କନକ ବ୍ୟୁରୋ : ପ୍ରଥମେ ଗଲା ବର୍ଷା ଆଉ ଏବେ ହାତୀ । ଦଇବ ଯେମିତି ଚାଷୀଙ୍କ ଉପରେ ଦାଉ ସାଧିଛି । ବର୍ଷ ତମାମର ପରିଶ୍ରମ ମାଟିରେ ମିଶିଛି, ଆଉ ଚାଷୀ ମୁଣ୍ଡ ପିଟି କାନ୍ଦୁଛି । ମୟୁରଭଞ୍ଜରେ ଫସଲ ଉଜାଡି ଦେଇଛନ୍ତି ହାତୀପଲ । ସେପଟେ କାମାକ୍ଷାନଗରରେ ଘରଭାଙ୍ଗି ଧାନଚାଉଳ ଖାଇଯାଇଛନ୍ତି ।

Advertisment

କିଏ ଵିଲ ଭିତରେ ଏଣେତେଣେ ପଡ଼ିଥିବା ଅମଳ ଧାନକୁ ଗୋଟାଉଛି ତ ଆଉ କିଏ ମାଟିରେ ମିଶି ଯାଇଥିବା ପରିବା ଚାଷକୁ ଦେଖି ଆଖିରୁ ଲୁହ ଗଡା଼ଉଛି । ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ରାଣୀବନ୍ଧ ଗାଁରେ ଚାଷୀଙ୍କୁ ହତାଶ କରିଛନ୍ତି ହାତୀପଲ । ବାତ୍ୟା ଦାନା ଓ ଅଦିନିଆ ବର୍ଷା ଦାଉରୁ ବର୍ତ୍ତିଯାଇଥିବା ଫସଲକୁ ନଷ୍ଟ କରିଦେଇଛି ହାତୀ । ଧାନ ସହ ଫୁଲକୋବି ଓ ଗେଣ୍ଡୁଫୁଲ ଚାଷ ଦଳି ଦେଇଛନ୍ତି । ଚମ୍ପାଗଡି ଗାଁର କୁସୁମିକା ମହଲ । ଧାନ ବିକି କ୍ୟାନ୍ସର ପୀଡ଼ିତ ସ୍ୱାମୀଙ୍କ ଚିକିତ୍ସା ସହ ଦୁଇ ଝିଅଙ୍କ ପଢ଼ା ଖର୍ଚ୍ଚ ତୁଲେଇବେ ବୋଲି ଆଶା ରଖିଥିଲେ । ହେଲେ ଏବେ ଆଉ କିଛି ନାହିଁ । ହାତୀ ପାଦତଳେ ସବୁ ଯାଇଛି ।

ସେହିଭଳି ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜ ଜହ୍ନପଡ଼ାରେ ହାତୀ ଆତଙ୍କ। କାନ୍ଥ ଭାଙ୍ଗି ଘରେ ପଶିଲେ । ଧାନଚାଉଳ ଖାଇ ଚାଲିଗଲେ । ଶୁକ୍ରବାର ସକାଳେ ଗାଁର ଦୟାନିଧି ଦଳେଇଙ୍କ ଘରର କାନ୍ଥ ଭାଙ୍ଗିବା ସହ ଘରେ ଥିବା ଧାନଚାଉଳ ଖାଇଦେଇଛନ୍ତି ହାତୀ । ବ୍ୟାପକ ଭଙ୍ଗାରୁଜା କରିଛନ୍ତି । କିନ୍ତୁ ଭଗବାନଙ୍କ ଦୟାରୁ, ଘର ଭିତରେ ଥିବା ଦୟାନିଧି ଓ ତାଙ୍କ ପତ୍ନୀ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ଉଭୟ ଅନ୍ୟ ଏକ ଘରେ ଲୁଚି ଯିବାରୁ ଜୀବନ ବଞ୍ଚିଯାଇଛି । କିନ୍ତୁ ତାଙ୍କ ବାସଟିକୁ ଭାଙ୍ଗି ଛିନଛତର କରି ଦେଇଛନ୍ତି ହାତୀ ।