କନକ ବ୍ୟୁରୋ : ବାଂଲାଦେଶରେ ଅଗଷ୍ଟ ୨୦୨୪ରେ ହୋଇଥିବା ବଡ଼ଧରଣ ବିରୋଧ ପ୍ରଦର୍ଶନ ଓ ଶେଖ୍ ହସିନାଙ୍କୁ କ୍ଷମତାରୁ ବିତାଡ଼ିତ କରାଯିବା ପରେ ଦେଶରେ ପ୍ରଥମ ଥର ନିର୍ବାଚନ ଅନୁଷ୍ଠିତ ହେଉଛି । ଏହି ନିର୍ବାଚନ କେବଳ ଢାକା ପାଇଁ ନୁହେଁ, ଭାରତ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଛି । ବାଂଲାଦେଶରେ ଗତ ୧୮ ମାସ ହେଲା ହିଂସା ଓ ଅଶାନ୍ତି ଲାଗି ରହିଛି । ଶେଖ ହସିନାଙ୍କ ଶାସନର ପତନ ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଦାୟିତ୍ୱ ଗ୍ରହଣ କରିଥିଲା । ୟୁନୁସଙ୍କ କାର୍ଯ୍ୟକାଳରେ ଭାରତ ସହିତ ବାଂଲାଦେଶର ସମ୍ପର୍କ ସର୍ବକାଳୀନ ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା । ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ ଓ ହତ୍ୟା ପ୍ରାୟ ନିତିଦିନିଆ ଘଟଣା ହୋଇଯାଇଛି । ଏହି ନିର୍ବାଚନ ପରେ ନିର୍ବାଚିତ ସରକାର ଓ ଭାରତ ମଧ୍ୟରେ ସମ୍ପର୍କରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି ।ଆଜି ସକାଳୁ ମତଦାନ ଆରମ୍ଭ ହୋଇଥିବାବେଳେ ଅପରାହ୍ଣ ସାଢେ ୪ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ । ତାରିକ୍ ରହମାନଙ୍କ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍ପି) ଓ ଏହାର ଏକଦା ସହଯୋଗୀ ଦଳ ଥିବା ଜମାତ୍ -ଇ-ଇସଲାମି ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ବନ୍ଦ୍ବିତା ହେଉଛି ।
ଭୋଟ ଦେବାକୁ ବହୁ ସଂଖ୍ୟାରେ ଲୋକମାନେ ମତଦାନ କେନ୍ଦ୍ରରେ ଆସୁଛନ୍ତି । ୨୦୦୯ ପରେ ଏହାକୁ ଦେଶର ପ୍ରଥମ ପ୍ରକୃତ ନିର୍ବାଚନୀ ଲଢ଼େଇ ଭାବେ ଗ୍ରହଣ କରାଯାଇଛି । ବାଂଲାଦେଶର ୧୭ କୋଟି ଜନସାଧାରଣଙ୍କ ମଧ୍ୟରେ ୧୨ କୋଟି ଲୋକ ଭୋଟ ଦେବାକୁ ଯୋଗ୍ୟ ହୋଇଛନ୍ତି । ବାଂଲାଦେଶ ନିର୍ବାଚନକୁ ‘ଜେନ୍ ଜି’ ନିର୍ବାଚନ ମଧ୍ୟ କୁହାଯାଉଛି । ୧୨ କୋଟି ଭୋଟରଙ୍କ ମଧ୍ୟରୁ ୩.୫୮ କୋଟି ଭୋଟର ପ୍ରଥମ ଥର ଭୋଟ ଦେବେ ବୋଲି ଜଣାପଡ଼ିଛି । ୩୦୦ ସଂସଦୀୟ ଆସନରୁ ୨୯୯ ଆସନରେ ମତଦାନ ଅନୁଷ୍ଠିତ ହେଉଥିବାବେଳେ ୧,୯୮୧ ପ୍ରାର୍ଥୀ ନିର୍ବାଚନୀ ମୈଦାନରେ ଅଛନ୍ତି । ମହମ୍ମଦ ୟୁନିସ୍ଙ୍କ ନେତୃତ୍ବାଧୀନ ଅନ୍ତରୀଣ ସରକାର ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ଅଧିକ ପଢନ୍ତୁ : ଭୋଟ୍ ପୂର୍ବରୁ ବାଂଲାଦେଶରେ ନିର୍ବାଚନୀ ହିଂସା ଚରମ ସୀମାରେ: ବିଏନ୍ପି ନେତାଙ୍କ ଆଖି ତାଡ଼ିନେଲେ ଜମାତ୍ କର୍ମୀ
ଦେଶରେ ନିର୍ବାଚନ ସହିତ ୮୪ ସୂତ୍ରୀୟ ଜଟିଳ ସୁଧାର ପ୍ୟାକେଜ (ଜୁଲାଇ ୨୦୨୫ ଚାର୍ଟର) ଉପରେ ମଧ୍ୟ ଜନମତ ସଂଗ୍ରହ କରାଯାଉଛି । ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍ପି) ଓ ଏହାର ପୂର୍ବତନ ସହଯୋଗୀ ଦଳ ଜମାତ-ଏ-ଇସଲାମି ମଧ୍ୟରେ ମୁଖ୍ୟତଃ ଲଢ଼େଇ ହେବ । ହସିନାଙ୍କ ଆୱାମୀ ଲିଗ୍କୁ ନିର୍ବାଚନ ଲଢ଼ିବାକୁ ଅନୁମତି ଦିଆଯାଇନି । ବାଂଲାଦେଶରେ ନିର୍ବାଚନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରାୟ ୧୦ ଲକ୍ଷ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିବାବେଳେ ଏହା ଦେଶର ସବୁଠୁ ବଡ଼ ସୁରକ୍ଷା ବ୍ୟବସ୍ଥା ବୋଲି କୁହାଯାଇଛି । ଅଧାରୁ ଅଧିକ ମତଦାନ କେନ୍ଦ୍ର ଅତିସମ୍ବେଦନଶୀଳ ଶ୍ରେଣୀରେ ରଖାଯାଇଛି ।
ପ୍ରାୟ ୯୦ ପ୍ରତିଶତ ମତଦାନ କେନ୍ଦ୍ର ସିସିଟିଭି ନିରୀକ୍ଷଣରେ ରହିଛି । ପୁଲିସ ଅଧିକାରୀ ବଡ଼ି କ୍ୟାମେରାର ବ୍ୟବହାର କରିଛନ୍ତି । ମତଦାନ ସରିବା ମାତ୍ରେ ଗଣତି ଆରମ୍ଭ ହେବ । ୧୩ ଫେବ୍ରୁଆରିରେ ଫଳାଫଳ ଆସିବ ବୋଲି ଜଣାପଡ଼ିଛି । ୟୁନୁସ୍ କହିଛନ୍ତି, ନିର୍ବାଚିତ ସରକାରକୁ ସେ ଶୀଘ୍ର କ୍ଷମତା ହସ୍ତାନ୍ତର କରିବାକୁ ଚାହିୁଁଛନ୍ତି । ବିଏନ୍ପି ନେତା ତାରିକ୍ ରହମାନ ଢାକାର ଗୁଲଶନ ଅଞ୍ଚଳରେ ଥିବା ଗୁଲଶନ ସ୍କୁଲ ଓ କଲେଜରେ ମତଦାନ କରିଥିଲେ । ୧୭ ବର୍ଷ ପରେ ବାଂଲାଦେଶ ଫେରିଥିବା ତାରିକ୍ ରହମାନ ବାଂଲାଦେଶର ଆଗାମୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ।
Follow Us