କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିସନ ମଙ୍ଗଳବାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିବେ । ଭୋଟର ତାଲିକାର ଏହି ଲିଷ୍ଟ SIR ପ୍ରକ୍ରିୟା ପରେ କରାଯାଉଛି, ଯେଉଁଥିପାଇଁ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି । ଖାସ୍ କରି ଏହି ତାଲିକା ନିର୍ବାଚନ କମିସନଙ୍କ ଦ୍ୱାରା ନିର୍ବାଚନମଣ୍ଡଳୀ ଭିତ୍ତିରେ ପ୍ରକାଶ କରାଯିବ । ତେବେ ଜାଣିରଖିବା ଉଚିତ ଯେ, SIR ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ବିହାରରେ ମୋଟ ୭ କୋଟି ୮୯ ଲକ୍ଷ ଭୋଟର ଥିଲେ । ଆଉ ଡ୍ରାଫ୍ଟ ତାଲିକାରେ ୬୫.୬୩ ଲକ୍ଷ ଲୋକଙ୍କ ନାମକୁ ବାଦ ଦିଆଯାଇଥିଲା ।
ତେବେ ଜୁନ୍ ୨୫ ତାରିଖରେ SIR ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହାପରେ ଅଗଷ୍ଟ ୧ ତାରିଖରେ ପ୍ରକାଶିତ ଡ୍ରାଫ୍ଟ ଭୋଟର ତାଲିକାରେ ୭ କୋଟି ୨୪ ଲକ୍ଷ ଭୋଟରଙ୍କ ନାମ ଥିଲା । ଡ୍ରାଫ୍ଟ ଲିଷ୍ଟରେ ୬୫.୬୩ ଲକ୍ଷ ଭୋଟରଙ୍କୁ ବାଦ ଦିଆଯାଇଥିଲା । ତେବେ ଡ୍ରାଫ୍ଟ ତାଲିକା ପ୍ରକାଶ ପାଇବା ପରେ, ନିର୍ବାଚନ କମିସନ ୩ ଲକ୍ଷ ଲୋକଙ୍କୁ ନୋଟିସ୍ ଜାରି କରିଥିଲେ। ଆଉ ଧାର୍ଯ୍ୟ ସମୟ ମଧ୍ୟରେ ୨.୧୭ ଲକ୍ଷ ଲୋକ ସେମାନଙ୍କ ନାମ ବାଦ୍ ଦେବା ପାଇଁ ଆବେଦନ କରିଥିଲେ, ଅନ୍ୟପଟେ ୧୬.୯୩ ଲକ୍ଷ ଲୋକ ସେମାନଙ୍କର ନାମ ଭୋଟର ଲିଷ୍ଟରେ ଯୋଡିବା ପାଇଁ ଆବେଦନ କରିଥିଲେ। ଏହାପରେ ଆଜି ବିହାରରେ ଭୋଟରଙ୍କ ଫାଇନାଲ୍ ଲିଷ୍ଟ ବାହାରିବାକୁ ଯାଉଛି ।
ସୂଚନାଯୋଗ୍ୟ ଯେ, ବିହାର ବିଧାନସଭା ନିର୍ବାଚନ ଘୋଷଣା ପାଇଁ ନିର୍ବାଚନ କମିସନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ନିର୍ବାଚନ କମିସନ ଆଜି ସକାଳ ୯ଟା ୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ୩୮ ଜିଲ୍ଲାର କମିସନର, ଆଇଜି, ଡିଆଇଜି, ଡିଏମ, ଏସଏସପି ଏବଂ ଏସପିଙ୍କ ସହିତ ଏକ ଭିଡିଓ କନଫରେନ୍ସିଂ ବୈଠକ କରିବେ। ଏହି ଅନଲାଇନ୍ ବୈଠକରେ ସମସ୍ତ ଜିଲ୍ଲାର ଅଧିକାରୀଙ୍କ ସହିତ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରାଯିବ। ସମସ୍ତ ଜିଲ୍ଲାକୁ କର୍ମଚାରୀ ତାଲିକା, ତାଲିମ, ଇଭିଏମ, ସୁରକ୍ଷା, ଭୋଟର ତାଲିକା ଏବଂ ସଚେତନତା ଅଭିଯାନ ସମ୍ପର୍କରେ ସଦ୍ୟତନ ରିପୋର୍ଟ ଦାଖଲ କରିବାକୁ ପଡ଼ିବ।