କନକ ବ୍ୟୁରୋ : ଆସନ୍ତାକାଲି ଝାଡଖଣ୍ଡରେ ଦ୍ବିତୀୟ ପର୍ଯ୍ୟାୟ ଓ ମହାରାଷ୍ଟ୍ରରେ ପ୍ରଥମ ପର୍ଯ୍ୟାୟ ଭୋଟ । ଏଥିପାଇଁ ଶେଷ ହୋଇଛି ପ୍ରଚାର । ଶେଷ ଦିନରେ ଦଳଗୁଡିକର ହେଭିୱେଟ ନେତା ନିଜ ନିଜର ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି । ବିଜେପି, କଂଗ୍ରେସ ଓ ଜେଏମଏମ ତରଫରୁ ଜୋରଦାର ପ୍ରଚାର କରାଯାଇଛି ।
ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଦେଶ ମହତୋ ଭଳି ବରିଷ୍ଠ ନେତା ଭାଗ୍ୟ ପରୀକ୍ଷା କରିବେ । କଳ୍ପନା ସୋରେନ, ସୀତା ସୋରନଙ୍କ ଛଡା ମୈଦାନରେ ଅଛନ୍ତି ୧୧ ଜଣ ପୂର୍ବତନ ମନ୍ତ୍ରୀ ।
ଆସନ୍ତାକାଲି ୩୮ ଆସନରେ ଭୋଟ ହେବାକୁ ଥିବା ବେଳେ ମୈଦାନରେ ଅଛନ୍ତି ୫୨୮ ଜଣ ପ୍ରାର୍ଥୀ । ସେପଟେ ମହାରାଷ୍ଟ୍ରରେ ମଧ୍ୟ ପ୍ରଚାର ଶେଷ ହୋଇଛି । ଇଣ୍ଡି ମେଣ୍ଟ ଓ ଏନଡିଏ ମେଣ୍ଟ ପକ୍ଷରୁ ପ୍ରଚାରର ଶେଷ ଦିନରେ ଜୋରଦାର ବୟାନବାଜି ଦେଖିବାକୁ ମିଳିଛି । ସେହିପରି ଉଭୟ ଦଳର ପ୍ରାର୍ଥୀ ବିଶାଳ ରାଲି, ରୋଡ ସୋ ଓ ପ୍ରଚାର ସଭା କରି ଭୋଟ ମାଗିଛନ୍ତି । ମହାରାଷ୍ଟ୍ରରେ ବୁଧବାର ୨୮୮ଆସନରେ ଭୋଟ ଗ୍ରହଣ କରାଯିବ।