କନକ ବ୍ୟୁରୋ : ଗୋଟିଏ ବର୍ଷର ଦାନାକୁ ବଞ୍ଚାଇବା ପାଇଁ ଜୀବନକୁ ପାଣି ଛଡାଇ ଶୀତ କାକରାକୁ ଖାତିର ନ କରି ଗଛରେ ମଞ୍ଚା ବାନ୍ଧି ଧାନ ଫସଲକୁ ଦିନ ରାତି ଜଗି ବସିଛନ୍ତି ଚାଷୀ ମାନେ । ବାତ୍ୟା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଧାନ ଅମଳ ସମୟରେ ଜଙ୍ଗଲ ପାଦଦେଶରେ ଥିବା ବିଲ ଗୁଡିକରେ ଉପଦ୍ରବ କରୁଛନ୍ତି ହାତୀମାନେ । ଫଳରେ ହାତୀ ପାଇଁ ଚାଷୀର ସାଥୀ ସାଜିଛି ଗଛର ମଞ୍ଚା । 

Advertisment

ରାତିର କିଟ୍ କିଟ୍ ଅନ୍ଧାର ଓ ଶୀତକୁ ଖାତର ନକରି ମଞ୍ଚା ଉପରେ ଜଗି ବସିଛି ଚାଷୀ । କାରଣ ବର୍ଷକର ଆହାର ଏବେ ବିପଦରେ । ରାତି ହେଲେ ଧାନ ବିଲରେ ଉତ୍ପାତ କରୁଛନ୍ତି ହାତୀ । ଧାନ ଖାଉଛନ୍ତି କମ, ଦଳିଚକଟି ନଷ୍ଟ କରୁଛନ୍ତି ଅଧିକ । କିଏ ମଞ୍ଚା ଉପରେ ବସି ଟିଣ ପିଟୁଛନ୍ତି ତ ଆଉ କିଏ ଟର୍ଚ୍ଚ ଲାଇଟ୍ ମାରି ହାତୀ ଘଉଡ଼ାଉଛନ୍ତି । ବାଲେଶ୍ୱର ଜିଲ୍ଲା ନୀଳଗିରିର ଜଙ୍ଗଲ ନିକଟ ଗାଁରୁ ଆସିଛି ଏଭଳି ଚିତ୍ର । ନୀଳଗିରିରେ ୧୦ ହଜାର ୨୪୦ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ଔପଦାରେ ୯ ହଜାରରୁ ଅଧିକ ହେକ୍ଟର ଜମିରେ ଧାନ ଚାଷ କରିଛନ୍ତି ଚାଷୀ । କୁଳଡ଼ିହା ଅଭୟାରଣ୍ୟ ପାଦଦେଶରେ ଥିବା ୧୮ଟି ପଞ୍ଚାୟତ ଓ ନୀଳଗିରି ଏନଏସିର ୩ଟି ୱାର୍ଡର ଚାଷ ଏବେ ହାତୀଙ୍କ ମୁହଁରେ । ହାତୀପଲ ହେକ୍ଟର ହେକ୍ଟର ଚାଷ ନଷ୍ଟ କରୁଛନ୍ତି । ବର୍ଷକର ଆହାର ଉଜୁଡି ଯିବାର ଆଶଙ୍କା କରି ଗଛ ଉପରେ ମଞ୍ଚା ବାନ୍ଧି ରହୁଛନ୍ତି ଚାଷୀ । ସାରା ରାତି ଶୀତରେ ଥରିଥରି ଫସଲ ଜଗୁଛନ୍ତି ।

ବିଲରେ ଧାନ ବିହନ ପଡିବା ଦିନ ଠାରୁ ଚାଷୀମାନେ ଜମିକୁ ଜଗି ରହିଛନ୍ତି । ଏବେ ଧାନ ଅମଳ କରିବାର ସମୟ। ଧାନ ପାଚିଲାଣି । କଟା ଯାଇଥିବା ଧାନ ବିଲରେ ପଡ଼ିଛି । ତେଣୁ ଚାଷୀଙ୍କ ସମୟ ମଞ୍ଚାରେ ବିତୁଛି । ଦିନରେ ମହିଳା ଓ ତାରିରେ ପୁରୁଷମାନେ ହାତୀ ଦାଉରୁ ଚାଷକୁ ସୁରକ୍ଷିତ ରଖିବା ପାଇଁ ଉଦ୍ୟମ ଚଳାଇଛନ୍ତି । ହାତୀ ଘଉଡ଼େଇବା ପାଇଁ ସ୍ଥାନୀୟ ପ୍ରଶାସନ ଓ ବନବିଭାଗ ପକ୍ଷରୁ କୌଣସି ସହଯୋଗ କରାଯାଉନଥିବା ଚାଷୀ ଅଭିଯୋଗ କରିଛନ୍ତି ।