କନକ ବ୍ୟୁରୋ :ରାଜ୍ୟସଭାର ବିଗୁଲ ବାଜିନି । ହେଲେ ବିଜେପି ଦେଖାଇଲାଣି ଦମ୍ଭୋକ୍ତି । ପ୍ରଥମ, ଦ୍ବିତୀୟ ଭଳି ଚତୁର୍ଥ ସିଟ୍‌ ହାତେଇବୁ। ଯାହା ରାଜ୍ୟ ରାଜନୀତିକୁ ସରଗରମ କରିଛି। ହେଲେ ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ କିଏ? ଏବେଠାରୁ ଆରମ୍ଭ ହେଲାଣି ଅଙ୍କକଷା। ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଆସିନି । ହେଲେ ଏବେଠୁ ବଢ଼ିଲାଣି ତାତି। କିଏ ପ୍ରାର୍ଥୀ ହେବ, ଘୋଷଣା ହୋଇନି। ହେଲେ ଚତୁର୍ଥ ଆସନ ଜିତିବା ନେଇ ଦମ୍ଭୋକ୍ତି ଦେଖାଇଛି ବିଜେପି। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଚତୁର୍ଥ ଆସନ ଆମେ ଜିତିବୁ। ଜିତିବାର ରଣକୌଶଳ ଆମକୁ ଜଣାଅଛି।  ରାଜ୍ୟସଭାର ୪ ଆସନରୁ ୨ଟି ବିଜେପି ଖାତାକୁ ଓ ଗୋଟିଏ ବିଜେଡି ଖାତାକୁ ଯିବା ନିଶ୍ଚିତ। ଏଥିରେ କୌଣସି ଦ୍ବନ୍ଦ୍ବ ନାହିଁ। ତେବେ ଚତୁର୍ଥ ଆସନକୁ ନେଇ ସରଗରମ ହୋଇପାରେ ରାଜ୍ୟ ରାଜନୀତି। କାରଣ ଏହିଠାରୁ ଆରମ୍ଭ ହେବ ନୂଆ ସମୀକରଣ। ଯାହା ରାଜ୍ୟ ରାଜନୀତିକୁ ନୂଆ ଦିଶା ଦେବ ।

Advertisment

ଅଧିକ ପଢ଼ନ୍ତୁ : ରାଜ୍ୟସଭା ନିର୍ବାଚନ; ଆରମ୍ଭ ହେଲା ପ୍ରକ୍ରିୟା

ସମୀକରଣ : ଚତୁର୍ଥ ଆସନ ପାଇଁ ଦେଖିବାକୁ ମିଳିପାରେ ଅଶ୍ବିନୀ ବୈଷ୍ଣବଙ୍କ ଫର୍ମୁଲା। କେନ୍ଦ୍ର ନାଁ ଦେଲେ ପୁଣିଥରେ ସମର୍ଥନ ଦେବ କି ବିଜେଡି?
ସମୀକରଣ : ବିଜେପିକୁ ଅଟକାଇବାକୁ କଂଗ୍ରେସ ସହ ହାତ ମିଳାଇବ କି ବିଜେଡି? ନବୀନ-ଭକ୍ତ ହାତ ମିଳାଇଲେ ଚତୁର୍ଥ ଆସନ ପକ୍କା?
ସମୀକରଣ: ସବୁ ଆକଳନକୁ ଭୁଲ୍ ପ୍ରମାଣିତ କରିପାରେ ଘୋଡ଼ା ବେପାର

 ଏହାରି ଭିତରେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ପ୍ରସ୍ତାବ ମାଗିଲେ ନିର୍ବାଚନ କମିଶନ। ଓଡ଼ିଶା ସମେତ ୧୦ ରାଜ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ବାଚନ କମିସନ ଚିଠି କରିଛନ୍ତି। ଏପ୍ରିଲରେ ୧୦ ରାଜ୍ୟର ୩୭ ଆସନ ଖାଲି ହେଉଛି। ଜାତୀୟ ନିର୍ବାଚନ କମିଶନ ଓଡ଼ିଶା ସମେତ ୧୦ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ରିଟର୍ଣ୍ଣିଂ ଅଫିସର, ସହାୟକ ରିଟର୍ଣ୍ଣିଂ ଅଫିସର, ଭୋଟ୍ ଗ୍ରହଣ ସ୍ଥାନ ଏବଂ ବ୍ୟାଲଟ୍ ବକ୍ସର ପ୍ରକାର ସମ୍ପର୍କରେ ପ୍ରସ୍ତାବ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।