କନକ ବ୍ୟୁରୋ: ରାଜ୍ୟରେ ହାତୀ ଆତଙ୍କ ବଢ଼ିବାରେ ଲାଗିଛି । ବିଲରେ ପଶି ଚାଷ ନଷ୍ଟ କରୁଛନ୍ତି, କାହା ଘର ଭାଙ୍ଗୁଛନ୍ତି । ଅନେକ ଲୋକଙ୍କ ପ୍ରାଣ ଯାଉଛି । ଏବର୍ଷ ଅନୁଗୁଳ ଜିଲ୍ଲାରେ ସର୍ବାଧିକ ଫସଲ ନଷ୍ଟ ହୋଇଛି । ଯାହାକୁ ନେଇ ଚାଷୀ ଚିନ୍ତାରେ । ହାତୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ବନବିଭାଗ କଠୋର ପଦକ୍ଷେପ ନେବାକୁ ଦାବି ହେଉଛି ।
ହାତୀଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ବନ ବିଭାଗ !
ପ୍ରାକୃତିକ ବିପର୍ଯ୍ୟୟଠୁ ବଳୁଛି ହାତୀ ଉପଦ୍ରବ । ଅନୁଗୁଳ ବନଖଣ୍ଡର ୫୦ରୁ ଅଧିକ ପଞ୍ଚାୟତ ଚାଷୀଙ୍କ ନିଦ ହଜାଇଛନ୍ତି ହାତୀପଲ । ରାତିରେ କ୍ଷେତରେ ପଶି ଦଳିଚକଟି ଏକର ଏକର ଧାନ ଓ ପରିବା ଫସଲ ନଷ୍ଟ କରିଦେଇଛନ୍ତି । ଉଜୁଡ଼ା କ୍ଷେତକୁ ଦେଖି ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ଅନ୍ୟପଟେ ହାତୀଙ୍କୁ ନିୟନ୍ତ୍ରଣ କରିବାରେ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି ।
ବନ ବିଭାଗର ରିପୋର୍ଟ ଅନୁସାରେ, ୨୦୨୩-୨୪ରେ ଅନୁଗୁଳ ବନଖଣ୍ଡରେ ସର୍ବାଧିକ ୧୨,୭୮୫ ଜଣ ଚାଷୀ କ୍ଷତିପୂରଣ ପାଇଁ ଆବେଦନ କରିଥିଲେ । ପୁଣି ୨୦୨୪-୨୫ରେ ରାଜ୍ୟରେ ଅନୁଗୁଳ ବନଖଣ୍ଡରେ ସର୍ବାଧିକ ଫସଲ ନଷ୍ଟ ହୋଇଛି । ଅଗଷ୍ଟ ମାସ ସୁଦ୍ଧା ୧,୯୫୩ ଜଣ ଚାଷୀ କ୍ଷତିପୂରଣ ପାଇଁ ଆବେଦନ କରିଛନ୍ତି । ହାତୀ ନଷ୍ଟ କରୁଥିବା ଫସଲର ଉଚିତ ମୂଲ୍ୟାୟନ କରି କ୍ଷତିପୂରଣ ଯୋଗାଇ ଦିଆଯାଇଥିବା ଅନୁଗୁଳ ଡିଏଫ୍ଓ ନୀତିଶ କୁମାର । ବନ ବିଭାଗ ହାତୀପଲକୁ ଆୟତ୍ତ କରିବାର ଲକ୍ଷଲକ୍ଷ ଟଙ୍କାର ଯୋଜନା ଫେଲ୍ ମାରିଛି । ଏହିଭଳି ଭାବେ ହାତୀ ଉପଦ୍ରବ ଜାରି ରହିଲେ ଚାଷ ଛାଡ଼ି ଦାଦନ ଖଟିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ଚାଷୀ ।