କନକ ବ୍ୟୁରୋ: ଧାନ ବୁଣିବା ଠାରୁ ଅମଳ ପର୍ଯ୍ୟନ୍ତ ଚାଷୀଙ୍କ ପିଛା ଛାଡୁନି ସମସ୍ୟା । କେତେବେଳେ ଅଦିନିଆ ବର୍ଷା ତ ପୁଣି କେତେବେଳେ ଜଙ୍ଗଲି ହାତୀ ନଷ୍ଟ କରୁଛନ୍ତି ଫସଲ । ଏବେ ଚାଷୀ ଧାନ ଅମଳ କରି ମଣ୍ଡିରେ ବିକ୍ରି କରିବାକୁ ନେଇଥିବା ବେଳେ ମଣ୍ଡିରେ ପଶି ଧାନ ଖାଇଦେଇଛନ୍ତି ହାତୀପଲ । ବଲାଙ୍ଗିର ଜିଲ୍ଲା ମୁରିବାହଲ ବ୍ଲକ ବଡ଼ସାଇମରା ମଣ୍ଡିରେ ଉତ୍ପାତ ମଚାଇଛନ୍ତି ହାତୀପଲ ।

Advertisment

ପାଖାପାଖି ୧୩ ଟିକିଆ ହାତୀପଲ ପଶି ୬୦ ବସ୍ତାରୁ ଅଧିକ ଧାନ ନଷ୍ଟ କରିଛନ୍ତି । କିଛି ଧାନ ଖାଇଯାଇଥିବା ବେଳେ ଆଉ କିଛି ଧାନ ଦଳିଚକଟି ନଷ୍ଟ କରିଦେଇଛନ୍ତି । ଯାହାକୁ ନେଇ ଚାଷୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ଘଟଣାସ୍ଥଳରେ ମୁରିବାହାଲ ତହସିଲଦାର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ନଷ୍ଟ ହୋଇଥିବା ଧାନର କ୍ଷତିପୂରଣ ଦାବି କରିଛନ୍ତି ଚାଷୀ । 

ସେପଟେ  ବନ୍ଦଲ ଗାଁରେ  ହାତୀ ଆକ୍ରମଣରେ ଗଲା ଜୀବନ । ସୁନ୍ଦରଗଡ଼ ଜିଲ୍ଲା ବରସୁଆଁ ରେଞ୍ଜ ଡେଙ୍ଗୁଳା ସେକ୍ସନ  ଅନ୍ତର୍ଗତ ବନ୍ଦଲ ଗାଁରେ କିଛି ଦିନ ହେଲା ଦନ୍ତାହାତୀ ଉତ୍ପାତ ମଚାଇଛନ୍ତି । ପନିପରିବା ଫସଲ ନଷ୍ଟ କରିବା ସହ ଘରଦ୍ବାର ଭାଙ୍ଗି ନଷ୍ଟ କରୁଛନ୍ତି । ଗତକାଲି ସନ୍ଧ୍ୟାରେ ଗାଁର ବିଠୋଲ ନାଏକ ଓ ଦୁର୍ଯ୍ୟୋଧନ ନାଏକ, ରେଙ୍ଗମା ଜିଲୁସାହିରୁ କୌଣସି କାମ ସାରି ଘରକୁ ଫେରୁଥିବା ବେଳେ, ଦନ୍ତା ହାତୀ ଦୁଇ ଜଣକୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । ଦୁର୍ଯ୍ୟୋଧନ ଦୌଡ଼ି ପଳାଇଥିବା ବେଳେ ବିଠୋଲା ଦୌଡ଼ି ନପାରି ଦନ୍ତା ହାତୀ କବଳରେ ପଡ଼ିଯାଇଥିଲେ । ଶୁଣ୍ଡରେ ଟାଣି କଚାଡିଦେବା ଫଳରେ ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଘଟଣାସ୍ଥଳରେ ବନବିଭାଗ ଓ ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲେ ।