କନକବ୍ୟୁରୋ : କେନ୍ଦୁଝର ଜିଲ୍ଲା ଦୈତାରୀ ବନାଞ୍ଚଳ ବ୍ରାହ୍ମଣୀପାଳ ବଜାରରେ ବୁଲୁଛି ହାତୀ । ବଜାରରେ ବୁଲିବା ସହିତ ଟାଟା କଲୋନୀ ଭିତରେ ମଧ୍ୟ ବୁଲୁଥିବା ଦେଖିବାକୁ ମିଳିଛି । ଦନ୍ତା ହାତୀକୁ ଦେଖି ସାଧାରଣ ଲୋକ ଭୟଭୀତ ଅଛନ୍ତି । ଘଟଣା ସ୍ଥଳରେ ବନକର୍ମଚାରୀ ପହଂଚି ହାତୀ ଘଉଡ଼ାଇଛନ୍ତି । ଦନ୍ତା ହାତୀକୁ ବଜାର ଅଂଚଳରୁ ଘଉଡ଼ାଇ କୁଶେଇ ନଦୀ ପାରି କରି ଜଙ୍ଗଲକୁ ଛାଡ଼ିଛନ୍ତି ବନ କର୍ମଚାରୀ ।
ସେପଟେ ନଦୀକୂଳକୁ ଛେଳି ଆଣିବାକୁ ଯାଇଥିବା ବେଳେ ଟାଣିନେଲା କୁମ୍ଭୀର । ଗତକାଲି ଠାରୁ ବନ ବିଭାଗ, ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକ ମାନଙ୍କ ଦ୍ବାରା ବହୁତ ଖୋଜାଖୋଜି ପରେ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର ହେଇଛି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ବେଣାକନ୍ଦା ଗାଁର ଲକ୍ଷ୍ମୀ ଦଳେଇ ନାମକ ଜଣେ ମହିଳା ଗୋବରୀ ନଦୀ କୂଳକୁ ଛେଳି ଆଣିବାକୁ ଯାଇଥିବା ବେଳେ କୁମ୍ଭୀର ଟାଣିନେଇଥିଲା ।
ମହିଳାଙ୍କ ଦୁଇ ଗୋଡ଼ରେ କୁମ୍ଭୀର କାମୁଡାର ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ନଦୀନାଳ ଘେରା ମହାକାଳପଡ଼ା ଅଂଚଳରେ ଦିନକୁ ଦିନ କୁମ୍ଭୀର ଆକ୍ରମଣର ସଂଖ୍ୟା ବୃଦ୍ଧି ପାଉଛି । ମହିଳାଙ୍କ ମୃତଦେହ ଉଦ୍ଧାର ହେବାପରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତୁରନ୍ତ ମୃତ ମହିଳାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି