କନକ ବ୍ୟୁରୋ : ମାର୍ଚ୍ଚ ମାସ ଆରମ୍ଭରୁ ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ୍ ଅସହ୍ୟ ହେଲାଣି । ଯଦି ଏବେଠୁ ଏତେ ଆଗକୁ ଖରାଦିନେ ବିଦ୍ୟୁତ ଯୋଗାଣର ଅବସ୍ଥା କଣ ନ ହେବ ବୋଲି ବିଦ୍ୟୁତ ଉପଭୋକ୍ତା କୁହାକୁହି ହେଲେଣି । ସରକାର କହୁଛନ୍ତି ବିଦ୍ୟୁତ ଉତ୍ପାଦନରେ ଓଡ଼ିଶା ହେଉଛି ବଳକା ରାଜ୍ୟ । ତଥ୍ୟ ଅନୁସାରେ
ଓଡ଼ିଶାରେ ମୋଟ୍ ବିଦ୍ୟୁତ ଉତ୍ପାଦନ: ୪୩ ହଜାର ୯୮୯ ମିଲିଅନ ୟୁନିଟ୍
ବ୍ୟବହାର ହେଉଛି: ୩୮ ହଜାର ୮୧୪ ମିଲିଅନ ୟୁନିଟ୍
ବଳକା: ୫ହଜାର ୧୩୫ ମିଲିଅନ ୟୁନିଟ୍
ନିୟମ ଅନୁସାରେ ସରକାର ପାୱାର କଟ୍ କଲେ ଆଗୁଆ ଜଣାଇବେ। ଆଉ ସରକାର ନଜଣାଇଲେ ତାହାକୁ ଅଘୋଷିତ ବିଦ୍ୟୁତ କାଟ୍ ବୋଲି ଧରାଯିବ। କିନ୍ତୁ ରାଜ୍ୟରେ ବିଦ୍ୟୁତ କମ୍ପାନୀଗୁଡିକ ଏବେ ମନଇଛା ଅଘୋଷିତ ବିଦ୍ୟୁତ କାଟ୍ କରୁଛନ୍ତି । ଯାହା ନିୟମର ଖୋଲାଖୋଲି ଉଲ୍ଲଙ୍ଘନ କରୁଛି ।
୧୯୯୫ ମସିହାରେ ରାଜ୍ୟ ସରକାର ଗୁଣାତ୍ମକ ବିଦ୍ୟୁତ ଯୋଗାଣ ପାଇଁ ୩ଟି ଘୋଷଣା କରିଥିଲେ।
- ସୁଲଭ ମୂଲ୍ୟରେ ବିଦ୍ୟୁତ ଯୋଗାଣ
- ଗୁଣାତ୍ମକ ମାନର ବିଦ୍ୟୁତ ସେବା
- ନିରବଚ୍ଛିନ୍ନ ସେବା ପ୍ରଦାନ
କିନ୍ତୁ ଏହା ପରବର୍ତ୍ତୀ ସମୟରେ ସମ୍ଭବ ହୋଇନଥିଲା । ୨୦୧୯ରେ ନିୟମରେ ସଂଶୋଧନ ଅଣାଯାଇ ଜଣେ ବିଦ୍ୟୁତ ଉପଭୋକ୍ତାଙ୍କୁ ମାସକୁ ୧୦ ଘଣ୍ଟା ଓ ୧୫ ଥର ବିଦ୍ୟୁତ କାଟ ସହିବାକୁ ବାଧ୍ୟ କରାଗଲା । କିନ୍ତୁ ଏବେ ଯେଉଁ ହାରରେ ବିଦ୍ୟୁତକାଟ୍ ହେଉଛି ତାହା ଏହାଠୁ ଢେର ଅଧିକ ଓ ଅସହ୍ୟ ବି ହେଲାଣି। ବିଦ୍ୟୁତ କମ୍ପାନୀଗୁଡିକ ୨୦୨୩-୨୪ ପାଇଁ ଦେଇଥିବା ତଥ୍ୟ ଅନୁସାରେ ବର୍ତ୍ତମାନ ଜଣେ ଉପଭୋକ୍ତା ୧୦ ଘଣ୍ଟା ବଦଳରେ ହାରାହାରି ୨୩ ଘଣ୍ଟା ଓ ୧୫ ଥର ବଦଳରେ ହାରାହାରି ୩୪ ଥର ବିଦ୍ୟୁତ କାଟ ସହୁଛି ।
ଖୋଦ ରାଜଧାନୀର ଅନେକ ଅଂଚଳରେ ବାରମ୍ୱାର ବିଦ୍ୟୁତକାଟ ହେଉଛି। କିଛି ଦିନ ତଳେ ଏନେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଥିଲେ। ତେଣୁ ଅଘୋଷିତ ବିଦ୍ୟୁତକାଟ୍ କେବ ବନ୍ଦ ହେବ ଓ ଉପଭୋକ୍ତା କେବେ ଉତ୍ତମମାନର ବିଦ୍ୟୁତସେବା ପାଇବେ ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବିଜୁଳି ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟ, ତଥାପି କଲବଲ କରୁଛି ବିଜୁଳି କାଟ…
ଖରାଦିନ ଆରମ୍ଭରୁ ଅଘୋଷିତ ବିଦ୍ୟୁତକାଟରେ ତ୍ରାହି ତ୍ରାହି ଡାକିଲେଣି ବିଦ୍ୟୁତ ଗ୍ରାହକ ।
/kanak/media/media_files/2025/03/02/csAaUMD3zCxbaMCeeptg.jpg)