କନକ ବ୍ୟୁରୋ : କଂଗ୍ରେସ ଓ ଆରଜେଡି ସହ ବିଭିନ୍ନ ରାଜନୈତିକ ଦଳମାନଙ୍କ ଦ୍ୱାରା ଭୋଟ ଚୋରି ନେଇ ଯେଉଁ ଅଭିଯୋଗ ଆସୁଛି ତା ଉପରେ ନିର୍ବାଚନ କମିସନ ଏକ ସାମ୍ବାଦିକ ସମ୍ମିଳନୀ କରି ଜବାବ ରଖିଛନ୍ତି । ଭାରତର ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର କହିଛନ୍ତି କି, ନିର୍ବାଚନ ଆୟୋଗଙ୍କ ପାଇଁ ସମସ୍ତ ରାଜନୈତିକ ଦଳ ସମାନ । ମୁଖ୍ୟ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି କି, ଭୋଟ ଚୋରି ଅଭିଯୋଗ ମିଥ୍ୟା ଓ ଏଭଳି ଅଭିଯୋଗ ଆଣୁଥିବା ଦଳ ଓ ନେତା  ସମ୍ବିଧାନ ପ୍ରତି ଅପମାନ କରୁଛନ୍ତି । ଏଠାରେ କହିରଖୁ କି ପ୍ରଥମେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ପରେ ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଭୋଟ ଚୋରି ନେଇ ଅଭିଯୋଗ ଆଣିଥିଲେ ।

Advertisment

ନିର୍ବାଚନ ଆୟୋଗଙ୍କ ସାମ୍ବାଦିକ ସମ୍ମିଳନୀ ପରେ କଂଗ୍ରେସ ତରଫରୁ ଅଧିକାରିକ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ କରାଯାଇଛି । ଏଥିରେ କୁହାଯାଇଛି କି, ପୁଣି ନିର୍ବାଚନ ଆୟୋଗ ମିଛ କହିଛନ୍ତି । ପୋଷ୍ଟ କରାଯାଇଥିବା ଭିଡିଓରେ ପ୍ରଥମେ ନିର୍ବାଚନ ଆୟୋଗ କହୁଛନ୍ତି କି, ଆମ ପାଇଁ ସବୁ ରାଜନୈତିକ ଦଳ ସମାନ । ଏହାପରେ ରାହୁଲ ଗାନ୍ଧୀ କହୁଛନ୍ତି କିଛିଦିନ ପୂର୍ବରୁ ବିଜେପି ନେତା ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ଭୋଟ ଚୋରି ଅଭିଯୋଗ ଆଣିଛନ୍ତି । ହେଲେ ନିର୍ବାଚନ ଆୟୋଗ କେବଳ ମୋତେ ସତ୍ୟପାଠ ମାଗୁଛନ୍ତି, ହେଲେ ଅନୁରାଗ ଠାକୁରଙ୍କୁ ମାଗିବାର ସାହାସ କରିପାରୁନାହାନ୍ତି । ଏହାସହ ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀରେ ଯେଉଁ ତଥ୍ୟ ଦେଖାଇଥିଲେ ତାହା ନିର୍ବାଚନ ଆୟୋଗଙ୍କର ନୁହେଁ ବୋଲି ଜ୍ଞାନେଶ କୁମାର କହିଥିବା ବେଳେ ରାହୁଲ ଗାନ୍ଧୀ ଏହାକୁ ଖଣ୍ଡନ କରି କହିଛନ୍ତି ଏହା ହିଁ ନିର୍ବାଚନ ଆୟୋଗଙ୍କ ତଥ୍ୟ । 

ଅନ୍ୟପଟେ ଭୋଟ ଚୋରି ଭଳି ଶବ୍ଦ ସମ୍ବିଧାନର ଅପମାନ ବୋଲି ମୁଖ୍ୟ ନିର୍ବାଚନ ଆୟୋଗ କହିଛନ୍ତି । ଜ୍ଞାନେଶ କୁମାରଙ୍କ ଏହି ବୟାନ ଉପରେ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ପ୍ରବକ୍ତା ପବନ ଖେଡ଼ା । ସେ କହିଛନ୍ତି କି, ଏଭଳି ମନ୍ତବ୍ୟ ଦେବାକୁ ତୁମେ କିଏ ? ପ୍ରଥମ ଭୋଟ ଚୋରି ବନ୍ଦ କର, ଆମେ କେବେ ବି ଏହି ଶବ୍ଦ ବ୍ୟବହାର କରିବୁ ନାହିଁ । ଏହାସହ ସିସିଟିଭି ଫୁଟେଜକୁ ନେଇ ଖେଡା କହିଛନ୍ତି, ଯଦି ସିସିଟିଭି ଫୁଟେଜ ସାର୍ବଜନୀନ କଲେ ବ୍ୟକ୍ତିଗତତା ଭଙ୍ଗ ହେଉଛି ତେବେ ୪୫ ଦିନ ଭିତରେ କାହିଁକି ଦେବାକୁ କହୁଛନ୍ତି ନିର୍ବାଚନ ଆୟୋଗ । ଏହାସହ ଅନୁରାଗ ଠାକୁରଙ୍କୁ କିିଭଳି ତଥ୍ୟ ଦିଆଗଲା ବୋଲି ସେ ପ୍ରଶ୍ନ ପଚାରିଛନ୍ତି । ଯଦି ଜ୍ଞାନେଶ କୁମାର ଠିକରେ କାମ କରୁଥାନ୍ତେ ତେବେ ଏଭଳି ଅଭିଯୋଗ ନା କଂଗ୍ରେସ ନା ବିଜେପି କୌଣସି ରାଜନୈତିକ ଦଳ ଆଣିବାକୁ ସାହାସ କରିନଥାନ୍ତେ । 

କେବଳ ପବନ ଖେଡା ନୁହନ୍ତି, ବିହାର କଂଗ୍ରେସର ସହ ପ୍ରଭାରୀ ଶାହନବାଜ ଆଲମ୍ କହିଛନ୍ତି କି, ନିର୍ବାଚନ ଆୟୋଗଙ୍କ ମନରେ ପାପ ରହିଛି । ଯଦି ସେ ସ୍ୱଚ୍ଛ ହୋଇଥାନ୍ତେ ତେବେ ରାହୁଲ ଗାନ୍ଧୀ ଅଭିଯୋଗ ଆଣିବା କ୍ଷଣି ସେ ତା'ର ଜବାବ ଦେଇଥାନ୍ତେ ।