କନକ ବ୍ୟୁରୋ : ଆଉ ମୁଣ୍ଡ ଉପରେ ଝୁଲିବନି ବିଦ୍ୟୁତ୍ କି ଟେଲିକମ ତାର , ବ୍ରହ୍ମପୁର ସହର ହେବ କେବୁଲମୁକ୍ତ । ଏନେଇ ବିଦ୍ୟୁତ୍ ବିତରଣ ସଂସ୍ଥା ଓ ଟେଲିକମ କମ୍ପାନିକୁ କଡ଼ା ଚିଠି ଲେଖିଛି ମହାନଗର ନିଗମ । ମାଟିତଳେ କେବୁଲ ଯିବା ନେଇ ବ୍ରହ୍ମପୁର ମହାନଗର ନିଗମ ଯୋଜନା କରୁଛି । ଖୁବଶୀଘ୍ର ଚୂଡାନ୍ତ ହେବ ରୂପରେଖ । ସହର ସାରା ଯୁଆଡେ ଦେଖିବ ମାଳମାଳ ତାର । ବିଦ୍ୟୁତ ବିତରଣ ସଂସ୍ଥା ଠାରୁ ନେଇ ଟେଲିକମ୍ ସଂସ୍ଥା ଯାଏ, ସମସ୍ତଙ୍କ କେବୁଲ ମୁଣ୍ଡ ଉପରେ ଝୁଲୁଛି । କେଉଁଠି କାନ୍ଥରେ ଝୁଲିଛି ତ କେଉଁଠି ଖୁଣ୍ଟରେ ଗୁଡ଼ା ହୋଇ ରହିଛି । ଯାହାକୁ ନେଇ ବିରକ୍ତ ପ୍ରକାଶ କରିଛନ୍ତି ବ୍ରହ୍ମପୁର ମହାନଗର ନିଗମ କମିସନର । ଏହାକୁ ଭିଜୁଆଲ ପଲ୍ୟୁସନ ବୋଲି କହିବା ସହ ବିପଦକୁ ଆମନ୍ତ୍ରଣ ବୋଲି କମିସନର କହିଛନ୍ତି । ୧୫ ଦିନ ଭିତରେ ଏସବୁ ନ ହଟାଇଲେ,ବାଧ୍ୟ ହୋଇ ବିଏମସି କେବୁଲ ହଟାଇବ ବୋଲି ଚେତାବନୀ ବି ଦେଇଛନ୍ତି । ଏନେଇ ମୁହଁ ଖୋଲୁ ନାହାନ୍ତି ବିତରଣ ସଂସ୍ଥା ।
ସେପଟେ ଅଣ୍ଡର ଗ୍ରାଉଣ୍ଡ୍ କେବଲିଂ କାମ ଆରମ୍ଭ ହୋଇଛି । ସହର ଭିତରେ ଏଥିପାଇଁ ବ୍ୟବସ୍ଥା କରାଯାଉଛି । ଡିପିଆର ପ୍ରସ୍ତୁତ ପରେ ସରକାରୀ ଅନୁମୋଦନ ଲାଗି ପଦକ୍ଷେପ ନିଆଯିବ । ଦୁର୍ଘଟଣାରୁ ମୁକ୍ତି ଓ ନିରନ୍ତର ସେବା ପାଇବା ଲାଗି ବ୍ରହ୍ମପୁରବାସୀ ଦୀର୍ଘ ବର୍ଷ ଧରି ଏନେଇ ଦାବି କରି ଆସୁଥିଲେ। ଯାହା ଏବେ ବାସ୍ତବତାର ରୂପ ନେବାକୁ ଯାଉଛି । ଗୋଟିଏ ପଟେ ଜବର ଦଖଲ ଉଚ୍ଛେଦ ପାଇଁ ଟିମ୍ ଗଠନ । ଅନ୍ୟପଟେ ଝୁଲୁଥିବା ତାରକୁ ହଟାଇବାକୁ କଡ଼ା ଆଭିମୁଖ୍ୟ । ବଲାଗୁଛି ସହରରେ ଆଗକୁ କିଛି ବଡ଼ ଯୋଜନା ହେବାକୁ ଯାଉଛି ।