କନକ ବ୍ୟୁରୋ : ଖାଲି ପଡିଥିବା ୬ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କଲେ କମିସନ ।  ଓଡ଼ିଶାର ସୁଜିତ କୁମାରଙ୍କ ଇସ୍ତଫା ପରେ ଖାଲି ପଡିଛି ଗୋଟିଏ ପଦ  । ସେପ୍ଟେମ୍ବର ୬ ତାରିଖ ୨୦୨୪ । ଅପ୍ରତ୍ୟାସତ୍ୟ ଭାବେ ବିଜେଡ଼ିରୁ ଓ ସାଂସଦ ପଦରୁ ଇସ୍ତଫା ଦେଇଥିଲେ ସୁଜିତ କୁମାର ।  ଇସ୍ତଫା ଦେବା ପରେ ବିଜେପିରେ ଯୋଗ ଦେଇଥିଲେ ସୁଜିତ । ସେବେଠୁ ଆଜି ପର୍ଯ୍ୟନ୍ତ ପ୍ରାୟ ଅଢେଇ ମାସ ଧରି ରାଜ୍ୟସଭା ପଦ ଖାଲି ପଡିଛି ।  କିଛି ଦିନ ପୂର୍ବରୁ ବିଜେଡ଼ି ଏବଂ ସାଂସଦ ପଦରୁ ଇସ୍ତଫା ଦେବା ପରେ ବିଜେପିରେ ଯୋଗ ଦେଇଥିଲେ ମମତା ମହାନ୍ତ । ମମତା ବିଜେପିରେ ଯୋଗଦେବା ପରେ ବିଜେପି ଟିକେଟରେ ପୁଣି ଥରେ ରାଜ୍ୟସଭା ଯାଇଥିଲେ ।  

Advertisment

କୁହାଯାଉଛି ସମାନ ଫର୍ମୁଲାରେ ସୁଜିତ କୁମାରଙ୍କୁ ରାଜ୍ୟସଭା ପଠାଯାଇପାରେ ।  ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ, ବିଜେପି ରାଜ୍ୟ କାର୍ଯ୍ୟାଳୟ  ଚଳଚଞ୍ଚଳ ହୋଇଛି  । କାରଣ ସଂଖ୍ୟା ଦୃଷ୍ଟିରୁ ଏହି ଆସନ ବିଜେପି ଖାତାକୁ ଯିବ।  ଯଦି କେବଳ ବିଜେପି ପ୍ରାର୍ଥୀ ଦିଏ ନିର୍ବାଚନର ଆବଶ୍ୟକତା ପଡ଼ିବ ନାହିଁ  । ଏଭଳି ସ୍ଥିତିରେ ବିଜେଡ଼ି ପ୍ରାର୍ଥୀ ଦେବ କି ନାହିଁ ତା ଉପରେ ମଧ୍ୟ ନଜର ରହିବ । ସୁଜିତ କୁମାରଙ୍କ ବ୍ୟତୀତ ରାଜ୍ୟ ବିଜେପିରୁ ଆହୁରି ଅନେକ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି  । ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ବିଜେଡ଼ି ଛାଡି ବିଜେପିରେ ଯୋଗ ଦେଇଥିବା ସମୀର ଦାସଙ୍କ ନାଁ ଆଗରେ ରହିଛି  । ତେବେ ବିଜେପି ସଂସଦୀୟ ବୋର୍ଡ କାହା ଉପରେ ଭରସା କରୁଛି ତା ଉପରେ ନଜର ରହିବ   ।