କନକ ବ୍ୟୁରୋ: ରେ ମଣିଷ ମୋର ଦୋଷ କ’ଣ? ମୋ ଘରକୁ ତ କାଟି ନେଇ ନିପାତ କଲ। ସେଠି ନା ରହିବାକୁ ରାହା ଅଛି ନା ଖାଇବାକୁ। ଭୋକ ବିକଳରେ ତ ମୁଁ ତୁମ ବାସ ଆଡକୁ ମାଡି ଆସୁଛି । ଏଠି ବି ମୋତେ କଲବଲ କରୁଛ। ମୋତେ ମାରିବାକୁ କାହିଁକି ଏ ଛଳନା , କାହିଁକି ଏ ଷଡଯନ୍ତ୍ର? କେଉଁଠି ଖାଦ୍ୟରେ ବୋମା ରଖିଦେଉଛ ତ କେଉଠି ମୋ ଯିବା ଆସିବା ବାଟରେ ବାରୁଦ ଖଞ୍ଜିଦେଉଛ । ସେ ବୋମା ବିସ୍ଫୋରଣରେ ମୋ ଶରୀରଟା ବିଦାରି ହୋଇଯାଉଛି । ଜୀବନଟା ଯିବା ଯାଏଁ ମୁଁ ଅସହ୍ୟ ଯନ୍ତ୍ରଣାରେ କଲବଲ ହେଉଛି। ତମେମାନେ କ’ଣ ବୁଝିପାରନ ମୋର ଏ ଯନ୍ତ୍ରଣା। ମନ ବୁଝିପାର ବୋଲି ପରା ତୁମେ ମଣିଷ। ହେଲେ ମୋ ଅସହ୍ୟ ଯନ୍ତ୍ରଣାକୁ ବୁଝିପାରୁନ କେମିତି? ମୋର ଚିତ୍କାର କ’ଣ ତମ କାନରେ ପଡୁନି। ମୋ ପ୍ରତି ଏତେ ନିଷ୍ଠୁର କାହିଁକି? ସତରେ କ’ଣ ମୋ ବଂଶ ବୁଡାଇଦବ?
ହାତୀର ଏ ବିକଳ ଶୁଣିବାକୁ ଅମଙ୍ଗ ଏ ଅମଣିଷ ରୂପି ମଣିଷ। ଆଜିକା ଦିନରେ ନା ଭିତରର ଦାୟା ମାମୟା ସବୁ ଯେମିତି ମରିଯାଇଛି। ନିଜ ସ୍ବାର୍ଥ ପାଇଁ ହାତୀକୁ କଲବଲ କରି ମାରିପକାଉଛି। ୨୦୨୦ରେ କେରଳରେ ହାତୀ ପାଟିରେ ସପୁରୀ ସହ ବୋମା ଫୁଟିବା ଘଟଣା ହେଉ କି ଖୋର୍ଦ୍ଧା ଭରତପୁରରେ ଦନ୍ତାହାତୀ ପାଟିରେ ବୋମାଫୁଟିବା ଘଟଣା ହେଉ ଏଥିରେ କିନ୍ତୁ ବ୍ରେକ ଲାଗୁନି। ଆଜି ପୁଣି କଲବଲ ହୋଇ ପ୍ରାଣ ହରରାଛି ଆଉ ଏକ ହାତୀ। ସୁନ୍ଦରଗଡ ଉଜ୍ବଳପୁରରେ ଆଜି ବୋମା ଫୁଟି ଚାଲିଯାଇଛି ଦନ୍ତାର ଜୀବନ। ଟତବିକ୍ଷତ ଅବସ୍ଥାରେ ରାସ୍ତାକଡ଼ କ୍ଷେତରେ ପଡିରହିଛି ମୃତ ଦନ୍ତା ।
ଏହାପୂର୍ବରୁ ବି ଏଭଳି ଅନେକ ଘଟଣା ଘଟିଛି । ତା ଭିତରୁ ଭରତପୁର ଜଙ୍ଗଲରେ ଆଖି ବୁଜିଲା ଦନ୍ତା ହାତୀ କଥା ମନେପଡେ । ୨୦୨୪ ଫେବ୍ରୁଆରାରେ ବିଶାଳ ଦନ୍ତା ପାଟିରେ ବୋମା ଫୁଟିଲା। ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରି ଚିକିତ୍ସା କରାଯାଇଥିଲା ବଞ୍ଜିନଥିଲା ଜୀବନ। କିଛି ଦିନ କଷ୍ଟ ପାଇବା ପରେ ଯାଇଥିଲା ଦନ୍ତାର ଜୀବନ।
ଆଉ ୨୦୨୦ର କେରଳର ସେ ଘଟଣା ଯାହା ପୁରା ଦେଶକୁ ଦୋହଲାଇଦେଇଥିଲା। ଜଙ୍ଗଲରୁ ଲୋକବସତିକୁ ବାହାରିଆସିଥିବା ଗଭର୍ବତୀ ହାତୀକୁ ଛଳନା କରି ସପୁରୀ ସହ ବୋମା ଖାଇବାକୁ ଦେଇଥିଲା କପଟୀ ମଣିଷ। ଭୋକରେ ଆଉଟୁପାଉଟୁ ହାତୀ ଯେତେବେଳେ ସପୁରୀକୁ ପାଟି ଚାପିଦିଏ ଭୟଙ୍କର ବିସ୍ଫୋରଣ ହେଲା। ତା ପାଟି ଭିତରଟା ଖିନଭିନ ହୋଇଗଲା। ବିକଳରେ ଗଭୀର ପାଣିରେ ପଶିଗଲା। ଆଉ କିଛି ଦିନ ସେଠି ରହିବା ପରେ ପାଟିର ଯନ୍ତ୍ରଣା ସାଙ୍ଗକୁ ଭୋକର ଦାଉରେ ଛଟପଟ ହୋଇ ପ୍ରାଣ ହରାଇଲା ମାଈ ହାତୀ।
ଏମିତି ଅନେକ ଥର ନୀରିହ ହାତୀ ଉପରେ ନିଜ ନୃଶଂସତାର ପ୍ରଚଣ୍ଡ ପ୍ରହାର କରିଛି ଏ ମଣିଷ। ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ତାଜା ତଥ୍ୟା ଅନୁସାରେ କେବଳ ଆମ ରାଜ୍ୟରେ ଗତ ୧୦ ବର୍ଷରେ ଗଲାଣି ୮୫୭ ହାତୀଙ୍କ ଜୀବନ। ସେଥିରୁ ୩୦୫ ହାତୀ ରୋଗର ଶିକାର ହୋଇ ପ୍ରାଣ ହରାଇଥିବାବେଳେ ୧୪୯ ହାତୀ ବିଦ୍ୟୁତ ଆଘାତରେ ଜୀବନ ହରାଇଛନ୍ତି। ଏହାସହ ଅନ୍ୟ ପ୍ରାକୃତିକ କାରଣରୁ ୨୨୯ ହାତୀଙ୍କର ମୃତ୍ୟୁ ହୋଇଛି। ଶିକାର ଦ୍ୱାରା ୩୦ ହାତୀ, ରେଳ ଦୁର୍ଘଟଣାରେ ୨୯, ପ୍ରତିହିଂଶା ପରାୟଣ ଘଟଣାରେ ୧୬ ହାତୀ ମୃତ୍ୟୁବରଣ କରିଛନ୍ତି। ହେଲେ ଅନେକ ସମୟରେ ମଣିଷର ଚକ୍ରାନ୍ତରେ ବଳି ପଡୁଛନ୍ତି ଗଜରାଜ।
ଆଜି ନିଶବ୍ଦରେ ନ୍ୟାୟ ମାଗୁଛି ହାତୀ। ତା’ ପ୍ରତି ମଣିଷର ଏ ଅତ୍ୟାଚାର କେବେ ବନ୍ଦ ହେବ। କେବେ ତାକୁ ମିଳିବ ଏ କୂଟଚକ୍ରାନ୍ତୁରୁ ମୁକ୍ତି? ଆଉ ଭୟରେ ଗଜରାଜ ପ୍ରଶ୍ନ କରେ ସତରେ କ’ଣ ହାତୀଙ୍କ ବଂଶ ବୁଡାଇଦେବ ଏ ନୃଶଂସ ମଣିଷ?