କନକବ୍ୟୁରୋ: ବାତ୍ୟା ପ୍ରଭାବରେ ଉପକୂଳ ଓଡିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ମୁଖ୍ୟତଃ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ବର୍ଷା ଜାରି ରହିଛି । ଫଳରେ ଏହି ସବୁ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।
କଟକ ଓ ଭୁବନେଶ୍ବରରେ ସାମାନ୍ୟ ବର୍ଷା ହେଉଥିବା ବେଳେ ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଳାରେ ବି ଝିପିଝିପି ବର୍ଷା ହେଉଥିବା ଜଣାଯାଇଛି ।
ଉପରୋକ୍ତ ଜିଲ୍ଲାଗୁଡ଼ିକରେ ଜୋରରେ ପବନ ବହୁଛି । ଶୁକ୍ରବାର ଚାନ୍ଦବାଲିରେ ସର୍ବାଧିକ ୧୫୮.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି କେନ୍ଦ୍ରାପଡ଼ା ରାଜକନିକାରେ ୧୫୬ ମିଲିମିଟର, ଭଦ୍ରକ ବାସୁଦେବପୁର, କେନ୍ଦ୍ରାପଡ଼ା ମାର୍ଷାଘାଇରେ ୧୧୦ ମିଲିମିଟର, ରାଜନଗରରେ ୧୦୦ ମିଲିମିଟର, ମହାକାଳପଡ଼ା, ଆଳିରେ ୯୦ ଓ ୮୦ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
ପାରାଦୀପରେ ୭୬.୪ ମିଲିମିଟର ବର୍ଷା ହୋଇଛି। ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ।