବ କି? ଆପଣଙ୍କୁ କହିରଖୁଛୁ କି, ଏହା ପ୍ରଥମ ଥର ନୁହେଁ ଯେତେବେଳେ ମସ୍କ AI ବିଷୟରେ ଚିନ୍ତା ପ୍ରକାଶ କରିଛନ୍ତି । ସେ ପୂର୍ବରୁ AIର ଦ୍ରୁତ ବିକାଶ ବିଷୟରେ ନିଜର ଚିନ୍ତା ପ୍ରକଟ କରିଛନ୍ତି । ଆମେରିକୀୟ କୋଟିପତି ଏହା ମଧ୍ୟ ଦୋହରାଇଥିଲେ ଯେ, ସତ ସାମ୍ନାକୁ ଆଣିଲା ଏବଂ ମାନବ କଲ୍ୟାଣ ପାଇଁ AI ଡିଜାଇନ୍ କରାଯିବା ଉଚିତ । ନଚେତ୍ ଆଗାମୀ ଦିନରେ AI ଲୋକଙ୍କୁ କେବଳ ବେରୋଜଗାର କରିବ ନାହିଁ ଲୋକଙ୍କ ଭବିଷ୍ୟତ ଉପରେ ବି ବଡ ପ୍ରଭାବ ପକାଇବ ।