କନକ ବ୍ୟୁରୋ: ହନ୍ତସନ୍ତ କରୁଛନ୍ତି ହାତୀ। ୩୨ ଦଳିଆ ହାତୀପଲଙ୍କ ବ୍ୟାପକ କ୍ଷୟକ୍ଷତି । ୩ ଘର ଭାଙ୍ଗି ଧାନ ଚାଉଳ ଖାଇଛନ୍ତି ହାତୀପଲ । ହାତୀପଲକୁ ନେଇ ଗାଁରେ ଭୟର ବାତାବରଣ ରହିଛି । ଗତମାସ ମୟୂରଭଞ୍ଜ ପଟୁ ଚମ୍ପୁଆ ରେଞ୍ଜକୁ ପଶି ଆସିଥିବା ୩୨ଦଳିଆ ହାତୀପଲ ଗତକାଲି ରାତିରେ ବାଲିବନ୍ଧ ସେକ୍ସନର ସୋଲଗୋଡା ଗାଁରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି ।

Advertisment

ଗାଁର ଦେବଶରଣ ଗିରି, ଧ୍ୟାନଚାନ୍ଦ ଗିରି ଓ ନିଶିକାନ୍ତ ଗିରିଙ୍କ ଘର ସଂପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି ହାତୀପଲ । ଘର ଭିତରେ ଥିବା ଧାନ ଚାଉଳ ମଧ୍ୟ ଖାଇଯାଇଛନ୍ତି । ହାତୀପଲ ରାତିସାରା ଗାଁରେ ଉତ୍ପାତ କରିବା ସହ ଆଜି ସକାଳୁ ଗାଁ ନିକଟ ଜଙ୍ଗଲରେ ଥିବା ଜଣାପଡ଼ିଛି । ବ୍ୟାପକ ଧାନଫସଲ ମଧ୍ୟ ନଷ୍ଟ କରିଥିବା ବେଳେ ହାତୀପଲଙ୍କୁ ନେଇ ସୋଲଗୋଡ଼ା ଗ୍ରାମ ସହିତ ଆଖପାଖ ମଣଦା, ମଧୁପୁର, ରୁଗୁଡ଼ି, ପାର୍ବତୀପୁର ଗାଁରେ ଭୟର ବାତାବରଣ ରହିଛି। ହାତୀପଲରେ ୧୪ଟି ଦନ୍ତା, ୧୨ଟି ମାଈହାତୀ ସହ ୬ଟି ଛୁଆ ହାତୀ ରହିଛନ୍ତି। ସେମାନଙ୍କ ଗତିବିଧି ଉପରେ ବନବିଭାଗ ନଜର ରଖିଛି ।